ଭୁବନେଶ୍ଵର: ଗଞ୍ଜାମ ବନ୍ୟାକୁ ନେଇ ଶାସକ ବିଜେପି ଓ ମୁଖ୍ୟ ବିରୋଧୀ ବିଜେଡି ମଧ୍ୟରେ ରାଜନୀତି ଥମିବାର ନାଁ ନେଉନି। ଏହି ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ପରସ୍ପର ଉପରେ କାଦୁଅ ଫିଙ୍ଗାଫିଙ୍ଗି ହେଉଛନ୍ତି ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଞ୍ଜାମ ବନ୍ୟା ମନୁଷ୍ୟକୃତ କହି ରାଜ୍ୟ ସରକାରଙ୍କ ସମାଲୋଚନା କରିଥିବା ବେଳେ ବନ୍ୟା ମନ୍ୟୁଷକୃତ ନୁହେଁ, ଦୀର୍ଘ ବର୍ଷର ଅବହେଳା ଦାୟୀ କହି କାଉଣ୍ଟର ଆଟାକ୍ କରିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନଭେମ୍ବର ୧୦ରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ତୁରନ୍ତ ରିଲିଫ୍ ଓ ଥଇଥାନ ଦାବି କରିଛନ୍ତି। ଏହା ସହ  ଗଞ୍ଜାମ ବନ୍ୟା ପୀଡ଼ିତଙ୍କ ପାଇଁ ତୁରନ୍ତ ରିଲିଫ୍ ଓ ଥଇଥାନ ପାଇଁ ଦାବି କରିଛନ୍ତି। ସେ କହିଛନ୍ତି IMD ପକ୍ଷରୁ  ଅକ୍ଟୋବର ୨୩ରୁ ବାତ୍ୟା ସତର୍କ ସୂଚନା ମିଳିଥିଲେ ମଧ୍ୟ ଡ୍ୟାମ୍ ଜଳ ଆଗୁଆ ଛଡ଼ାଯାଇ ନଥିଲା। ପ୍ରବଳ ବର୍ଷା ପରେ ଜଳ ଛଡ଼ାଯିବାରୁ ବନ୍ୟା ଅଧିକ ଭୟଙ୍କର ହୋଇଥିଲା। ଗେଟ୍ ଖୋଲିବା ଆଗରୁ ଲୋକଙ୍କୁ ପର୍ଯ୍ୟାପ୍ତ ସତର୍କ ସୂଚନା ଦିଆଯାଇ ନଥିବା ଲୋକେ ଅଭିଯୋଗ କରିଛନ୍ତି ବୋଲି ନବୀନ ଲେଖିଛନ୍ତି।

Also Read: ନିର୍ବାଚନ ପାଇଁ ବିଜେପିର ଅଙ୍କକଷା, ସଂଗଠନ ସଜାଡ଼ୁଛି ବିଜେପି

ଉଦ୍ଧାର ଓ ରିଲିଫ୍ କାମରେ ବିଳମ୍ବ

ନବୀନ କହିଛନ୍ତି, ଉଦ୍ଧାର ଓ ରିଲିଫ୍ କାମରେ ବିଳମ୍ବ ହେବାରୁ ଲୋକେ ଦିନ ଦିନ ଧରି ଖାଦ୍ୟ-ପାଣି ବିନା ଫସି ରହିଥିଲେ। ସରପଞ୍ଚ ଓ ମିଶନ ଶକ୍ତିକୁ ଅଣଦେଖା କରାଯିବାରୁ କମ୍ୟୁନିଟି ଭିତ୍ତିକ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ଦୁର୍ବଳ ହୋଇଛି। ଏହା ମନୁଷ୍ୟକୃତ ବନ୍ୟା ବୋଲି ବିରୋଧୀ ଦଳ ନେତା କହିଛନ୍ତି।

କାଉଣ୍ଟର କଲେ ପୂର୍ତ୍ତ ମନ୍ତ୍ରୀ

ନବୀନଙ୍କ ଏହି ଚିଠିକୁ ନେଇ କଡା କାଉଣ୍ଟର କରିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ସେ କହିଛନ୍ତି, ଗଞ୍ଜାମ ବନ୍ୟା ମନ୍ୟୁଷକୃତ ନୁହେଁ, ଦୀର୍ଘ ବର୍ଷର ଅବହେଳା ଦାୟୀ। ଭୋଟ ରାଜନୀତି କରି ଗଞ୍ଜାମକୁ ଅବହେଳା କରିଥିଲେ ନବୀନ। ମନୁଷ କୋଉଠି ବନ୍ୟା କରେ ନାହିଁ। ଏହା ପଛରେ ଦୀର୍ଘ ଦିନର ଅବହେଳା କାରଣ ଏକଥା ବି ବୁଝିବା ଦରକାର।

Also Read: କୋଟିଆକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ, ଅରୁଣ ସାହୁଙ୍କୁ ଟାର୍ଗେଟ କଲେ ବିଜେପି ନେତା

କେବଳ ଭୋଟ ରାଜନୀତି କରୁଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ। ଗଞ୍ଜାମକୁ ଅବହେଳା କରିଥିଲେ ଯାହାର ଫଳ ଆଜି ଜିଲ୍ଲାବାସୀଙ୍କୁ ଭୋଗିବାକୁ ପଡ଼ିଛି। କିନ୍ତୁ ରିଲିଫ, ଉଦ୍ଧାର, ପୁନଃରୁଦ୍ଧାର ସରକାର ତତ୍ପରତାର ସହ କରିଛନ୍ତି। ୭୨ ଘଣ୍ଟାରେ ୨୦୦ରୁ ଅଧିକ ରୋଡ଼ ମରାମତି ସହ ପୁନଃରୁଦ୍ଧାର ହୋଇଛି। ନବୀନ ବାବୁ ଟିକେ ପୂର୍ବ ଦିନକୁ ଦେଖନ୍ତୁ ତାପରେ ଚିଠି ଲେଖିବା ଉଚିତ କି ଅନୁଚିତ ବିଚାର କରିବେ।