କଟକ ୧୧।୧୧ : ସରକାରୀ  ଅଫିସରୁ ମୃତଦେହ ଠାବ । କଟକ ମହାନଦୀବିହାର ସ୍ଥିତ ଜିଲ୍ଲା ଜଳ ପରୀକ୍ଷାଗାର କାର୍ଯ୍ୟାଳୟରୁ ମିଳିଛି ଜଣେ ଠିକା କର୍ମଚାରୀଙ୍କ ମୃତଦେହ। କାର୍ଯ୍ୟାଳୟ ଭିତରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଦେଖିବାକୁ ମିଳିବା ପରେ ପୋଲିସକୁ ଖବର ଦିଆଯାଇଥିଲା। ମୃତକ ହେଉଛନ୍ତି ଦୀନେଶ ଶତପଥି। ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା। ସେ ଟାଙ୍ଗୀ ଥାନା ଅଞ୍ଚଳର ଜରିପଦା ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି।

ଖବର ଅନୁଯାୟୀ, ଦୀନେଶ ଗତ କିଛି ବର୍ଷ ଧରି ଜିଲ୍ଲା ଜଳ ପରୀକ୍ଷାଗାର କାର୍ଯ୍ୟାଳୟରେ ନାଇଟ୍ ୱାଚମ୍ୟାନ୍ ଭାବେ କାମ କରୁଥିଲେ। ବିଳମ୍ବିତ ରାତିରେ କାର୍ଯ୍ୟାଳୟ ପରିସର ମଧ୍ୟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ହୋଇଥାଇପାରେ ବୋଲି ସନ୍ଦେହ କରୁଛି ପୋଲିସ। ତେବେ ମୃତଦେହ ଯେଉଁ ଦଉଡ଼ିରେ ଝୁଲୁଥିଲା, ସେହି ଦଉଡ଼ି କେଉଁଠୁ ଆସିଲା, ତାହାକୁ ନେଇ ମଧ୍ୟ ତଦନ୍ତ ଚାଲିଛି ।

Also Read:-ଶରଦ ପାଓ୍ଵାର ହୋଇ ପାରିଥାନ୍ତେ ପ୍ରଧାନମନ୍ତ୍ରୀ, ସୋନିଆଙ୍କ ପୁସ୍ତକ ଉପରେ ବଡ଼ ବୟାନ ଦେଲେ କେନ୍ଦ୍ର ମନ୍ତ୍ରୀ

ସେପଟେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା। ପରେ ଶବ ବ୍ୟବଚ୍ଛେଦ ପାଇଁ ଏସସିବି ମେଡିକାଲକୁ ପଠାଯାଇଛି। ଘଟଣାର ଅଧିକ ତଥ୍ୟ ଓ ପ୍ରମାଣ ସଂଗ୍ରହ ପାଇଁ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। ତେବେ ଦୀନେଶଙ୍କ ମୃତ୍ୟୁ ଆତ୍ମହତ୍ୟା ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି, ସେନେଇ ଏବେ ତଦନ୍ତ ଜାରି ରଖିଛି କମିଶନରେଟ୍ ପୋଲିସ। ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ପୋଲିସ ତଦନ୍ତ ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।