ଫୁଜିୟାନ: ପୂର୍ବ ଚୀନ୍ ର ଫୁଜିୟାନ ସହରରେ ଗୁରୁବାର ଘୂର୍ଣ୍ଣିବାତ୍ୟା ‘ସୌଡେଲ’ ବ୍ୟାପକ କ୍ଷୟକ୍ଷତି କରିଛି। ବାତ୍ୟା ପାଇଁ ସ୍କୁଲ ବନ୍ଦ କରି ଦିଆଯିବା ସହ ଫେରି ସେବା ବନ୍ଦ ରଖାଯାଇଥିଲା। ଘୂର୍ଣ୍ଣିବାତ୍ୟା ଯୋଗୁ ଅଞ୍ଚଳରେ ଭୀଷଣ ବର୍ଷା ହୋଇଥିବା ବେଳେ ଫ୍ଲାସ୍ ଫ୍ଲୋଡ ଆସିଛି। ଏଣୁ ଭୂ-ସ୍ଖଳନ ଚେତାବନୀ ଜାରି ହୋଇଛି। ଚୀନ୍ ସରକାରୀ ନ୍ୟୁଜ ଏଜେନ୍ସୀ ସିସିଟିଭି ରିପୋର୍ଟ ଅନୁସାରେ ଜିୟାନୟୁ କାଉଣ୍ଟିରେ ଆସିଥିବା ଅଚାନକ ବନ୍ୟାରେ ଏକ ୩ ମହଲା କୋଠା ଭାସି ଯାଇଛି।

ପାଣିପାଗ ବିଭାଗ ଅନୁସାରେ ସୌଡେଲ ପ୍ରଥମେ ପଡୋଶୀ ଝେଝିଆଙ୍ଗ ପ୍ରୋଭିନ୍ସକୁ ମୁହାଁଇଥିଲା। ସେଠାରୁ ୨ ଥର ଫେରି ଦକ୍ଷିଣ ଚୀନ ସାଗରରେ ପୁଣି ଶକ୍ତିଶାଳୀ ହୋଇ ଫୁଜିୟାନର ଝାଙ୍ଗଝୋଉ ରେ ଭୂଭାଗକୁ ପ୍ରବେଶ କରିଛି। ଅନୁମାନ କରାଯାଉଛି ଏହି ଘୂର୍ଣ୍ଣିବାତ୍ୟା ପଶ୍ଚିମପଟରେ ଗ୍ୱାଙ୍ଗଡୋଙ୍ଗକୁ ଯିବ। ଏଣୁ ଶୁକ୍ରବାର ଫୁଜିୟାନ ସମେତ ଗ୍ୱାଙ୍ଗଡୋଙ୍ଗରେ ଭୀଷଣ ବର୍ଷା ଜାରି ରହିବ। ସିସିଟିଭି ରିପୋର୍ଟ ଅନୁସାରେ ଝେଝିଆଙ୍ଗର ୱେନଝେଉ ବୁଧବାର ଭୀଷଣ ବର୍ଷା ଯୋଗୁ ତଳିଆ ଅଞ୍ଚଳରେ ଅଚାନକ ବନ୍ୟା ଆସିଥିଲା। ଫଳରେ ୨୫୦୦ରୁ ଅଧିକ ଶିକ୍ଷକ ଓ ଛାତ୍ରଛାତ୍ରୀ ଏକ ସ୍କୁଲ ପରିସରରେ ଫଶି ରହିଥିଲେ।

ଫଶି ରହିଥିବା ଛାତ୍ର ଓ ଶିକ୍ଷକଙ୍କ ଖାଇବା ପାଇଁ ଅଧିକାରୀ ଡ୍ରୋନ ଯୋଗେ ଖାଦ୍ୟ ଓ ପାଣି ପହଞ୍ଚାଇଥିଲେ। ଚୀନ୍ ର ଫୁଜିୟାନ ପ୍ରାନ୍ତ ଫୁଡିଂ ସହର ଏବେ ବନ୍ୟାରେ ଉବୁଟୁବୁ ହେଉଛି। ଗାଡି ସବୁ ବର୍ଷା ପାଣିରେ ବୁଡି ରହିଥିବା ବେଳେ ଚାରି ଆଡେ ଆବର୍ଜନା ଭରି ଯାଇଛି। ଏଣୁ ଆଗକୁ ବିପଦ ଆକଳନ କରି ସ୍କୁଲ, କଲେଜ ସମେତ ସରକାରୀ ଓ ଘରୋଇ ପ୍ରତିଷ୍ଠାନ ସବୁ ବନ୍ଦ ଘୋଷଣା କରାଯାଇଛି। ଏହା ଛଡା ସରକାର ବିପଦପୂର୍ଣ୍ଣ ଅଞ୍ଚଳରେ ବସବାସ କରୁଥିବା ୨ଲକ୍ଷ ୪୭ ହଜାର ୭୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରିଛନ୍ତି।