ଆସିକା: ବାତ୍ୟା 'ଅର୍ଣ୍ଣବ' ଏବଂ ତା' ପରବର୍ତ୍ତୀ ପ୍ରଳୟଙ୍କରୀ ବନ୍ୟାର ଭୟଙ୍କର କ୍ଷତିରୁ ଆସିକାବାସୀ ଏଯାଏଁ ସମ୍ପୂର୍ଣ୍ଣ ସୁଧୁରି ପାରିନାହାନ୍ତି। ଅନେକ ପରିବାରର ଭଙ୍ଗା ଘର ସଜାଡ଼ି ହୋଇନଥିବା ବେଳେ ଜନଜୀବନ ସ୍ୱାଭାବିକ ହେବାକୁ ବାକି ରହିଛି। ଏହି ସଙ୍କଟଜନକ ସ୍ଥିତି ମଧ୍ୟରେ ଏବେ ଆଉ ଏକ ନୂଆ ବାତ୍ୟା 'ମୁରାସୁ'ର ଆଶଙ୍କା ଆସିକା ଅଞ୍ଚଳବାସୀଙ୍କ ନିଦ ହଜାଇ ଦେଇଛି।

ପୂର୍ବରୁ ଆସିଥିବା ବାତ୍ୟା 'ଅର୍ଣ୍ଣବ' ଯୋଗୁଁ ଆସିକା ଓ ଏହାର ଆଖପାଖ ବିଭିନ୍ନ ଗ୍ରାମ ଗୁରୁତର ଭାବେ ପ୍ରଭାବିତ ହୋଇଥିଲେ। ବିଶେଷ କରି ମଙ୍ଗଳପୁର ପଞ୍ଚାୟତ ଅନ୍ତର୍ଗତ ନବରତ୍ନପୁର ଗ୍ରାମରେ ଏହାର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଥିଲା। ଏହି ଗ୍ରାମରେ ୧୫ରୁ ଊର୍ଦ୍ଧ୍ୱ ପରିବାରର ଘର ସମ୍ପୂର୍ଣ୍ଣ ଭାଙ୍ଗିଯିବାରୁ ସେମାନେ ଖୋଲା ଆକାଶ ତଳେ ଦିନ ବିତାଉଥିଲେ। ଏବେ ପୁନର୍ବାର ବାତ୍ୟା 'ମୁରାସୁ' ଆସୁଥିବା ଖବର ଶୁଣି ଲୋକମାନେ ଅତ୍ୟନ୍ତ ଭୟଭୀତ ହୋଇପଡ଼ିଛନ୍ତି।

Also Read: ସମ୍ଭାବ୍ୟ ବାତ୍ୟା ଓ ବର୍ଷା ଆଶଙ୍କା: କନ୍ଧମାଳ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି, ୩୫ଟି ଆଶ୍ରୟସ୍ଥଳୀକୁ ୨,୩୯୪ ଲୋକ ସ୍ଥାନାନ୍ତରିତ

ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କଲା ପ୍ରଶାସନ

ସମ୍ଭାବ୍ୟ ବାତ୍ୟା 'ମୁରାସୁ'ର ଆଶଙ୍କାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଲୋକଙ୍କ ଜୀବନ ସୁରକ୍ଷାକୁ ପ୍ରାଥମିକତା ଦେଇ ନବରତ୍ନପୁର ଗ୍ରାମର ସମସ୍ତ ଗ୍ରାମବାସୀଙ୍କୁ ସ୍ୱତନ୍ତ୍ର ବସ୍ ଯୋଗେ ସୁରକ୍ଷିତ ଭାବେ ଆସିକା ମଙ୍ଗଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରସ୍ତୁତ କରାଯାଇଥିବା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି। ପ୍ରଶାସନିକ ଟିମ୍ କ୍ଷେତ୍ରସ୍ତରରେ ଉପସ୍ଥିତ ରହି ଉଦ୍ଧାର ଓ ସ୍ଥାନାନ୍ତରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି।