ଫୁଲବାଣୀ: ବାତ୍ୟା ଅର୍ଣ୍ଣବର ଘା ଏ ଯାଏ ଶୁଖିନି ପୁଣି ବାତ୍ୟା ମୁରାସୁକୁ ନେଇ ଆରମ୍ଭ ହୋଇ ଯାଇଛି ପ୍ରସ୍ତୁତି। ସମ୍ଭାବ୍ୟ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ଉଦ୍ଧାର ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାର ସମସ୍ତ ୧୨ଟି ବ୍ଲକ୍ ଏବଂ ପଞ୍ଚାୟତ ସ୍ତରରେ ବରିଷ୍ଠ ଅଧିକାରୀମାନଙ୍କୁ ମୁତୟନ କରାଯିବା ସହ ଜିଲ୍ଲା ନିୟନ୍ତ୍ରଣ କକ୍ଷକୁ ୨୪ ଘଣ୍ଟା ସକ୍ରିୟ ରଖାଯାଇଛି।

ବର୍ତ୍ତମାନ ସୁଦ୍ଧା ୧୮ଟି ଗ୍ରାମ ପଞ୍ଚାୟତର ୬୨ଟି ବିପଦପ୍ରବଣ ଅଞ୍ଚଳରୁ ୨,୩୯୪ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ୩୫ଟି ପକ୍କା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ଏହି ସ୍ଥାନାନ୍ତରିତ ଲୋକଙ୍କ ମଧ୍ୟରେ ୮୪୮ ଜଣ ପୁରୁଷ, ୧,୦୩୦ ଜଣ ମହିଳା, ୪୫୦ ଜଣ ଶିଶୁ ଏବଂ ୧୪୬ ଜଣ ଗର୍ଭବତୀ ମହିଳା ସାମିଲ ଅଛନ୍ତି।

Also Read: ମୃତ୍ୟୁ ଆସିବ ବୋଲି କହିଥିଲା ଯମ ! ରଡ଼ି ଛାଡ଼ି ଗାଁ ଲୋକଙ୍କୁ ଡ଼ାକିଲେ, ହେଲେ କେହି ଶୁଣିଲେନି !

ସମସ୍ତ କାର୍ଯ୍ୟକ୍ଷମ ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କ ପାଇଁ ମାଗଣା ରନ୍ଧା ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ଆବଶ୍ୟକୀୟ ଔଷଧ, ଶୌଚାଳୟ ଏବଂ ଜେନେରେଟର ମାଧ୍ୟମରେ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରାଯାଇଛି। ଏହା ସହିତ ଗ୍ରାମାଞ୍ଚଳରେ ମାଇକ୍ ଯୋଗେ ପ୍ରଚାର କରି ଲୋକଙ୍କୁ ସଚେତନ କରାଯାଉଛି।

ଜରୁରୀ ପରିସ୍ଥିତିର ମୋକାବିଲା ପାଇଁ ଜି. ଉଦୟଗିରି ଓ ରାଇକିଆରେ ୨ଟି NDRF ଟିମ୍ ଏବଂ ଜିଲ୍ଲାରେ ୧ଟି ODRAF ଟିମ୍ ମୁତୟନ ଅଛନ୍ତି। ସେହିପରି ଜି. ଉଦୟଗିରିରେ ୫ଟି ଓ ରାଇକିଆରେ ୨ଟି ସହିତ ସମଗ୍ର ଜିଲ୍ଲାରେ ମୋଟ ୯ଟି ଅଗ୍ନିଶମ ବାହିନୀ ଟିମ୍ ପ୍ରସ୍ତୁତ ରଖାଯାଇଛି।

Also Read: IMD ଡିଜି ଦେଲେ ବଡ଼ ସୂଚନା : ସୋମବାର ରାତିରୁ ମଙ୍ଗଳବାର ଭୋର ମଧ୍ୟରେ ଲ୍ୟାଣ୍ଡଫଲ୍, ଓଡ଼ିଶାରେ ୭୦ କି.ମି. ଝଟ୍‌କା ପବନ

ରାସ୍ତାଘାଟ ସଫା କରି ଯାତାୟାତ ସ୍ୱାଭାବିକ ରଖିବା ପାଇଁ ବିଭିନ୍ନ ବ୍ଲକ୍‌ରେ ୩୭ଟି ଜେସିବି (JCB) ମେସିନ୍ ନିୟୋଜିତ ହୋଇଛନ୍ତି। ସମସ୍ତ ବ୍ଲକ୍‌ରେ ପାଣି ଟ୍ୟାଙ୍କର, ଷ୍ଟାଣ୍ଡବାଇ ଜେନେରେଟର ଓ ଅତ୍ୟାବଶ୍ୟକ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ଆଜି ସକାଳ ୮ଟା ସୁଦ୍ଧା ଜିଲ୍ଲାରେ ହାରାହାରି ୭.୫୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ପବନର ବିଶେଷ ପ୍ରଭାବ ଦେଖିବାକୁ ମିଳିନାହିଁ।