ଭୁବନେଶ୍ୱର ୦୩।୧୧ : ବାତ୍ୟା ‘ମୁରାସୁ’କୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ବାତ୍ୟାର କୌଣସି ବିଶେଷ ପ୍ରଭାବ ପଡ଼ିନାହିଁ। ସ୍ଥିତି ସ୍ୱାଭାବିକ ରହିଥିବା ବେଳେ ଆଗାମୀ ପରିସ୍ଥିତି ଉପରେ ସରକାର ନଜର ରଖିଛନ୍ତି। ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ୬ଟି ଜିଲ୍ଲାରୁ ଏଯାଏଁ ୧ ଲକ୍ଷ ୬୫ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏହି ପ୍ରକ୍ରିୟା ଏବେ ମଧ୍ୟ ଜାରି ରହିଛି ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗଞ୍ଜାମ, ଗଜପତି, ମାଲକାନଗିରି, କନ୍ଧମାଳ, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବିପନ୍ନଙ୍କ ରହିବା ଓ ଖାଦ୍ୟପେୟ ବ୍ୟବସ୍ଥା ପାଇଁ ମୋଟ ୫୯୨ଟି ରିଲିଫ୍ ସେଣ୍ଟର କାର୍ଯ୍ୟକ୍ଷମ ରହିଛି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ୫୪ଟି ଓଡ୍ରାଫ୍ ଟିମ୍, ୯ଟି ଏନ୍ଡିଆର୍ଏଫ୍ ଟିମ୍ ଏବଂ ୧୦୦ରୁ ଅଧିକ ଅଗ୍ନିଶମ ଟିମ୍ ମୁତୟନ ହୋଇଛନ୍ତି। ବିଭିନ୍ନ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା ସହ ଆବଶ୍ୟକ ଅଧିକାରୀମାନଙ୍କୁ ମଧ୍ୟ ଦାୟିତ୍ୱରେ ରଖାଯାଇଛି।

Also Read:-ଆମ୍ବୁଲାନ୍ସ ମିଳିଲାନି, ବାଇକ୍‌ରେ ବୁହା ହେଲା ମୃତଦେହ ! ଆସ୍କାରେ ଅଭାବନୀୟ ଚିତ୍ର

ଅନ୍ୟପଟେ ପୂର୍ବ ବାତ୍ୟା ‘ଅର୍ଣ୍ଣବ’ରେ ହୋଇଥିବା କ୍ଷୟକ୍ଷତିର ମୁକାବିଲା ଓ ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି। ପୂର୍ବରୁ ଘୋଷଣା ହୋଇଥିବା ସହାୟତା ପ୍ୟାକେଜ୍ ଯେପରି ତୁରନ୍ତ ଲୋକଙ୍କ ପାଖରେ ପହଞ୍ଚିବ, ସେଥିପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଏଥିସହ ନଷ୍ଟ ହୋଇଥିବା ଭିତ୍ତିଭୂମିର ମରାମତି ଏବଂ କ୍ଷୟକ୍ଷତିର ଆକଳନ କାର୍ଯ୍ୟ ଚାଲିଛି।

ଏହି କାର୍ଯ୍ୟର ତଦାରଖ ପାଇଁ ୪ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଗଞ୍ଜାମ ଜିଲ୍ଲାରେ ଦୁଇ ଜଣ, ଗଜପତିରେ ଜଣେ ଏବଂ କନ୍ଧମାଳରେ ଜଣେ ଅଧିକାରୀଙ୍କୁ ଅତିରିକ୍ତ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କ୍ଷମତା ପ୍ରଦାନ କରାଯାଇଛି। ସେମାନେ ସହାୟତା ପ୍ୟାକେଜ୍ ବଣ୍ଟନ, ପୁନରୁଦ୍ଧାର କାର୍ଯ୍ୟ ଓ କ୍ଷୟକ୍ଷତି ଆକଳନର ସମୀକ୍ଷା କରିବା ସହ ସ୍ଥିତି ଅନୁଯାୟୀ ଆବଶ୍ୟକ ନିଷ୍ପତ୍ତି ନେଇପାରିବେ।

ସେହିପରି ବାତ୍ୟା ‘ଅର୍ଣ୍ଣବ’ରେ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ କେନ୍ଦ୍ରୀୟ ଟିମ୍ ଗଜପତିରେ ପହଞ୍ଚିଛନ୍ତି। ଆଜି ଗଜପତି ଜିଲ୍ଲାରେ କ୍ଷୟକ୍ଷତି ଅନୁଧ୍ୟାନ କରିବା ପରେ ଆସନ୍ତାକାଲି ଗଞ୍ଜାମ ଜିଲ୍ଲା ଗସ୍ତ କରିବେ। ଏହାପରେ ଟିମ୍ ଭୁବନେଶ୍ୱର ଫେରିବେ। କେନ୍ଦ୍ରୀୟ ଟିମ୍ର ପ୍ରାଥମିକ ଆକଳନ ରିପୋର୍ଟ ଆଧାରରେ ରାଜ୍ୟ ସରକାର କେନ୍ଦ୍ରକୁ କ୍ଷୟକ୍ଷତି ସମ୍ପର୍କିତ ରିପୋର୍ଟ ପଠାଇବେ ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ।