ଭୁବନେଶ୍ୱର : ଆଜିକାଲି କେଶ ଝଡ଼ିବା ସମସ୍ୟା ଅନେକଙ୍କୁ ଚିନ୍ତାରେ ପକାଉଛି। ପ୍ରତିଦିନର ଚାପଗ୍ରସ୍ତ ଜୀବନ ଓ ପ୍ରଦୂଷଣ ଯୋଗୁଁ ଅନେକ ହେୟାର ଫଲ ସମସ୍ୟା ଦେଖାଦେଇଥାଏ | ବୟସ ବଢ଼ିବା କିମ୍ବା କମ୍ ବୟସରେ, ଗଞ୍ଜାପଣ ବା ଅଧିକ ହେୟାର ଫଲ ସମସ୍ୟା ଏବେ ଅନେକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। କିନ୍ତୁ ଏହା ହଠାତ୍ ହୁଏ ନାହିଁ। ଏହା ପୂର୍ବରୁ କେଶରେ କିଛି ପରିବର୍ତ୍ତନ ଦେଖାଦେଇଥାଏ। ଯାହା ଆମକୁ ଅନେକ ଥର ସଙ୍କେତ ମଧ୍ୟ ଦେଇଥାଏ । ଯଦି ଆପଣ ଏହି ସଙ୍କେତଗୁଡ଼ିକୁ ଠିକ୍ ସମୟରେ ଚିହ୍ନିପାରିବେ, ତେବେ କେଶ ଝଡ଼ିବା ସମସ୍ୟାକୁ ରୋକାଯାଇପାରିବ । ଗଞ୍ଜାପଣ ବା ହେୟାର ଫଲ ଗୋଟିଏ ଦିନରେ ସୃଷ୍ଟି ହୋଇନଥାଏ । ଏହାର ପ୍ରାରମ୍ଭିକ ଲକ୍ଷଣ ଧୀରେ ଧୀରେ ଦେଖାଦିଏ। ଯାହାକୁ ଅଣଦେଖା କରିବା ଦ୍ୱାରା ପରେ ବଡ଼ ସମସ୍ୟା ପାଲଟିଥାଏ ।

ପ୍ରତିଦିନ କିଛି କେଶ ଝଡ଼ିବା ସ୍ୱାଭାବିକ ଅଟେ । କିନ୍ତୁ ମୁଣ୍ଡ କୁଣ୍ଡାଇବା, ଗାଧୋଇବା କିମ୍ବା କେଶରେ ହାତ ମାରିବା ସମୟରେ ଅଧିକ କେଶ ଉପୁଡ଼ିବା ଚିନ୍ତାର କାରଣ ହୋଇପାରେ। ପୂର୍ବ ଅପେକ୍ଷା କେଶର ଘନତା କମିଯିବା, ମୁଣ୍ଡର ତ୍ୱଚା ଅଧିକ ଦେଖାଯିବା ଏବଂ କେଶର ଭଲ୍ୟୁମ୍ କମିବା ମଧ୍ୟ ଗଞ୍ଜାପଣର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ। ବିଶେଷକରି ପୁରୁଷଙ୍କ କ୍ଷେତ୍ରରେ କପାଳର ଦୁଇ ପାର୍ଶ୍ୱରୁ କେଶ ଧୀରେ ଧୀରେ ପଛକୁ ଘୁଞ୍ଚିବା ଆରମ୍ଭ କରେ। ଏହାକୁ 'ମ୍ୟାଲ୍ ପ୍ୟାଟର୍ନ ବାଲ୍ଡନେସ୍'ର ଏକ ସାଧାରଣ ଲକ୍ଷଣ କୁହାଯାଏ । ମୁଣ୍ଡର ମଝି ଭାଗରେ କେଶ କମିବା। ମୁଣ୍ଡର ଉପର ଭାଗ ବା କ୍ରାଉନ୍ ଏରିଆରେ କେଶ ପତଳା ହେବା ମଧ୍ୟ ଗଞ୍ଜାପଣର ଆଉ ଏକ ସଙ୍କେତ।

ବିଶେଷଜ୍ଞଙ୍କ ଅନୁସାରେ, କେଶ ଝଡ଼ିବା ପଛରେ ଅନେକ କାରଣ ରହିଛି। ବଂଶଗତ କାରଣ, ହରମୋନ୍ର ପରିବର୍ତ୍ତନ, ଥାଇରଏଡ୍ ସମସ୍ୟା, ଶରୀରରେ ଆଇରନ୍ ଓ ପୋଷକତତ୍ତ୍ୱର ଅଭାବ, ମାନସିକ ଚାପ, ଅନିୟମିତ ଜୀବନଶୈଳୀ ଏବଂ କିଛି ଔଷଧର ପ୍ରଭାବ ଯୋଗୁଁ କେଶ ଝଡ଼ିପାରେ। କେଶ ଝଡ଼ିବାର କାରଣ ଅନୁସାରେ ଏହାର ଚିକିତ୍ସା କରାଯାଏ। ତେଣୁ ପ୍ରଥମେ ଚର୍ମ ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ। ଏଥିପାଇଁ ନିୟମିତ ଆପଣଙ୍କୁ ଭିତରୁ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପଡିବ । ନିୟମିତ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ। ପ୍ରୋଟିନ୍, ଆଇରନ୍ ଓ ଭିଟାମିନ୍ଯୁକ୍ତ ଖାଦ୍ୟକୁ ଡାଏଟ୍ରେ ସାମିଲ କରନ୍ତୁ। ଏହାଦ୍ୱାରା କେଶ ମଜବୁତ ହୋଇଥାଏ । ଚାପ କମାଇବା ସହ ପର୍ଯ୍ୟାପ୍ତ ଶୁଅନ୍ତୁ । କେଶରେ ଅତ୍ୟଧିକ କେମିକାଲ୍ ଓ ହିଟ୍ ଷ୍ଟାଇଲିଂର ବ୍ୟବହାର କମାନ୍ତୁ। ଡାକ୍ତରଙ୍କ ପରାମର୍ଶରେ ମିନୋକ୍ସିଡିଲ୍ ଭଳି ଔଷଧ ବ୍ୟବହାର କରାଯାଇପାରେ। କିଛି କ୍ଷେତ୍ରରେ ଅନ୍ୟ ଔଷଧ କିମ୍ବା ହେୟାର ଟ୍ରାନ୍ସପ୍ଲାଣ୍ଟ ମଧ୍ୟ ଚିକିତ୍ସାର ବିକଳ୍ପ ହୋଇପାରେ। ତେଣୁ କେଶ ଝଡ଼ିବାକୁ ସାଧାରଣ ସମସ୍ୟା ଭାବି ଅଣଦେଖା କରିବା ଆପଣକୁ ଭାରି ପଡିପାରେ । ତେଣୁ ପ୍ରାରମ୍ଭିକ ଲକ୍ଷଣକୁ ଚିହ୍ନି ଠିକ୍ ସମୟରେ ଚିକିତ୍ସା କଲେ ଅନେକ କ୍ଷେତ୍ରରେ କେଶ ଝଡ଼ିବାକୁ ରୋକଯାଇପାରିବ।