ଆସ୍କା ୦୩।୧୧ : ମିଳିଲାନି ଆମ୍ବୁଲାନ୍ସ, ଶେଷରେ ବାଇକରେ ବୁହା ହେଲା ମୃତଦେହ। ମାନବିକତାକୁ ଦୋହଲାଇ ଦେବା ଭଳି ଏକ ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଆସ୍କାରୁ ସାମ୍ନାକୁ ଆସିଛି। ଜଣେ ୨୩ ବର୍ଷୀୟ ଯୁବକଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହ ଘରକୁ ନେବା ପାଇଁ ଆମ୍ବୁଲାନ୍ସ ନମିଳିବାରୁ ପରିବାର ଲୋକ ଓ ସମ୍ପର୍କୀୟଙ୍କୁ ଶେଷରେ ବାଇକ୍ର ସାହାଯ୍ୟ ନେବାକୁ ପଡ଼ିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଓ ଉତ୍ତେଜନା ପ୍ରକାଶ ପାଇଛି।

ମୃତ ଯୁବକ ହେଉଛନ୍ତି ଆସ୍କା କଅମ୍ଭାର ସାହିର ୨୩ ବର୍ଷୀୟ ସଞ୍ଜୟ ବେହେରା। ସଞ୍ଜୟ ଋଷିକୂଲ୍ୟା ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତାବଶତଃ ପାଣିରେ ଭାସି ଯାଇଥିଲେ। ଘଟଣା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର ପାଇଁ ଉଦ୍ୟମ କରିବା ସହ ଓଡ୍ରାଫ୍ ଟିମ୍କୁ ଫୋନ୍ କରିଥିଲେ। ହେଲେ ଖବର ଦେବା ସତ୍ତ୍ୱେ ଉଦ୍ଧାର ପାଇଁ ଓଡ୍ରାଫ୍ ଟିମ୍ ପହଞ୍ଚି ନଥିଲା। ଏହାପରେ ସ୍ଥାନୀୟ ଲୋକେ ନିଜ ଉଦ୍ୟମରେ ସଞ୍ଜୟଙ୍କୁ ନଦୀରୁ ଉଦ୍ଧାର କରି ତୁରନ୍ତ ଆସ୍କା ମେଡିକାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ପରୀକ୍ଷା କରିବା ପରେ ସଞ୍ଜୟଙ୍କୁ ମୃତ ଘୋଷଣା କରିଥିଲେ।

Also Read:-ବାତ୍ୟା ‘ମୁରାସୁ’ର ପ୍ରଭାବ କେତେ? ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ତେବେ ଏକ ହସଖୁସିର ପରିବାରରେ ହଠାତ୍ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଥିଲା। ଯେଉଁ ବୟସରେ ଜୀବନର ଅନେକ ସ୍ୱପ୍ନ ଦେଖିବା କଥା, ସେହି ବୟସରେ ସଞ୍ଜୟଙ୍କ ଅକାଳ ମୃତ୍ୟୁ ପରିବାର ଓ ସାହିବାସୀଙ୍କୁ ଗଭୀର ଶୋକରେ ବୁଡ଼ାଇ ଦେଇଛି। କିନ୍ତୁ ଦୁଃଖର କଥା, ମୃତ୍ୟୁ ପରେ ମଧ୍ୟ ସଞ୍ଜୟଙ୍କ ପରିବାରକୁ ଆଉ ଏକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା। ମୃତଦେହକୁ ମେଡିକାଲରୁ ଘରକୁ ନେବା ପାଇଁ ଆମ୍ବୁଲାନ୍ସ ମିଳିନଥିଲା। ଫଳରେ ଅନ୍ୟ କୌଣସି ବ୍ୟବସ୍ଥା ନପାଇ ମୃତଦେହକୁ ବାଇକ୍ରେ ନେବାକୁ ପଡ଼ିଥିଲା। ଏହି ଦୃଶ୍ୟ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା।

ଘଟଣାର ପ୍ରତିବାଦରେ ସ୍ଥାନୀୟ ଲୋକେ ବିନାୟକ ବଜାର ଉପରେ ମୃତଦେହ ରଖି ଧାରଣା ଦେଇଥିଲେ। ଆମ୍ବୁଲାନ୍ସ ଭଳି ମୌଳିକ ସ୍ୱାସ୍ଥ୍ୟସେବା ଉପଲବ୍ଧ ଥିବା ସତ୍ତ୍ୱେ ମୃତଦେହ ନେବାକୁ ଗାଡ଼ି ନମିଳିବା ଘଟଣାକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପଟେ ଉଦ୍ଧାରକାରୀ ଦଳକୁ ଫୋନ୍ କରିବା ପରେ ମଧ୍ୟ ସମୟରେ ସହାୟତା ମିଳିନଥିବା ଅଭିଯୋଗ ମଧ୍ୟ ଘଟଣାକୁ ଅଧିକ ଗମ୍ଭୀର କରିଛି।

ତେବେ ଏହି ଘଟଣାରେ ଆମ୍ବୁଲାନ୍ସ କାହିଁକି ମିଳିଲା ନାହିଁ ? ଓଡ୍ରାଫ୍ ଟିମ୍କୁ ଫୋନ୍ କରିବା ପରେ ମଧ୍ୟ ଉଦ୍ଧାରକାରୀ ଦଳ କାହିଁକି ପହଞ୍ଚିଲା ନାହିଁ? ଏଥିପାଇଁ କିଏ ଦାୟୀ? ଏଭଳି ଅନେକ ପ୍ରଶ୍ନ ଏବେ ଉଠିଛି। ଘଟଣାର ଉଚିତ ତଦନ୍ତ ସହ ଦାୟିତ୍ୱରେ ଅବହେଳା ହୋଇଥିଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଲୋକେ।