ମାଲକାନଗିରି, ୨୫/୦୮ : ଘାଟି ରାସ୍ତାରେ ବୁଲୁଛି କୁମ୍ଭୀର । ଭୟରେ ଲୋକେ । ବାଇକ୍ ଚାଳକମାନେ ରାତିରେ ଯିବାକୁ ଡରିଲେଣି । ଆଖପାଖର ଗାଁ ଲୋକଙ୍କ ମନରେ ଛନକା । କିଛି ଏମିତି ଘଟଣା ସାମ୍ନାକୁ ଆସିଛି ମାଲକାନଗିରିର ଚିତ୍ରକୋଣ୍ଡା ଘାଟିରେ ।

ରିପୋର୍ଟ ଅନୁସାରେ, ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଘାଟି ରାସ୍ତାରେ କୁମ୍ଭୀର ଆତଙ୍କ ଦେଖାଦେଇଛି । ପ୍ରାୟ ୫ ଫୁଟ ଲମ୍ବର ଏକ କୁମ୍ଭୀର ବାଲିମେଳା-ଚିତ୍ରକୋଣ୍ଡା ଘାଟି ରାସ୍ତାର ନୂଆଗୁଡ଼ା ଗାଁ ନିକଟରେ ବୁଲୁଥିବା ବେଳେ ଜଣେ ଆମ୍ବୁଲାନ୍ସ ଡ୍ରାଇଭର ଏହାକୁ ଦେଖି ଗାଡ଼ି ଅଟକାଇଥିଲେ । ରାତିରେ ଆମ୍ବୁଲାନ୍ସଟି ବାଲିମେଳାରୁ ରୋଗୀକୁ ନେଇ ଚିତ୍ରକୋଣ୍ଡା ଛାଡି ଫେରୁଥିବା ସମୟରେ ଘାଟି ରାସ୍ତାରେ ହଠାତ୍ ତାଙ୍କ ନଜର ପଡ଼ିଥିଲା କୁମ୍ଭୀର ଉପରେ ।

Also Read :- ଡଙ୍ଗାରେ ହେଉଥିଲେ ନଦୀ ପାର୍, ଟାଣି ନେଲା କୁମ୍ଭୀର

ସେ ତୁରନ୍ତ ଗାଡ଼ି ଅଟକାଇ କୁମ୍ଭୀରଟିର ଭିଡିଓ ଉଠାଇଥିଲେ । ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଅଞ୍ଚଳବାସୀ ଓ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ବିଶେଷ କରି ରାତିରେ ଏହି ଘାଟି ଦେଇ ଯାତାୟାତ କରୁଥିବା ବାଇକ୍ ଚାଳକ ମାନେ ଭୟରେ ରହିଛନ୍ତି । ଘଟଣା ସମ୍ପର୍କରେ ବନ ବିଭାଗ ଖବର ପାଇବା ପରେ କୁମ୍ଭୀରକୁ ଆହତ ଅବସ୍ଥାରେ ଉଦ୍ଧାର କରି ମେଡିକାଲ ଚିକିତ୍ସା କରିଛନ୍ତି ।