ଭୁବନେଶ୍ୱର ୧୩ ।୦୫ : GRP କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ୩ ଦିନ ତଦନ୍ତରେ କ୍ରାଇମବ୍ରାଞ୍ଚ କମିଶନରେଟ୍ ପୁଲିସ୍ ଭୁବନେଶ୍ୱର ୟୁପିଡିର ମାଳ ମାଳ ତ୍ରୁଟି ଧରିଛି। ସାମାନ୍ୟ ନୁହେଁ ଜଘନ୍ୟ ତ୍ରୁଟି ଦେଖି କ୍ରାଇମବ୍ରାଞ୍ଚ ଟିମ୍ ଜଳକା ହୋଇଛି। ଭାଇ ବିରାଦରି ପାଇଁ କ୍ରାଇମବ୍ରାଞ୍ଚ ଟିମ୍ ଭୁବନେଶ୍ୱର ପୋଲିସର ସବୁ ଭୁଲକୁ ଲୋକଲୋଚନକୁ ଆଣିବାକୁ ପଛଘୁଞ୍ଚା ଦେଉଛି । କମିଶନରେଟ୍ ପୁଲିସର ଭିତ୍ତିଭୂମିରେ ରହିଥିବା ତ୍ରୁଟି ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ଝୁଣ୍ଟୁଛି ବୋଲି ଜଣେ ଅଧିକାରୀ ମତ ଦେଇଛନ୍ତି।

ତଦନ୍ତ ଯେମିତି ଆଗକୁ ବଢ଼ୁଛି, କମିଶନରେଟ୍ ପୋଲିସର ଗୋଟିଏ ପରେ ଗୋଟିଏ ଭୁଲ୍ ପଦାକୁ ଆସୁଛି । ଯଦିଓ କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଅଧିକାରୀ ମୁହଁ ଖୋଲୁନାହାନ୍ତି, ହେଲେ ସେମାନଙ୍କ ଅସନ୍ତୋଷରୁ ଏସବୁ ସ୍ପଷ୍ଟ ହୋଇଯାଇଛି । ଘଟଣାସ୍ଥଳରେ ଥିବା ଭିଡ଼କୁ ଦେଖି ଉପସ୍ଥିତ ପୁଲିସ୍ ପିସିଆର କର୍ମଚାରୀମାନେ କଣ୍ଟ୍ରୋଲ୍ ରୁମକୁ ଖବର ଦେଇ ନଥିଲେ। ସ୍ଥିତି ଅଣାୟତ୍ତ ହେବା ଦେଖି ମଧ୍ୟ ପଡ଼ୋଶୀ ଥାନାକୁ ଜଣାଇ ନଥିଲେ । ୧୦୮ ଆମ୍ବୁଲାନ୍ସକୁ ଜଣାଇ ନଥିଲେ । ଥାନାର ଅନ୍ୟ କର୍ମଚାରୀ ଘଟଣାସ୍ଥଳକୁ ଯାଇ ନଥିଲେ । ଆଇଆଇସି, ଏସିପି, ଡିସିପି ସାଢ଼େ ୩ ଘଣ୍ଟା ପରେ ଖବର ପାଇଥିଲେ । ତଥାପି ଘଟଣାସ୍ଥଳକୁ ଆସି ନଥିଲେ । କମିଶନରେଟ୍ ପୁଲିସର ଏମିତି ଅନେକ ତ୍ରୁଟି କ୍ରାଇମବ୍ରାଞ୍ଚ ଟିମ୍ ବାହାର କରିଛି। ପୁଲିସର ଭୁଲ୍ ବିଷୟରେ ଜାଣାପଡ଼ିବା ପରେ ନିଲମ୍ବିତ ଓ ବଦଳି ହୋଇଥିବା ପୁଲିସ୍ ଅଧିକାରୀଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ପଚରାଉଚରା କରୁଛି। ସବୁଠାରୁ ବଡ଼ କଥା ହେଲା ସୌମ୍ୟଙ୍କ ମୃତ୍ୟୁ ପରେ ବାଲିଅନ୍ତା ଥାନା ପୁଲିସ ସାଇଣ୍ଟିଫିକ୍ ଟିମକୁ ଖବର ଦେଇ ନଥିଲା କି ଘଟଣାସ୍ଥଳରୁ କୌଣସି ତଥ୍ୟ ପ୍ରମାଣ ସଂଗ୍ରହ କରି ନଥିଲା । ଅପରାଧ ସ୍ଥଳକୁ ସାଧାରଣ ଲୋକମାନେ ପର୍ଯ୍ୟଟନ ସ୍ଥଳ ଭାବି ଦେଇଥିଲେ । କ୍ରାଇମବ୍ରାଞ୍ଚ ମାମଲା ନେଲା ପରେ ସାଇଣ୍ଟିଫିକ୍ ଟିମକୁ ନେଇ ଘଟଣାସ୍ଥଳକୁ ଯାଇଛି। ଏତେ ଦିନ ପରେ ସେଠାରୁ କି ପ୍ରମାଣ ପାଇବ ତାକୁ ନେଇ ଅନେକ ପ୍ରଶ୍ନ ଆଗକୁ ଆସୁଛି । ଏହାରି ଭିତରେ କ୍ରାଇମବ୍ରାଞ୍ଚ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଯୁଧିଷ୍ଠିର ଜେନା ଓରଫ ବଣ୍ଟି(୨୩) । ଭାଇରାଲ୍ ଫୁଟେଜରୁ କ୍ରାଇମବ୍ରାଞ୍ଚ ତାକୁ ଗିରଫ କରିଛି ।

Also Read:-Gold Silver Import Duty Hike India: ସୁନା-ରୁପା ପ୍ରେମୀଙ୍କୁ ଶକ୍ତ ଝଟକା, ଆମଦାନୀ ଶୁଳ୍କ ୧୫%କୁ ବୃଦ୍ଧି କଲେ ସରକାର, ବଢ଼ିବ ଦର

ବର୍ଷେ କି ଦୁଇ ବର୍ଷ ନୁହେଁ । ପାଖାପାଖି ୧୨ ବର୍ଷ ହେବ ମଡର୍ଣ୍ଣ କଣ୍ଟ୍ରୋଲ ରୁମର ଇନଚାର୍ଜ ଅଛନ୍ତି ଆର୍ମ ଡିସିପି ବାନାମ୍ବର ସେଠୀ । ତାଙ୍କର ଆଇନଶୃଙ୍ଖଳା ଉପରେ ହୁଏତ ଅଧିକ ଜ୍ଞାନ ରହିବା କଥା। ହେଲେ ସୌମ୍ୟ ହତ୍ୟା ଘଟଣା ବିଷୟରେ ସେ କିଛି ଜାଣି ପାରିଲେ ନାହିଁ କି ପୁଲିସ୍ କମିଶନର ଏସ୍ ଦେବଦତ୍ତ ସିଂଙ୍କୁ ଜଣାଇଲେ ନାହିଁ । କମିଶନରେଟ୍ ପୁଲିସ୍ ଆଖି କାନ ହେଉଛି ମଡର୍ଣ୍ଣ କଣ୍ଟ୍ରୋଲରୁମ୍ । ପିସିଆର ଭ୍ୟାନ୍ ପୂର୍ବାହ୍ନ ୧୧ଟା ୧୬ ମିନିଟ୍ରେ ପହଞ୍ଚିଥିଲା । ଶ୍ରୀ ସେଠୀ ସାଢ଼େ ୨ଟା ବେଳେ ଏହା ଜାଣିଥିଲେ । ଏ ବିଷୟରେ ଜାଣିବା ପରେ ମଧ୍ୟ ସେ ପୁଲିସ୍ କମିଶନରଙ୍କୁ ଜଣାଇ ନଥିଲେ । ପୁଲିସ୍ କମିଶନର ଶ୍ରୀ ସିଂ କଣ୍ଟ୍ରୋଲ୍ ରୁମ୍ ଇନ୍ ଚାର୍ଜ ଶ୍ରୀ ସେଠୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ।

ଯେଉଁମାନେ ସୌମ୍ୟଙ୍କୁ ପିଟି ପିଟି ହତ୍ୟା କରିଥିଲେ ସେମାନେ ଫେରାର । ଅଳ୍ପ କିଛି ଅଭିଯୁକ୍ତ ଦେଖଣାହାରୀ ଓ ଭିଡିଓ କରୁଥିବା ବ୍ୟକ୍ତି ଗିରଫ ହୋଇଛନ୍ତି । ଅନ୍ୟମାନଙ୍କୁ କ୍ରାଇମବ୍ରାଞ୍ଚ ଭାଇରାଲ୍ ଭିଡିଓ ଏବଂ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଅଣ୍ଡାଳୁଛି । ଏଥିରୁ ଜଣାପଡ଼ିଛି ଘଟଣାସ୍ଥଳରେ ଥିବା ପିସିଆର ଭ୍ୟାନରେ କ୍ୟାମେରା ନାହିଁ । କମିଶନରେଟ୍ ପୁଲିସର ପ୍ରତ୍ୟେକ ଥାନାକୁ ୨/୩ଟି ଲେଖାଏଁ ପିସିଆର ଭ୍ୟାନ୍ ଦିଆଯାଇଛି । ସବୁ ଭ୍ୟାନରେ ଜିପିଆରଏସ୍ ଓ ସିସି କ୍ୟାମେରା ଲାଗିଛି ବୋଲି କମିଶନରେଟ୍ ପୁଲିସ୍ ବରିଷ୍ଠ ଅଧିକାରୀ କହିଥିଲେ । ଯଦି କ୍ୟାମେରା ଥିଲା ତା’ହେଲେ ଆରମ୍ଭରୁ ଶେଷ ପିସିଆର ଭ୍ୟାନର ଫୁଟେଜ୍ ଯାଞ୍ଚ କରି ସବୁ ଅଭିଯୁକ୍ତଙ୍କ ଚେହେରା ପଦାକୁ ଆସିଥାନ୍ତା । କମିଶନରେଟ୍ ପୁଲିସର ଭିତ୍ତିଭୂମି ଅସଜଡ଼ା ବୋଲି କ୍ରାଇମବ୍ରାଞ୍ଚ ମଧ୍ୟ ତଦନ୍ତ ବେଳେ ବାରମ୍ବାର ଝୁଣ୍ଟୁଛି ।