ନୂଆଦିଲ୍ଲୀ: ସୁନା ଓ ରୁପା କିଣିବା ଏବେ ଆହୁରି ମହଙ୍ଗା ହେବାକୁ ଯାଉଛି। ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ଉପରୁ ଚାପ କମାଇବା ଏବଂ ବିଦେଶରୁ ମୂଲ୍ୟବାନ ଧାତୁର ଆମଦାନୀ ଉପରେ ରୋକ୍ ଲଗାଇବା ପାଇଁ ଭାରତ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସୁନା ଓ ରୁପା ଉପରେ ଆମଦାନୀ ଶୁଳ୍କ (Import Duty) କୁ ୬ ପ୍ରତିଶତରୁ ବଢ଼ାଇ ୧୫ ପ୍ରତିଶତ କରି ଦିଆଯାଇଛି।

କାହିଁକି ବଢ଼ିଲା ଶୁଳ୍କ?

ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ସୁନା ବ୍ୟବହାରକାରୀ ଦେଶ। ରଏଟର୍ସର ରିପୋର୍ଟ ଅନୁଯାୟୀ, ସରକାର ସୁନା ଓ ରୁପା ଆମଦାନୀ ଉପରେ ୧୦ ପ୍ରତିଶତ ମୂଳ ସୀମା ଶୁଳ୍କ (Basic Customs Duty) ଏବଂ ୫ ପ୍ରତିଶତ କୃଷି ଭିତ୍ତିଭୂମି ଓ ବିକାଶ ସେସ୍ (AIDC) ଲଗାଇଛନ୍ତି। ଫଳରେ ମୋଟ ଆମଦାନୀ ଶୁଳ୍କ ୧୫ ପ୍ରତିଶତରେ ପହଞ୍ଚିଛି। ଚାଲୁଖାତା ନିଅଣ୍ଟ (CAD) କୁ ନିୟନ୍ତ୍ରଣ କରିବା ଏବଂ ଟଙ୍କାର ମୂଲ୍ୟକୁ ସ୍ଥିର ରଖିବା ପାଇଁ ସରକାର ଏହି ପଦକ୍ଷେପ ନେଇଥିବା କୁହାଯାଉଛି।

ସୁନା ନକିଣିବାକୁ ପ୍ରଧାନମନ୍ତ୍ରୀଙ୍କ ଅପିଲ୍

ପଶ୍ଚିମ ଏସିଆରେ ଲାଗି ରହିଥିବା ଉତ୍ତେଜନା ଏବଂ ବିଶ୍ୱସ୍ତରୀୟ ଆର୍ଥିକ ସଙ୍କଟକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଏକ ବିଶେଷ ନିବେଦନ କରିଛନ୍ତି। ଅନ୍ତତଃ ପକ୍ଷେ ବର୍ଷେ ପର୍ଯ୍ୟନ୍ତ ସୁନା କିଣିବାରୁ ବିରତ ରହିବାକୁ ସେ ଆହ୍ୱାନ ଦେଇଛନ୍ତି, ଯାହା ଦ୍ୱାରା ଦେଶର ଅର୍ଥନୀତି ଉପରେ ଚାପ କମ୍ ରହିବ। ଭାରତ ନିଜର ଆବଶ୍ୟକ ସୁନାର ପ୍ରାୟ ସମ୍ପୂର୍ଣ୍ଣ ଅଂଶ ଆମଦାନୀ ମାଧ୍ୟମରେ ପୂରଣ କରିଥାଏ।

ତସ୍କରୀ ବଢ଼ିବା ନେଇ ଆଶଙ୍କା

ଆମଦାନୀ ଶୁଳ୍କ ବୃଦ୍ଧି ପରେ ବଜାର ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ଶୁଳ୍କ ଅଧିକ ହେବା ଫଳରେ ବେଆଇନ ଭାବେ ସୁନା ଚୋରା ଚାଲାଣ ବା ତସ୍କରୀ ବଢ଼ିବାର ଆଶଙ୍କା ରହିଛି। ମୁମ୍ବାଇର ଜଣେ ବୁଲିଅନ୍ ଡିଲରଙ୍କ କହିବା ଅନୁଯାୟୀ, ଅଧିକ ଶୁଳ୍କ କାରଣରୁ ତସ୍କରମାନେ ବେଆଇନ ଭାବେ ସୁନା ଆଣି ମୋଟା ଅଙ୍କର ମୁନାଫା କମାଇବାକୁ ଚେଷ୍ଟା କରିପାରନ୍ତି।

ଆମଦାନୀ ଉପରେ ପ୍ରଭାବ

ଗତ କିଛି ସପ୍ତାହ ଧରି ସରକାର ସୁନା ଆମଦାନୀ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରୁଛନ୍ତି। ପୂର୍ବରୁ ଆମଦାନୀ ଉପରେ ୩ ପ୍ରତିଶତ GST ଲାଗୁ କରାଯାଇଥିଲା। ଏପ୍ରିଲ ମାସରେ ସୁନା ଆମଦାନୀ ପ୍ରାୟ ୩୦ ବର୍ଷର ସର୍ବନିମ୍ନ ସ୍ତରକୁ ଖସି ଆସିଥିଲା। ଏବେ ଶୁଳ୍କ ୧୫ ପ୍ରତିଶତ ହେବା ପରେ ଆମଦାନୀ ଆହୁରି ହ୍ରାସ ପାଇବା ସହ ଘରୋଇ ବଜାରରେ ସୁନା ଓ ରୁପା ଗହଣାର ଦାମ ବଢ଼ିବା ନିଶ୍ଚିତ ହୋଇଯାଇଛି।