ଭୁବନେଶ୍ୱର : ମଣିଷ ଶରୀରରେ ଆଖି ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଆଖି କେବଳ ଆମକୁ ଦୁନିଆ ଦେଖାଏ ନାହିଁ, ବରଂ ଆମ ଶରୀରର ସ୍ୱାସ୍ଥ୍ୟ ସମ୍ପର୍କରେ ମଧ୍ୟ ଅନେକ ସଙ୍କେତ ଦେଇଥାଏ । ଆଖିରେ ହଠାତ୍ କିଛି ପରିବର୍ତ୍ତନ ଦେଖାଦେଲେ ତାହାକୁ ସାଧାରଣ କଥା ଭାବି ଅଣଦେଖା କରନ୍ତୁ ନାହିଁ। କାରଣ ଏହା କେତେକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର ଲକ୍ଷଣ ମଧ୍ୟ ହୋଇଥାଇପାରେ । ତେବେ ଆସନ୍ତୁ ଜାଣିବା ଆଖିରେ ଦେଉଥିବା ୫ଟି ସ୍ୱାସ୍ଥ୍ୟ ସଙ୍କେତ ବିଷୟରେ।

1) ହଠାତ୍ ଆଖି ଧୂସର ଦେଖାଯିବା -ଯଦି ଆପଣଙ୍କ ଆଖିକୁ ହଠାତ୍ ଜିନିଷ ଧୂସର ଦେଖାଯାଉଛି କିମ୍ବା ଦୃଷ୍ଟିଶକ୍ତି କମିଯାଉଛି, ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ । ଏହା ରେଟିନା ସମସ୍ୟା, ଆଖିର ରକ୍ତନଳୀରେ ଅବରୋଧ କିମ୍ବା ଅନ୍ୟ ଗୁରୁତର ସମସ୍ୟାର ସଙ୍କେତ ହୋଇପାରେ। ହଠାତ୍ ଦୃଷ୍ଟି କମିଗଲେ ତୁରନ୍ତ ଚିକିତ୍ସା କରନ୍ତୁ ।

2) ଆଖି ଆଗରେ କଳା ଦାଗ ବା ଆଲୋକ ଝଲସିବା -

ଆଖି ଆଗରେ ଛୋଟ ଛୋଟ କଳା ଦାଗ, ସୂତା ଭଳି ଆକୃତି କିମ୍ବା ଆଲୋକ ଝଲକିବାକୁ ଫ୍ଲୋଟର୍ସ ଏବଂ ଫ୍ଲାସେସ୍ କୁହାଯାଏ । ଯଦି ହଠାତ୍ ଏହାର ସଂଖ୍ୟା ବଢ଼ିଯାଏ, ଆଲୋକ ଝଲକେ କିମ୍ବା ଆଖି ଆଗରେ ପରଦା ଭଳି ଦେଖାଯାଏ, ତେବେ ଏହା ରେଟିନା ଛିଣ୍ଡିବା ବା ଅଲଗା ହେବାର ସଙ୍କେତ ହୋଇପାରେ। ଏଭଳି ସ୍ଥିତିରେ ତୁରନ୍ତ ଆଖି ଡାକ୍ତରଙ୍କୁ ଦେଖାନ୍ତୁ ।

3) ଆଖି ଓ ଚର୍ମ ହଳଦିଆ ପଡ଼ିବା -

ଆପଣଙ୍କ ଆଖିର ଧଳା ଅଂଶ ଯଦି ହଳଦିଆ ଦେଖାଯାଉଛି, ତେବେ ଏହା ଜଣ୍ଡିସ୍ର ଲକ୍ଷଣ ହୋଇଥାଇପାରେ । ଶରୀରରେ ବିଲିରୁବିନ୍ର ମାତ୍ରା ବଢ଼ିଲେ ଏପରି ଲକ୍ଷଣ ଦେଖାଯାଇଥାଏ । ଏହା ଲିଭର୍, ପିତ୍ତଥଳୀ କିମ୍ବା ରକ୍ତ ସମ୍ବନ୍ଧୀୟ ସମସ୍ୟାର ସଙ୍କେତ ହୋଇପାରେ। ତେଣୁ ଏହାକୁ ହାଲୁକା ଭାବେ ନେବା ଆଗକୁ ବଡ ସମସ୍ୟା ହୋଇପାରେ ।

4) ଆଖି ଲାଲ୍ ପଡିବା ଓ ଯନ୍ତ୍ରଣା ହେବା-
ଆଖି ଲାଲ୍ ହେବା ସାଧାରଣତଃ ଆଲର୍ଜି ଯୋଗୁଁ ହୋଇପାରେ । କିନ୍ତୁ ଯଦି ଆଖି ହଠାତ୍ ଲାଲ୍ ହେବା ସହ ଭୀଷଣ ଯନ୍ତ୍ରଣା, ମୁଣ୍ଡବିନ୍ଧା, ବାନ୍ତି ଲାଗିବା କିମ୍ବା ଧୂସର ଦେଖାଯିବା ଭଳି ଲକ୍ଷଣ ହୋଇଥାଏ, ତେବେ ଏହା ଆଖିର ଚାପ ବଢ଼ିବାର ସଙ୍କେତ ହୋଇପାରେ । ଏଭଳି ସ୍ଥିତିରେ ଜରୁରୀ ଚିକିତ୍ସା ଆବଶ୍ୟକ ।

5) ଆଖିକୁ ଦୁଇଟି ଜିନିଷ ଦେଖାଯିବା-
ଯଦି ହଠାତ୍ ଆଖିକୁ ଗୋଟିଏ ଜିନିଷ ଦୁଇଟି ଦେଖାଯାଏ, ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ। କେତେକ ସ୍ଥିତିରେ ଏହା ସ୍ନାୟୁଗତ ସମସ୍ୟା କିମ୍ବା ଷ୍ଟ୍ରୋକ୍ର ଲକ୍ଷଣ ହୋଇପାରେ। ଯଦି ଏହା ସହ ମୁହଁ ଗୋଟିଏ ପଟକୁ ବଙ୍କା ହେବା, ହାତ କିମ୍ବା ଗୋଡ଼ ଦୁର୍ବଳ ହେବା ଓ କଥା କହିବାରେ ସମସ୍ୟା ହୁଏ, ତେବେ ତୁରନ୍ତ ଚିକିତ୍ସା ନିଅନ୍ତୁ। ତେଣୁ ଆଖିରେ ଦେଖାଯାଉଥିବା ଏହିସବୁ ସଙ୍କେତକୁ କେବେ ବି ଅଣଦେଖା କରନ୍ତୁ ନାହିଁ। ବିଶେଷ କରି ହଠାତ୍ ଦୃଷ୍ଟିଶକ୍ତି କମିଯିବା, ଆଖି ଆଗରେ ପରଦା ଭଳି ଦେଖାଯିବା କିମ୍ବା ଭୀଷଣ ଯନ୍ତ୍ରଣା ହେଲେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ ଏବଂ ଜରୁରୀ ଚିକିତ୍ସା କରାନ୍ତୁ । ତେଣୁ ସମୟ ପୂର୍ବରୁ ସତର୍କ ରହିଲେ ନିଜ ଦୃଷ୍ଟିଶକ୍ତିକୁ ସୁରକ୍ଷିତ ରଖିପାରିବେ ।