ନୂଆଦିଲ୍ଲୀ, ୧୧।୦୮:ଭାରତୀୟ କ୍ରିକେଟର ରୋହିତ ଶର୍ମା । ଏବେ ପଡିଆରୁ ବାହାରି ଖୁବ୍ଶୀଘ୍ର ଟେଲିଭିଜନ୍ ଦୁନିଆରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଟେଷ୍ଟ ଏବଂ ଟି-୨୦ କ୍ରିକେଟରୁ ଅବସର ନେବା ପରେ ରୋହିତ ଏବେ ମନୋରଞ୍ଜନ ଜଗତରେ ନୂଆ ଇନିଂସ ଆରମ୍ଭ କରିବେ। ତାଙ୍କ ନିଜସ୍ୱ ଏହି ଶୋ’ର ନାଁ ରହିଛି ‘ଦ ରୋହିତ ଶର୍ମା ଶୋ’। ଏହାକୁ ତାଙ୍କର ‘ସବୁଠାରୁ ବଡ଼ ମନୋରଞ୍ଜନ ଡେବ୍ୟୁ’ ବୋଲି କୁହାଯାଉଛି।

ସୋନି ଟିଭି ନେଟୱାର୍କ ପକ୍ଷରୁ ‘ଦ ରୋହିତ ଶର୍ମା ଶୋ’ର ଏକ ନୂଆ ଟିଜର୍ ରିଲିଜ୍ କରାଯାଇଛି। ଏହି ଶୋ’କୁ ନେଇ ଦର୍ଶକଙ୍କ ମଧ୍ୟରେ ଅନେକ ଉତ୍କଣ୍ଠା ବଢ଼ିଛି। ଗତ ମେ’ ମାସରେ ରିଲିଜ୍ ହୋଇଥିବା ଏକ ପ୍ରୋମୋରେ ରୋହିତଙ୍କ ପ୍ରସିଦ୍ଧ ‘ଗାର୍ଡେନ୍ ମେଁ ଘୁମନେ’ ଡାଏଲଗକୁ ନେଇ ମଜାଦାର ଝଲକ ଦେଖିବାକୁ ମିଳିଥିଲା। ଏବେ ନୂଆ ଟିଜର୍ରେ ରୋହିତ କ୍ୟାମେରାମ୍ୟାନ୍ ଏବଂ ଅନ୍ୟ କ୍ରୁ ସଦସ୍ୟଙ୍କୁ ପରାମର୍ଶ ଦେଉଥିବା ନଜର ଆସିଛନ୍ତି। ମେ’ ମାସରେ ପ୍ରଥମ ପ୍ରୋମୋ ରିଲିଜ୍ ସମୟରେ ରୋହିତ ମଜାଳିଆ ଢଙ୍ଗରେ କହିଥିଲେ, “ମୁଁ ଦୁଇ ଲାଇନ୍ କଣ କହିଦେଲି, ଏତେ ଭାଇରାଲ୍ ହୋଇଗଲା। ଯେତେବେଳେ ପୂରା ଶୋ’ ଆସିବ, କ’ଣ ହେବ?” ଏହି କମେଣ୍ଟ ମଧ୍ୟ ପ୍ରଶଂସକଙ୍କ ମଧ୍ୟରେ ବେଶ୍ ଚର୍ଚ୍ଚାରେ ରହିଥିଲା।

’ଣ ରହିବ ‘ଦ ରୋହିତ ଶର୍ମା ଶୋ’ରେ?

ଶୋ’ ସମ୍ପର୍କରେ ଏପର୍ଯ୍ୟନ୍ତ ଅଧିକାଂଶ କିଛି ପ୍ରକାଶ କରାଯାଇନି ରୋହିତ ଶର୍ମା ନିଜେ ଏହି ଶୋ’ର ହୋଷ୍ଟ କିମ୍ବା ଆଙ୍କର୍ ଭୂମିକାରେ ନଜର ଆସିବେ ବୋଲି ଜଣାପଡ଼ିଛି। ସୋନି ପିକଚର୍ସ ନେଟୱାର୍କସ୍ ଇଣ୍ଡିଆର ସିଇଓ ଗୌରବ ବାନାର୍ଜୀ ମଧ୍ୟ ରୋହିତ ନିଜେ ଶୋ’ଟି ହୋଷ୍ଟ କରିବେ ବୋଲି ନିଶ୍ଚିତ କରିଛନ୍ତି। ଶୋ’ରେ କମେଡି ସହ ମନୋରଞ୍ଜନର ବିଭିନ୍ନ କଣ୍ଟେଣ୍ଟ ରହିପାରେ ବୋଲି ଅନୁମାନ କରାଯାଉଛି।

ଏବେ କେବଳODI ଖେଳୁଛନ୍ତି

ରୋହିତ ଶର୍ମା ୨୦୨୪ ଟି-୨୦ ବିଶ୍ୱକପ୍ ପରେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ଏହାପରେ ୨୦୨୫ ମେ’ ମାସରେ ସେ ଟେଷ୍ଟ କ୍ରିକେଟକୁ ମଧ୍ୟ ବିଦାୟ ଦେଇଥିଲେ। ବର୍ତ୍ତମାନ ସେ କେବଳ ଏକଦିବସୀୟ କ୍ରିକେଟ୍ ଖେଳୁଛନ୍ତି।ମଇଦାନରେ ବିଶାଳ ଛକା ମାରିବା ପରେ ଏବେ ଟିଭି ପରଦାରେ ରୋହିତ ଶର୍ମାଙ୍କ ଏହି ନୂଆ କମେଡି ଓ ମନୋରଞ୍ଜନ ଇନିଂସ କେତେ ସଫଳ ହେଉଛି, ତାହା ଦେଖିବାକୁ ବାକି ରହିଲା।