ନୂଆଦିଲ୍ଲୀ, ୨୩।୧୧ : ରବିବାର ଏସିସି ମେନ୍ସ୍ ଏସିଆ କପ୍ ରାଇଜିଂ ଷ୍ଟାର୍ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ଭାରତ ଏବଂ ପାକିସ୍ତାନ । ମ୍ୟାଚ୍ ସମୟରେ ଷ୍ଟାଡିୟମର ମାହୋଲ ପୂରା ଗରମ ରହିଥିଲା । ଆକ୍ଷେପ ପ୍ରତିଆକ୍ଷେପ କରୁଥିଲେ ଉଭୟ ଦଳର ଖେଳାଳି । ପ୍ରଥମ ପାଳିରେ ପାକିସ୍ତାନୀ ବ୍ୟାଟରଙ୍କ ସହ ବାକ୍ ଯୁଦ୍ଧ ଲାଗିଥିଲେ ହର୍ଷିତ ରାଣା । ଅନ୍ୟ ଦିଗରେ ଦ୍ୱିତୀୟ ଇନିଂସରେ ହର୍ଷିତଙ୍କ ପ୍ରତି ପାକ୍ ଖେଳାଳି ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଥିଲେ । ୪୫ ତମ ଓଭରରେ ଖାତା ନଖୋଲି ଆଉଟ୍ ହେଲା ପରେ ହର୍ଷିତଙ୍କୁ ପାକ୍ ଖେଳାଳି ସୁଫିୟାନ୍ ମୁକୀମ୍ କିଛି କହିଥିବା ନଜର ଆସିଥିଲା ।

Also Read :- ଫିଲ୍ଡରେ ସୁପରମ୍ୟାନ୍ ହୋଇଗଲେ ଧୃବ ଜୁରେଲ : ଡାଇଭ୍ ମାରି ଧରିଲେ ଅସମ୍ଭବ କ୍ୟାଚ୍, ଦେଖନ୍ତୁ ଭିଡିଓ

ସୁଫିୟାନଙ୍କ ଅନ୍ଦାଜ ଏତେ ଆକ୍ରମଣାତ୍ମକ ଥିଲା ଯେ ସାଥୀ ପାକ୍ ଖେଳାଳି ଆସି ତାଙ୍କୁ ମଝିରେ ଅଟକାଇଥିଲେ । ହର୍ଷିତ ପ୍ୟାଭିଲିୟନ ଫେରୁଥିଲେ । ସେହି ସମୟରେ ପାକ୍ ସ୍ପିନର ସୁଫିୟାନ୍ ରାଣାଙ୍କୁ କିଛି କହିଥିଲେ । ଯାହା ଆପତ୍ତିଜନକ ଥିଲା । ଉଭୟଙ୍କ ମଧ୍ୟରେ ମ୍ୟାଚ୍ ଆରମ୍ଭରୁ ହିଁ ତୁତୁମେମେ ଚାଲିଥିଲା । ଏହି ସମୟରେ ଭାରତୀୟ ଦଳର ଅଧିନାୟକ ତିଲକ ବର୍ମା ମଧ୍ୟ ରାଗିଯାଇଥିଲେ । ସେ ପାକିସ୍ତାନୀ ଖେଳାଳିଙ୍କ ସହ ଯୁକ୍ତିତର୍କ ଆରମ୍ଭ କରିଦେଇଥିଲେ ।

ପ୍ରଥମେ ପାକିସ୍ତାନ-ଏ ଇନିଂସରେ ହର୍ଷିତ ରାଣା ଏବଂ ସମୀଲ୍ ହୁସେନଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ଏହାପରେ ପାକ୍ ଖେଳାଳି ମାଜ୍ ସଦାକତ ମଧ୍ୟ ହର୍ଷିତଙ୍କୁ କିଛି କହିଥିଲେ । ସମୀଲ ଆଉଟ୍ ହେଲା ପରେ ହର୍ଷିତ ଖୁସିରେ ପାଟି କରିଥିଲେ । ଯାହାକୁ ନେଇ ପାକ୍ ଏବଂ ଭାରତୀୟ ଖେଳାଳିଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ହୋଇଥିଲା । ଏହି କାରଣରୁ ହର୍ଷିତ ଆଉଟ୍ ହେଲା ପରେ ପାକ୍ ଖେଳାଳିଙ୍କ ପ୍ରତିକ୍ରିୟା ମାହୋଲକୁ ଅଧିକ ଗରମ କରିଦେଇଥିଲା ।

ସୂଚନାଯୋଗ୍ୟ, ପଡିଆରେ ଗରମାଗରମ ମାହୋଲ ମଧ୍ୟରେ ପାକିସ୍ତାନୀ-ଏ ଭାରତ-ଏକୁ ୪୮ ରନରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୩୧୩ ରନ୍ କରିଥିଲା । ୩୧୪ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତ ୪୯.୧ ଓଭରରେ ୨୬୫ ରନରେ ଅଲଆଉଟ୍ ହୋଇଯାଇଥିଲା । ଅଧିନାୟକ ତିଲକ ବର୍ମା ଶତକୀୟ ଇନିଂସ ଖେଳିଥିଲେ । ଅଭିଷେକ ଶର୍ମା ୪୨ ବଲରୁ ୭୦ ରନ୍ କରିଥିଲେ । ଏହାସତ୍ତ୍ୱେ ଦଳ ପରାସ୍ତ ହୋଇଥିଲା ।