ଭୁବନେଶ୍ୱର ୦୯।୦୯ : ମଧ୍ୟପ୍ରାଚ୍ୟରୁ ଓଡ଼ିଶାକୁ ଛୁଟିବ ନିବେଶ ସୁଅ । ଏହି ଲକ୍ଷ୍ୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁଂଯୁକ୍ତ ଅରବ ଏମିରେଟ୍ସ ଅଭିଯାନ ଆରମ୍ଭ ହୋଇଛି। ଆଜିଠାରୁ ତିନି ଦିନ ଧରି ନିବେଶକଙ୍କ ସହ ମାରାଥନ ବୈଠକ ଓ ଆଲୋଚନା ଚାଲିବ। ଦୁବାଇରେ ‘ଓଡ଼ିଶା ରୋଡ୍  ଶୋ’ ଆୟୋଜିତ ହେବ।

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ 'ଟିମ୍ ଓଡ଼ିଶା' ଆବୁଧାବିରେ ପହଞ୍ଚିଛନ୍ତି। ଏହି ନିବେଶ ଅଭିଯାନ ସେପ୍ଟେମ୍ବର ୧୧ ତାରିଖ ଯାଏଁ ଚାଲିବ। ୟୁଏଇ-ଓଡ଼ିଶାର ଆର୍ଥିକ ସମ୍ପର୍କକୁ ଏହା ଆହୁରି ମଜବୁତ କରିବ। ନିବେଶ, ଉତ୍ପାଦନ, ଭିତ୍ତିଭୂମି, ଶକ୍ତି ଓ ସମ୍ଭାବ୍ୟ ଶିଳ୍ପ କ୍ଷେତ୍ରରେ ନୂଆ ସହଭାଗିତା ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ଆବୁଧାବିଠାରେ ଆଜିଠାରୁ ବିଭିନ୍ନ ଉଚ୍ଚସ୍ତରୀୟ ବ୍ୟବସାୟିକ ଆଲୋଚନା ଓ ବୈଠକ ଅନୁଷ୍ଠିତ ହେବ। ୟୁଏଇର ବିଭିନ୍ନ ପ୍ରତିଷ୍ଠାନ, ନିବେଶକ ଓ ବ୍ୟବସାୟିକ ଲିଡରଙ୍କ ସହ ୱାନ୍  ଟୁ ୱାନ୍  ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ। ଆଜି ଇଣ୍ଟରନ୍ୟାସନାଲ ହୋଲଡିଂ କମ୍ପାନୀ ଆଇଏଚସି  ଓ ଏହାର ବିଭିନ୍ନ ଶାଖା ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

Also Read:-ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ : ୧୧ରେ ଲଘୁଚାପ, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ସେହିପରି ଇଣ୍ଡିଆନ୍ ବିଜନେସ୍ ଏବଂ ପ୍ରଫେସନାଲ ଗ୍ରୁପ୍  ସହ ମଧ୍ୟ ବୈଠକ କରିବେ। ପେଟ୍ରୋକେମିକାଲ୍ସ ଓ କେମିକାଲ୍ସ କ୍ଷେତ୍ରରେ ନିବେଶ ମୁଖ୍ୟ ଫୋକସ୍ ରେ ରହିବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ଶିଳ୍ପ ବିକାଶ ଏକ ନୂଆ ପର୍ଯ୍ୟାୟରେ ପ୍ରବେଶ କରିଛି। ୟୁଏଇ ସହ ଆମର ସମ୍ପର୍କ ଏହି ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଆମେ କେବଳ ନିବେଶକଙ୍କୁ ଆକୃଷ୍ଟ କରିବାକୁ ଆସିନାହୁଁ, ବରଂ ବିଶ୍ୱାସ, ପ୍ରଯୁକ୍ତି ଓ ରୋଜଗାର ସୃଷ୍ଟି ଉପରେ ଆଧାରିତ ଦୀର୍ଘମିଆଦୀ ସହଭାଗିତା ଗଢ଼ିବା ଆମର ଲକ୍ଷ୍ୟ। ଏହି ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କ ସମେତ ଶିଳ୍ପ ବିଭାଗ ଓ ଇପିକଲ୍ ର ବରିଷ୍ଠ ଅଧିକାରୀମାନେ ୟୁଏଇ ଗସ୍ତ କରିଛନ୍ତି। ଆବୁଧାବି ବିମାନବନ୍ଦରରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।