ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କୁ ଟାର୍ଗେଟ କରିଛି  । ଜଗନ ରେଡ୍ଡୀଙ୍କ ବ୍ୟକ୍ତିଗତ ଜୀବନରେ ଚାଲିଥିବା ବିବାଦକୁ ନେଇ ତାଙ୍କ ଉପରେ ବର୍ଷିଛନ୍ତି ଚନ୍ଦ୍ରବାବୁ ।  YSRCP ମୁଖ୍ୟ ଜଗନ ରେଡ୍ଡୀ ଜେଣ ‘କଂସ ମାମୁଁ’ ବୋଲି ସେ କହିଛନ୍ତି । ନିଜ ଭାଣିଜୀଙ୍କ ବିବାହ ପାଇଁ ବେଙ୍ଗାଲୁରୁସ୍ଥିତ ଘର ‘ୟେଲାହଙ୍କା ପ୍ୟାଲେସ୍’ର ବ୍ୟବହାର କରିବାକୁ ଜଗନ ମନା କରିଦେବା ପରେ ଏହି ବିବାଦ ସୃଷ୍ଟି ହୋଇଛି।

ଶନିବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଚନ୍ଦ୍ରବାବୁ ନାଇଡୁ, ଜଗନ ରେଡ୍ଡୀଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ଜଗନ ନିଜ ମା’ ଏବଂ ଭଉଣୀ ୱାଇ. ଏସ୍. ଶର୍ମିଲାଙ୍କ ପ୍ରତି ଅନ୍ୟାୟ କରିଛନ୍ତି। ସମ୍ପତ୍ତି ବିବାଦକୁ ନେଇ ସେ ନିଜ ଭାଣିଜୀଙ୍କ ବାହାଘର ପାଇଁ ବେଙ୍ଗାଲୁରୁସ୍ଥିତ ପ୍ୟାଲେସ୍ ବ୍ୟବହାର କରିବାକୁ ଅନୁମତି ଦେଇନାହାନ୍ତି । ଏହା ତାଙ୍କର ନୈତିକତା ଓ ମାନସିକତାକୁ ଦର୍ଶାଉଛି। ଭଗବାନ କୃଷ୍ଣଙ୍କୁ ମାରିବାକୁ ଚେଷ୍ଟା କରିଥିବା ‘କଂସ’ଙ୍କ ସହ ଜଗନଙ୍କୁ ତୁଳନା କରିଛନ୍ତି ଚନ୍ଦ୍ରବାବୁ ନାଇଡୁ । 

ଆନ୍ଧ୍ର ପ୍ରଦେଶ କଂଗ୍ରେସ ସଭାପତି ୱାଇ. ଏସ୍. ଶର୍ମିଲାଙ୍କ ଝିଅ ୱାଇ. ଏସ୍. ଅଞ୍ଜଲି ରେଡ୍ଡୀଙ୍କ ନିର୍ବନ୍ଧ ଗତ ମାସରେ ଶେଷ ହୋଇଛି ।  ନଭେମ୍ବର ୨୫ ରେ ବିବାହ ସ୍ଥିର ହୋଇଛି । ଶର୍ମିଲା ଚାହୁଁଥିଲେ ଯେ, ବିବାହ ଉତ୍ସବ ବେଙ୍ଗାଲୁରୁସ୍ଥିତ ପାରିବାରିକ ଘର 'ୟେଲାହଙ୍କା ପ୍ୟାଲେସ୍'ରେ ହେଉ। କିନ୍ତୁ ସୁରକ୍ଷା କାରଣ ଦର୍ଶାଇ ଜଗନ ରେଡ୍ଡୀ ନିଜ ମା’ଙ୍କ ମାଧ୍ୟମରେ ଶର୍ମିଲାଙ୍କୁ ଏହି ସ୍ଥାନ ବ୍ୟବହାର କରିବାକୁ ମନା କରିଦେଇଥିଲେ। ଶେଷରେ ବାଧ୍ୟ ହୋଇ ନିଜ ଝିଅର ବିବାହ ପାଇଁ ବେଙ୍ଗାଲୁରୁରେ ଅନ୍ୟ ଏକ ସ୍ଥାନ ଖୋଜିଛନ୍ତି ଶର୍ମିଲା ।

୨୦୦୯ ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜଶେଖର ରେଡ୍ଡୀଙ୍କର ଏକ ହେଲିକପ୍ଟର ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଥିଲା​‌ । ଏହା ପରେ ପାରିବାରିକ ସମ୍ପତ୍ତି ଭାଗବଣ୍ଟା ଅସମ୍ପୂର୍ଣ୍ଣ ରହିଯାଇଥିଲା। ୨୦୧୯ ରେ ଜଗନ ମୁଖ୍ୟମନ୍ତ୍ରୀ ହେବା ପରେ ଭାଇ-ଭଉଣୀଙ୍କ ମଧ୍ୟରେ ସମ୍ପର୍କ ଆହୁରି ତିକ୍ତ ହୋଇଥିଲା। ପରବର୍ତ୍ତୀ ସମୟରେ ଶର୍ମିଲା ତେଲେଙ୍ଗାନାରେ ନିଜର ନୂଆ ଦଳ ଗଠନ କରିଥିଲେ । କିନ୍ତୁ ପରେ ୨୦୨୪ରେ ସେ କଂଗ୍ରେସରେ ଯୋଗ ଦେଇଥିଲେ। ଏବେ ସେ ରାଜ୍ୟରେ କଂଗ୍ରେସ ସଭାପତି ଅଛନ୍ତି । କିନ୍ତୁ ଭାଇ ଜଗନ ରେଡ୍ଡୀଙ୍କ ସହ ତାଙ୍କ ସଂପର୍କରେ ତିକ୍ତତା ଜାରି ରହିଛି ।