ଭୁବନେଶ୍ୱର, ୦୯/୦୯ : ଉତ୍ତର ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଆସନ୍ତା ୧୧ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ ହୋଇପାରେ । ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି।

ଲଘୁଚାପ ପ୍ରଭାବରେ ୧୨ ତାରିଖ ଯାଏ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଭାରି ବର୍ଷା ହୋଇପାରେ। ବୁଧବାର ବାଲେଶ୍ଵର, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ଆଶଙ୍କା ଅଛି। ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ବର୍ଷା ହୋଇପାରେ। ୧୦ ତାରିଖରେ କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏହି ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୋଳ, ଢେଙ୍କାନାଳ, ରାୟଗଡ଼ା, କୋରାପୁଟ, ଗଜପତି, ଗଞ୍ଜାମ ଓ ପୁରୀରେ ପ୍ରବଳ ବର୍ଷା ଆଶଙ୍କା ଅଛି।

Also Read :- ଆଉ ଦୁଇ ଦିନ ପରେ ଦୁନିଆ ଦେଖିବ ମଣିଷ-ସିମ୍ପାଜୀ ଲଢ଼େଇ, କିଏ ଜିତିବ ?

୧୧ ତାରିଖରେ କୋରାପୁଟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସତର୍କ କରାଯାଇଛି। ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୧୨ ତାରିଖରେ କୋରାପୁଟ ଓ ମାଲକାନଗିରି ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା ଅଛି। ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ବର୍ଷା ହୋଇପାରେ।

ବର୍ଷା ପାଗ ସତ୍ତ୍ବେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା। ପ୍ରଚଣ୍ଡ ତାତି ଓ ଗୁଳୁଗୁଳି ନାକେଦମ କରିଥିଲା । ଖରାଦିନ ଭଳି ଅନୁଭବ ହେଉଥିଲା। ଗୋପାଳପୁରରେ ସର୍ବାଧିକ ୩୬.୬ ଡିଗ୍ରୀ ରେକର୍ଡ ହୋଇଥିଲା। ବାଲେଶ୍ବରରେ ୩୬.୫, ପୁରୀ ଓ ପାରଳାଖେମୁଣ୍ଡିରେ ୩୬.୪, ଭୁବନେଶ୍ଵରରେ ୩୫.୮ ଓ ଚାନ୍ଦବାଲିରେ ତାତି ୩୫ ଡିଗ୍ରୀ ରହିଥିଲା। ଅଧିକ ଆର୍ଦ୍ରତା ଯୋଗୁ ଗୁଳୁଗୁଳି ଅନୁଭୂତ ହୋଇଥିଲା। ଗତ ୨୪ ଘଣ୍ଟାରେ ନବରଙ୍ଗପୁରରେ ୩୪.୨, ମାଲକାନଗିରିରେ ୨୬.୬, ପାରଳାଖେମୁଣ୍ଡିରେ ୧୩.୨, ବାଲେଶ୍ଵରରେ ୧୭.୮ମିମି ବର୍ଷା ରେକର୍ଡ ହୋଇଛି ।