ମୁମ୍ବାଇ: ପରିବେଶ କାର୍ଯ୍ୟକର୍ତ୍ତା ତଥା ଶିକ୍ଷାବିଦ୍ ସୋନମ ୱାଙ୍ଗଚୁକ୍ ଶନିବାର କହିଛନ୍ତି ଯେ ‘ ବିରୋଧ ପ୍ରଦର୍ଶନ ସରକାରଙ୍କୁ ଭଲ କାମ କରାଇବା ପାଇଁ ଏକ ଉତ୍ତମ ଉପାୟ’। ଯଦି ପ୍ରତିବାଦ କରିବାକୁ ଅନୁମତି ଦିଆ ନଯାଏ ତେବେ କଣ ହୋଇପାରେ ତାର ଉଦାହରଣ ମଧ୍ୟ ଦେଇଛନ୍ତି। ଆଇପିଏଫ ଫେଷ୍ଟିଭାଲକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ବିଶ୍ୱର ଅନେକ ଦେଶରେ ବିରୋଧ ପ୍ରଦର୍ଶନ ପାଇଁ ଖୋଲା ଛୁଟ ରହିଛି ଓ ତାହା ବି ସଂସଦର ଠିକ୍ ସମ୍ମୁଖରେ। ୱାଙ୍ଗଚୁକ୍ ଦାବି କରିଛନ୍ତି ଯେ ଅନେକ ଦେଶର ସଂସଦ ସମ୍ମୁଖ ଭାଗ ବିରୋଧ ପ୍ରଦର୍ଶନର ମୁଖ୍ୟ ସ୍ଥଳ ହୋଇଥାଏ।

ସେ କହିଛନ୍ତି ଯେ ୟୁନାଇଟେଡ କିଙ୍ଗଡମ(ୟୁକେ), ନରୱେ ଏବଂ ସ୍ୱିଡେନ ଭଳି ଦେଶରେ ସଂସଦର ଠିକ ସାମ୍ନାରେ ବିରୋଧ ପ୍ରଦର୍ଶନ କରିବାକୁ ଅନୁମତି ରହିଛି। ହେଲେ ଭାରତର ପ୍ରଦର୍ଶନ ସ୍ଥଳ ସଂସଦରୁ ଅନେକ ଦୂରରେ। ଏପରିକି ଜନ୍ତର ମନ୍ତର ମଧ୍ୟ ସଂସଦ ନିକଟରବର୍ତ୍ତି ଅଞ୍ଚଳ ହୋଇଥିଲେ ମଧ୍ୟ ବେଶ୍ ଦୂରରେ। ବିରୋଧ ପ୍ରଦର୍ଶନ ଏକ ଭଲ ମାଧ୍ୟମ, ଏହା ଏକ ପ୍ରକାରର ସରକାରଙ୍କ ‘ଫିଡବ୍ୟାକ୍’ ଭଳି। ଯଦି ସରକାରଙ୍କ ସକରାତ୍ମକ ଦୃଷ୍ଟିଭଙ୍ଗିଥାଏ ତେବେ ଏହା ତାଙ୍କୁ ଆହୁରି ଭଲ କାମ କରିବାରେ ପ୍ରୋତ୍ସାହିତ କରେ।

ସୋନମ ୱାଙ୍ଗଚୁକ୍ ଙ୍କ ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ କକ୍ରୋଚ ଜନତା ପାର୍ଟି (ସିଜେପି) ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି ଜନ୍ତର ମନ୍ତରରେ ପ୍ରଦର୍ଶନ ଆହ୍ୱାନ କରିଥିଲା। ଏହା ପରେ କେନ୍ଦ୍ର ସରକାର ପ୍ରଦର୍ଶନ ସ୍ଥଳକୁ ନିଷିଦ୍ଧ ଘୋଷଣା କରିଥିଲେ ଓ ଆନ୍ଦୋଳନ ପାଇଁ ଅନୁମତି ଦିଆଯାଉନଥିବାରୁ ବିପକ୍ଷ ଅସନ୍ତୋଷ ପ୍ରକାଶ କରିଥିଲେ। ୱାଙ୍ଗଚୁକ୍ କହିଛନ୍ତି ‘ଦେଖନ୍ତୁ ଯେବେ ପ୍ରତିବାଦ କରିବାକୁ ଅନୁମତି ଦିଆ ନଯାଏ ତେବେ କଣ ହୁଏ? ଶ୍ରୀଲଙ୍କା ଓ ବାଂଲାଦେଶ ଏହାର ଉଦାହରଣ’।

ୱାଙ୍ଗଚୁକ୍ କହିଛନ୍ତି ଯେ ସରକାରଙ୍କୁ ବିରୋଧ କରିବା ପାଇଁ କାହାରି ଅନୁମତିର ଆବଶ୍ୟକତା ନାହିଁ। ୱାଙ୍ଗଚୁକ୍ ଙ୍କ ଅନୁସାରେ ଅନୁମତି ନେବାର ପ୍ରକ୍ରିୟା କେବଳ ଏହା ଯାଞ୍ଚ କରିବା ଲାଗି ହେବା ଦରକାର ଯେ ସହରରେ କଣ ଚାଲିଛି, ଯେପରି ପର୍ବପର୍ବାଣୀ ଅଥବା ଅନ୍ୟ କାର୍ଯ୍ୟକ୍ରମ ବୋଲି କହିଛନ୍ତି। ଯଦି ଏପରି କିଛି କାର୍ଯ୍ୟକ୍ରମ ଥାଏ ତେବେ ଅନୁମତି ଦିଆ ନଯାଇ ପାରେ, ଅନ୍ୟଥା ଅନୁମତି ଦେବାରେ କୌଣସି ଅସୁବିଧା ନାହିଁ।