କୋଲକାତା: ଚୋରେବାଗାନ ଦୁର୍ଗପୂଜା ପେଣ୍ଡାଲରେ ଘଟିଥିବା ଦଳଚକଟା ଘଟଣାରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ପରିବାର ଲାଗି ରାଜ୍ୟ ସରକାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ମୃତକଙ୍କ ପରିବାରକୁ ୨୭ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଦଳାଚକଟାରେ ପ୍ରାଣ ହରାଇଥିବା ଶୁଭମ୍ ସୋନକରଙ୍କ ପରିବାରକୁ ଭେଟି ୨୭ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । 

ମୃତକଙ୍କ ପରିବାରକୁ ୨୭ ଲକ୍ଷ ଟଙ୍କାର ସହାୟତା
ରାଜ୍ୟ ଶିଳ୍ପମନ୍ତ୍ରୀ ତାପସ ରାୟଙ୍କ ସହ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ମୃତ ଶୁଭମ୍‌ଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ସେ କହିଛନ୍ତି ଯେ, ଅର୍ଥ ଅମୂଲ୍ୟ ଜୀବନ ଫେରାଇ ଆଣିପାରିବ ନାହିଁ  କିନ୍ତୁ ବିପଦ ସମୟରେ ପରିବାରକୁ ସାହାରା ଦେବା ସରକାରଙ୍କ ଦାୟିତ୍ୱ।  ମୋଟ ୨୭ ଲକ୍ଷ ଟଙ୍କା ମଧ୍ୟରୁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୫ ଲକ୍ଷ ଟଙ୍କା ଏବଂ ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡରୁ ୨ ଲକ୍ଷ ଟଙ୍କା ମୃତକଙ୍କ ପରିବାର ଲୋକଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଇ ଦିଆଯିବ।

ଦଳାଚକଟାରେ ଯାଇଛି ୧୯ ଜଣଙ୍କ ଜୀବନ
ଅକ୍ଟୋବର ୧୭ରେ ଚୋରେବାଗାନ ଦୁର୍ଗାପୂଜା ମଣ୍ଡପରେ ହଠାତ୍ ଦଳାଚକଟା ସ୍ଥିତି ସୃଷ୍ଟି ହୋଇଥିଲା। ଏହି ଅଭାବନୀୟ ଘଟଣାରେ ୧୯ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିବା ବେଳେ ବହୁ ସଂଖ୍ୟାରେ ଲୋକ ଆହାତ ହୋଇଥିଲେ। ଫଳରେ ଦୁର୍ଗପୂଜା ପାଇଁ ପ୍ରସିଦ୍ଧି ପାଇଥିବା କୋଲକାତାରେ ଶୋକର ପରିବେଶ ସୃଷ୍ଟି ହୋଇଥିଲା ।

SIT ଗଠନ
ଦଳାଚକଟା ଘଟଣାର ତଦନ୍ତ ଲାଗି କୋଲକାତା ହାଇକୋର୍ଟଙ୍କ ପରାମର୍ଶ କ୍ରମେ ଅକ୍ଟୋବର ୨୧ ରେ SIT ଗଠନ କରାଯାଇଛି। ତଦନ୍ତ କମିଟିର ଅଧ୍ୟକ୍ଷ ଭାବେ ଅବସରପ୍ରାପ୍ତ ବିଚାରପତି ଅନିନ୍ଦିତା ରୟ ସରସ୍ୱତୀଙ୍କୁ ନିଯୁକ୍ତ କରାଯାଇଛି। ଏହି କମିଟିରେ ବିପର୍ଯ୍ୟୟ ପ୍ରଶମନ ବିଭାଗ, STF, NDRF ଏବଂ ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ସାମିଲ ଅଛନ୍ତି। କମିଟିକୁ ୩ ମାସ ମଧ୍ୟରେ ଦଳାଚକଟାର ଘଟାଣାରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଦଳାଚକଟା କାହିଁକି ଘଟିଲା ଏବଂ ଭବିଷ୍ୟତରେ ଏଭଳି ଘଟଣାକୁ ଏଡ଼ାଇବା ଲାଗି ଏସଆଇଟିର ତଦନ୍ତ ରିପୋର୍ଟ ଅତି ଗୁରୁତ୍ବପୂର୍ଣ୍ଣ ।