ଭୁବନେଶ୍ବର ୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି । ପ୍ରଧାନମନ୍ତ୍ରୀ ଅପରାହ୍ନ ପ୍ରାୟ ୪ଟା ୪୫ ମିନିଟ୍ ସମୟରେ ଭୁବନେଶ୍ୱରରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଡାଟା ସେଣ୍ଟର ଓ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ଉଦଘାଟନ କରିବେ । ଏହି ଅବସରରେ ସେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶାକୁ ସ୍ବାଗତ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ମାର୍ଗଦର୍ଶନରେ ଓଡ଼ିଶାର ବିକାଶ ଯାତ୍ରା ଆଜି ଏକ ନୂତନ ଶିଖରରେ ପହଞ୍ଚିଛି । ରାଜ୍ୟର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱିତ ପ୍ରୟାସ ଓଡ଼ିଶା ପାଇଁ ଅନେକ ନୂଆ ସମ୍ଭାବନାର ଦ୍ବାରା ଖୋଲିଛି । ଆଜି ଆମ ପ୍ରିୟ ପ୍ରଧାନମନ୍ତ୍ରୀ ପୁଣିଥରେ ଓଡ଼ିଶା ମାଟିକୁ ଆସୁଛନ୍ତି । ଏହି ଗସ୍ତ ରାଜ୍ୟର ବିକାଶ ଯାତ୍ରାକୁ ନୂତନ ଉର୍ଜା ପ୍ରଦାନ କରିବା ସହ 'ସମୃଦ୍ଧ ଓଡ଼ିଶା' ଓ 'ବିକଶିତ ଭାରତ' ଗଠନର ସଂକଳ୍ପକୁ ଆହୁରି ସୁଦୃଢ଼ କରିବ । ଓଡ଼ିଶା ମାଟିକୁ ପ୍ରଧାନମନ୍ତ୍ରୀଙ୍କୁ ହାର୍ଦ୍ଦିକ ସ୍ୱାଗତ ଓ ଅଭିନନ୍ଦନ ।

ଉଲ୍ଲେଖଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ଅପରାହ୍ନ ୨ଟା ୪୫ରେ ବାରଣାସୀରୁ ସ୍ବତନ୍ତ୍ର ବିମାନରେ ଆସି ଅପରାହ୍ନ ୪ଟା ୧୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟରରେ ଇନ୍ଫୋଭ୍ୟାଲି-୨କୁ ଯିବେ । ସେଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କର ନୂତନ ଡାଟା ସେଣ୍ଟର ଏବଂ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ଉଦଘାଟନ କରିବେ । ଏହି ଅବସରରେ ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ କନକ ବର୍ଦ୍ଧନ ସିଂହଦେଓ ପ୍ରମୁଖ ଉପସ୍ଥିତ ରହିବେ । ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ଆରବିଆଇର ଅଧିକାରୀ ଓ ଅନ୍ୟ ବିଶିଷ୍ଟ ଅତିଥି ମଧ୍ଯ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି ।

Also Read:- ସମ୍ଭାବ୍ୟ ବାତ୍ୟା ପୂର୍ବରୁ ସତର୍କତା, ୪ ଜିଲ୍ଲାକୁ ଗଲେ NDRF ଟିମ୍

ପ୍ରଧାନମନ୍ତ୍ରୀଙ୍କ ଗସ୍ତପାଇଁ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି । ଗସ୍ତ ସମୟରେ ଆଇନଶୃଙ୍ଖଳା ରକ୍ଷା, ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ୍ ପରିଚାଳନା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ସୁରକ୍ଷା ଦାୟିତ୍ୱରେ ୫୭ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ୫ ପ୍ଲାଟୁନ୍ CAPF ମୁତୟନ ହେବେ । ଏହାସହ ପ୍ରାୟ ୨୦୦ ପୋଲିସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ୧୦ ଜଣ SP ରାଙ୍କର ଅଧିକାରୀ ସ୍ବତନ୍ତ୍ର ଦାୟିତ୍ବରେ ରହିବେ । ଏୟାରପୋର୍ଟ ଠାରୁ ଆରମ୍ଭ କରି କାର୍ଯ୍ୟକ୍ରମସ୍ଥଳ ଓ ପ୍ରଧାନମନ୍ତ୍ରୀଙ୍କ ଯାତାୟାତ ରୁଟ୍ର ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ଆଣ୍ଟି ଟେରର୍ ଟିମ୍ ମଧ୍ୟ ବିଭିନ୍ନ ସ୍ଥାନରେ ମୁତୟନ କରାଯିବ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଯାତାୟାତ ବ୍ୟବସ୍ଥାକୁ ସୁଗମ ରଖିବା ପାଇଁ ଟ୍ରାଫିକ୍ ଆଡଭାଇଜରି ଜାରି କରାଯାଇଛି । ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ଫେରିବା ସମୟରେ ଭୁବନେଶ୍ୱର ବିଜୁପଟ୍ଟନାୟକ ଛକ ଠାରୁ ବିମାନବନ୍ଦର ପର୍ଯ୍ୟନ୍ତ ୫୦ ହଜାରରୁ ଅଧିକ ଲୋକ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଏବଂ ଧନ୍ୟବାଦ ଦେବା ପାଇଁ ଉପସ୍ଥିତ ରହିବେ।

Watch Video: