ଭୁବନେଶ୍ୱର: ବେଗୁନିଆ ନିକଟସ୍ଥ ଭୂଇଁପୁର ଠାରେ ୪୦, ୮୧୧ କୋଟି ଟଙ୍କା ନିବେଶରେ ୩୬ଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ସୃଷ୍ଟି ହେବ ୫୯,୦୦୦ ରୁ ଅଧିକ ନିଯୁକ୍ତି ସୁଯୋଗ । ଓଡିଶାରେ ଆରମ୍ଭ ହୋଇଛି ଦ୍ଵିତୀୟ ଶିଳ୍ପ ବିପ୍ଲବ । ଶିଳ୍ପପତିମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ରାଉଣ୍ଡଟେବୁଲ୍ ବୈଠକ, ସମସ୍ତ ପ୍ରକାର ଆବଶ୍ୟକ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଲେ ।

ଓଡ଼ିଶାରେ ନିଜ ଶିଳ୍ପ ସଂସ୍ଥାଙ୍କୁ ସମୃଦ୍ଧ କରିବା ସହିତ ସମୃଦ୍ଧ ଓଡ଼ିଶା ଗଠନରେ ସହାୟକ ହେବାପାଇଁ ଉଦ୍ୟୋଗପତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ । ଆଉ ସମ୍ଭାବନାର ରାଜ୍ୟ ନୁହେଁ, ଓଡିଶା ଏବେ ସମୃଦ୍ଧିର ସ୍ପର୍ଶ ଅନୁଭବ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ଶିଳ୍ପ ଅଭିବୃଦ୍ଧି ଏବଂ ସମୟୋଚିତ କାର୍ଯ୍ୟାନ୍ୱୟନ ପ୍ରତି ରାଜ୍ୟର ଦୃଢ଼ ପ୍ରତିବଦ୍ଧତାକୁ ଗୁରୁତ୍ୱ ଦେଇ ଓଡ଼ିଶା ସରକାର ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି।

Also Read...ଖଣି ଲିଜ୍‌ଧାରୀ- ଶିଳ୍ପପତିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ, ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଲେ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅନ୍ତର୍ଗତ ଭୂଇଁପୁର ଠାରେ ୪୦, ୮୧୧ କୋଟି ଟଙ୍କା ନିବେଶରେ ସମୁଦାୟ ୩୬ ଗୋଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିଛନ୍ତି। ଏଥିମଧ୍ୟରୁ ୨୫ଟି ପ୍ରକଳ୍ପର ଶୁଭାରମ୍ଭ ହୋଇଥବା ବେଳେ ୧୧ ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶା ଏବେ ଆଉ କେବଳ ଏକ ସମ୍ଭାବନାର ରାଜ୍ୟ ହୋଇ ରହିନାହିଁ, ଆମ ରାଜ୍ୟ ଏବେ ସମୃଦ୍ଧିର ସ୍ପର୍ଶ ଅନୁଭବ କରୁଛି।

ସୂଚନାଥାଉକି, ଏହି ପ୍ରକଳ୍ପ ଗୁଡିକର ଶିଳାନ୍ୟାସ ଓ ଶୁଭାରମ୍ଭ ଦ୍ୱାରା ୫୯,୦୦୦ ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ। ଏହି ଶିଳ୍ପ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଗ୍ରୀନ ଏନର୍ଜି ଉପକରଣ, ଧାତୁ ଏବଂ ଡାଉନଷ୍ଟ୍ରିମ୍ ଶିଳ୍ପ, ବୟନ ଏବଂ ପୋଷାକ ଶିଳ୍ପ , ପ୍ଲାଷ୍ଟିକ୍, ପର୍ଯ୍ୟଟନ, କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ, ପ୍ରତିରକ୍ଷା ଉତ୍ପାଦନ, ଆଇଟି, ଅଟୋମୋବାଇଲ୍, ସିମେଣ୍ଟ ଶିଳ୍ପ ବିଭିନ୍ନ ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି, ଯାହା ରାଜ୍ୟର ଅର୍ଥନୀତିରେ ଦ୍ରୁତ ବିକାଶ ଘଟାଇବ।ଏହି ଅବସରରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘ସମୃଦ୍ଧ ଓଡିଶା’ର ସ୍ବର୍ଣ୍ଣିମ ଯାତ୍ରାରେ ଏକ ନୂତନ କିନ୍ତୁ ଗୁରୁତପୁର୍ଣ୍ଣ ଫର୍ଦ୍ଦ ଯୋଡି ହୋଇଗଲା।

ବର୍ତ୍ତମାନ ଓଡିଶାରେ ଚାଲୁଥିବା ଦ୍ଵିତୀୟ ଶିଳ୍ପ ବିପ୍ଲବର ଏହା ହେଉଛି ବାସ୍ତବ ପ୍ରତିଫଳନ। ପ୍ରତିଶ୍ରୁତିରୁ କାର୍ଯ୍ୟାନ୍ବୟନ ଏବଂ ସମ୍ଭାବନାରୁ ସମୃଦ୍ଧି ଆଡ଼କୁ ଉଦ୍ଦେଶ୍ୟ ନେଇ ଓଡ଼ିଶା ଆଗକୁ ବଢ଼ୁଛି। ଆମ ପ୍ରତିଶ୍ରୁତି, ଆମେ ନିଶ୍ଚୟ ପୂରଣ କରୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇ କହିଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଗାମୀ ଦୁଇ-ତିନି ବର୍ଷ ମଧ୍ୟରେ ଓଡ଼ିଶା କେବଳ ସମ୍ଭାବନାର ରାଜ୍ୟ ହୋଇ ରହି ନାହିଁ, ବରଂ ଓଡିଶା ଏବେ ସମୃଦ୍ଧିର ସ୍ପର୍ଶ ଅନୁଭବ କରିବା ଆରମ୍ଭ କରିଛି।

ଆଗାମୀ କିଛି ବର୍ଷ ମଧ୍ୟରେ ଆମରାଜ୍ୟ ଏକ ପୂର୍ଣ୍ଣ ସମୃଦ୍ଧି ସମ୍ପନ୍ନ ରାଜ୍ୟ ଭାବେ ବିଶ୍ଵ ଦରବାରରେ ଉଭା ହେବ। ୫୯ ହଜାର ନୂଆ ନିଯୁକ୍ତି କୌଣସି ଦୃଷ୍ଟିକୋଣରୁ ଏକ ଛୋଟ ଉପଲବ୍ଧି ନୁହେଁ। ପୂର୍ବରୁ ଆମ ସରକାର ଏହି ୧୮-୨୦ ମାସ ମଧ୍ୟରେ ପ୍ରାୟ ଅଢ଼େଇ ଲକ୍ଷ କୋଟି ଟଙ୍କାର ୧୦୯ ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି । ଯାହାଦ୍ୱାରା, ୧ ଲକ୍ଷ ୭୬ ହଜାର ନିଯୁକ୍ତି ସୃଷ୍ଟି ହୋଇପାରିଛି । ଆଜିର ଏହି କାର୍ଯ୍ୟକ୍ରମରେ ଆଉ ୪୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇଛି ଏବଂ ୫୯ ହଜାର ନିଯୁକ୍ତି ସୃଷ୍ଟି ହୋଇଛି ।

ଆମକୁ ଯେଉଁ ସାମଗ୍ରୀ ବିଦେଶରୁ ଆମଦାନୀ କରିବାକୁ ପଡୁଥିଲା, ସେଗୁଡ଼ିକ ଏବେ ଆମ ଖୋର୍ଦ୍ଧା ମାଟିରେ ତିଆରି ହେବ। ଏହି ସଫଳତା ଆମ ପାଇଁ ଗର୍ବ ଓ ଗୌରବର ବିଷୟ। ଓଡ଼ିଶାରେ ନିର୍ମିତ ସାମଗ୍ରୀ ବିଶ୍ଵ ବଜାରକୁ ଯିବ ଏବଂ ଆମ ଶିଳ୍ପ ବ୍ୟବସ୍ଥାକୁ ଆହୁରି ସ୍ଵାବଲମ୍ବୀ କରି ଗଢିତୋଳିବାରେ ସହାୟକ ହେବ। ଏହି ଶିଳ୍ପପ୍ରକଳ୍ପ ଗୁଡିକ ଆତ୍ମନିର୍ଭର ଭାରତ ଗଠନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଚଳିତ ବଜେଟରେ ଭିତ୍ତିଭୂମି ପାଇଁ ୭୨ ହଜାର କୋଟିରୁ ଅଧିକ ଟଙ୍କାର ପ୍ରାବଧାନ କରାଯାଇଛି ଯାହା ବର୍ତ୍ତମାନ ଆମ ରାଜ୍ୟ GDPର ପ୍ରାୟ ୬.୫ ପ୍ରତିଶତ। ଏହା ଦ୍ଵାରା ଭିତ୍ତିଭୂମି ନିର୍ମାଣ ତ୍ବରାନ୍ବିତ ହେବା ସହିତ ନୂତନ ରୋଜଗାର ସୃଷ୍ଟି ହେଉଛି ବୋଲି ସେ କହିଥିଲେ ।

ଓଡିଶାରେ ଗତ ୨୦ ମାସ ଧରି ଶିଳ୍ପ କ୍ଷେତ୍ରରେ ଏକ ନୂତନ ଦିଗ ଦେଖାଯାଇଛି ଏବଂ ବିଶେଷ କରି ୨୦୨୫ ଜାନୁଆରୀରୁ ରାଜ୍ୟରେ ଦ୍ୱିତୀୟ ଶିଳ୍ପ ବିପ୍ଳବ ଆରମ୍ଭ ହୋଇଛି। ୨୦୩୬ ପାଇଁ ଆଉ ୧୦ ବର୍ଷ ରହିଛି ଏବଂ ଏହି ୧୦ ବର୍ଷ ହେଉଛି ସମସ୍ତଙ୍କ ପାଇଁ ‘ସଂକଳ୍ପର ଦଶକ’। ଓଡିଆ ଅସ୍ମିତା ସହିତ ଅର୍ଥନୈତିକ ଉନ୍ନତିକୁ ସର୍ବୋଚ୍ଚ ପ୍ରାଧାନ୍ୟ ଦିଆଯାଇଛି ବୋଲି ସେ ଉଲ୍ଲେଖ କରିଥିଲେ। ଆମର ଅର୍ଥନୀତି ଯେତେବେଳେ ଶକ୍ତିଶାଳୀ ହେବ ଏବଂ ଭିତ୍ତିଭୂମି ବିଶ୍ୱସ୍ତରୀୟ ହେବ, ସେତେବେଳେ ଓଡିଶାର ଅର୍ଥନୀତି ସମଗ୍ର ବିଶ୍ୱର ଅର୍ଥନୀତି ସହିତ ସଂଯୁକ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।