ନୂଆଦିଲ୍ଲୀ ୩୦। ୧୦; ପୂର୍ବତନ ଟେନିସ୍ ତାରକା ସାନିଆ ମିର୍ଜାଙ୍କୁ ନେଇ ସୋସିଆଲ ମିଡିଆରେ ଏବେ ଜୋରଦାର ଚର୍ଚ୍ଚା। ସାନିଆଙ୍କ ଟେନିସ୍ ଏକାଡେମୀ ଥିବା ଜମିରେ ମସଜିଦ ନିର୍ମାଣ ହେଉଥିବା ନେଇ ଭାଇରାଲ ହେଉଥିଲା ଖବର। ଏପରିକି ସାନିଆ ମିର୍ଜା ଓ ପୂର୍ବତନ କ୍ରିକେଟର ମହମ୍ମଦ ଆଜହରୁଦ୍ଦିନଙ୍କ ଏକ ଫଟୋକୁ ନେଇ ମଧ୍ୟ ଚାଲିଥିଲା ନାନା ଚର୍ଚ୍ଚା। ହେଲେ ଏହି ଭାଇରାଲ ଖବର ଉପରୁ ପରଦା ହଟାଇଛନ୍ତି ସାନିଆଙ୍କ ବାପା ଇମ୍ରାନ ମିର୍ଜା। ମସଜିଦ ନିର୍ମାଣ ଖବରକୁ ସେ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିବା ସହ ଭାଇରାଲ ଫଟୋଟି ମଧ୍ୟ ଏଆଇ ଦ୍ୱାରା ପ୍ରସ୍ତୁତ ବୋଲି ସ୍ପଷ୍ଟ କରିଛନ୍ତି। ତେବେ କ'ଣ ରହିଛି ପୂରା ଘଟଣା? ସାନିଆଙ୍କୁ ନେଇ ଭାଇରାଲ ଖବରର ସତ କ'ଣ? ଆସନ୍ତୁ ଜାଣିବା।

ସୋସିଆଲ ମିଡିଆରେ ଭାଇରାଲ ଖବରକୁ ନେଇ ଶେଷରେ ମୁହଁ ଖୋଲିଛନ୍ତି ସାନିଆଙ୍କ ବାପା ଇମ୍ରାନ ମିର୍ଜା। ସାନିଆଙ୍କ ଟେନିସ୍ ଏକାଡେମୀ ଥିବା ଜମିରେ ମସଜିଦ ନିର୍ମାଣ ହେବା ନେଇ କୌଣସି ଯୋଜନା ନଥିବା ନେଇ ସ୍ପଷ୍ଟ କରିଛନ୍ତି। ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ସେ ଭାଇରାଲ ଦାବିକୁ ଖଣ୍ଡନ କରିଛନ୍ତି। କେବଳ ସେତିକି ନୁହେଁ, ସାନିଆ ମିର୍ଜା ଓ ମହମ୍ମଦ ଆଜହରୁଦ୍ଦିନଙ୍କ ନାଁରେ ଭାଇରାଲ ହେଉଥିବା ଏକ ଫଟୋକୁ ମଧ୍ୟ ଏଆଇ ଦ୍ୱାରା ତିଆରି ବୋଲି କହିଛନ୍ତି । ତେଣୁ ଏଭଳି ଫଟୋକୁ ଦେଖି କୌଣସି ଖବରକୁ ବିଶ୍ୱାସ ନକରିବାକୁ ସେ ପରାମର୍ଶ ଦେଇଛନ୍ତି।

ଇମ୍ରାନ ଆହୁରି କହିଛନ୍ତି, ସାନିଆ କିମ୍ବା ତାଙ୍କ ପରିବାର ନିଜେ କିଣିଥିବା ଜମିକୁ ନିଜ ଇଚ୍ଛା ଅନୁସାରେ ବ୍ୟବହାର କରିବାର ଅଧିକାର ରଖିଛନ୍ତି। ସେହିପରି ସାନିଆଙ୍କ ସାମାଜିକ କାର୍ଯ୍ୟକଳାପ ତାଙ୍କର ବ୍ୟକ୍ତିଗତ ବିଷୟ। ସାନିଆ ନିଜେ ଏହାର ସ୍ପଷ୍ଟୀକରଣ ନଦେବା ପର୍ଯ୍ୟନ୍ତ ଏନେଇ ଅନାବଶ୍ୟକ ଚର୍ଚ୍ଚା କରିବା ଉଚିତ ନୁହେଁ। ସାନିଆ ମିର୍ଜାଙ୍କୁ ନେଇ ଭାଇରାଲ ହେଉଥିବା ମସଜିଦ ନିର୍ମାଣ ଖବର ଉପରେ ତାଙ୍କ ବାପାଙ୍କ ସ୍ପଷ୍ଟୀକରଣ ପରେ ଏବେ ଚର୍ଚ୍ଚାରେ ପୁନଚ୍ଛେଦ ପଡିଛି।