ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ଖୋଲିବାକୁ ଯାଉଛି ଉତ୍ତରପ୍ରଦେଶ ବାରାଣସୀର ନୂଆ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌। ୩୦ ହଜାର ଆସନ ବିଶିଷ୍ଟ ଏହି କ୍ରିକେଟ ଷ୍ଟାଡିୟମ୍‌କୁ ୪୫୦ କୋଟି ଟଙ୍କା ଖର୍ଚ୍ଚରେ ତିଆରି କରାଯାଇଛି। ୩୧ ଏକର ଜାଗାରେ ତିଆରି ହୋଇଥିବା ଏହି ଷ୍ଟାଡିୟମ୍‌ର ଲୁକ୍ ବର୍ତ୍ତମାନ ଇନଷ୍ଟାଗ୍ରାମରେ ଖୁବ୍ ଭାଇରାଲ୍ ହେଉଛି।

ବାରାଣସୀ ସହରରେ ତିଆରି ହୋଇଥିବା ଏହି ଷ୍ଟାଡିୟମ୍‌ରେ ସହରରେ ସାସ୍କୃତିକ ଝଲକ ଦେଖିବାକୁ ମିଳିବ। ପଡିଆରେ ଲାଗିଥିବା ଫ୍ଲଡ ଲାଇଟ୍‌ ତ୍ରିଶୂଳ ଆକାରରେ ହୋଇଥିବା ବେଳେ ଏହାର ମିଡିଆ ସେଣ୍ଟରକୁ ଡମରୁ ଆକାର ଦିଆଯାଇଛି। ସେହିଭଳି ଛାତର ଆକାର ଅର୍ଦ୍ଧଚନ୍ଦ୍ରାକାର ହୋଇଛି।

ହେଲେ ଅନ୍ତର୍ଜାତୀୟ ମୁକାବିଲା ପାଇଁ ଷ୍ଟାଡିୟମକୁ ଖୋଲିବା ପୂର୍ବରୁ ଉତ୍ତର ପ୍ରଦେଶ କ୍ରିକେଟ ସଂଘ(UPCA) ପ୍ରଥମେ ଏଠି ଘରୋଇ ମ୍ୟାଚ୍ ଆୟୋଜନ କରି କ୍ରିକେଟ୍ ଗ୍ରାଉଣ୍ଡ ପରୀକ୍ଷା କରିବାକୁ ଚାହୁଁଛି। ତେବେ ଆଉ ଏକ ବଡ଼ କଥା ହେଲା ଏହି ଷ୍ଟାଡିୟମ୍‌ରେ ଆଇପିଏଲ୍ ୨୦୨୭ ମ୍ୟାଚ୍ ଖେଳାଯାଇପାରେ ବୋଲି ଚର୍ଚ୍ଚା ହେଉଛି। କାରଣ ବିସିସିଆଇ, ଲକ୍ଷ୍ନୌ ସୁପର ଜାଏଣ୍ଟ ଓ ବ୍ରଡକାଷ୍ଟର ଟିମ୍ ବାରାଣସୀ ଆସି ପଡ଼ିଆରେ ସ୍ଥିତି ଅନୁଧ୍ୟାନ କରିସାରିଛନ୍ତି।

ବାରାଣସୀ କ୍ରିକେଟ ଷ୍ଟାଡିୟମ୍‌ର ବିଶେଷତ୍ୱ

ଏହି ଷ୍ଟାଡିୟମ୍‌ରେ ଆଧୁନିକ କ୍ରିକେଟ୍ ଭିତ୍ତିଭୂମି ସହିତ ସହରର ସାଂସ୍କୃତିକ ପରିଚୟ ବଜାଇ ରଖି ଏକ ସୁ୍ନ୍ଦର ସ୍ଥାପତ୍ୟକଳା ଭିତ୍ତିକ ଡିଜାଇନ କରାଯାଇଛି। ଷ୍ଟାଡିୟମ୍‌ରେ ଲାଗିଥିବା ଫ୍ଲଡ ଲାଇଟ୍‌ ଖୁବ ଉନ୍ନତମାନର ହୋଇଥିବା ବେଳେ ଏହାକୁ ଭଗବାନ ଶିବଙ୍କର ତ୍ରିଶୂଳ ଆକାର ଦିଆଯାଇଛି। ସେହିପରି ଷ୍ଟାଡିୟମର ଛାତକୁ ଅର୍ଦ୍ଧଚନ୍ଦ୍ର ଆକାର ଓ ଏହାର ମିଡିଆ ସେଣ୍ଟରକୁ ଡମରୁ ଆକାରରେ ତିଆରି କରାଯାଇଛି।

୩୧ ଏକର ଜମିରେ ତିଆରି ହୋଇଥିବା ଏହି ବିଶାଳ ଷ୍ଟାଡିୟମ୍‌ରେ ୩୦ ହଜାର ଦର୍ଶକ ଏକାସଙ୍ଗରେ ବସି ମ୍ୟାଚ୍ ଦେଖି ପାରିବେ। ତେବେ ଏହି କ୍ଷମତାକୁ ୪୦ ହଜାର ପର୍ଯ୍ୟନ୍ତ ମଧ୍ୟ ବଢ଼ାଇ ହେବ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହାର ଜଳ ନିଷ୍କାସନ ବ୍ୟବସ୍ଥା। ଯଦି ମ୍ୟାଚ୍ ବେଳେ ପ୍ରବଳ ବର୍ଷା ହୁଏ, ତେବେ ପଡ଼ିଆକୁ ସୁଖିବାକୁ ମାତ୍ର ୩୦ ମିନିଟ ସମୟ ଲାଗିବ। ଅଧଘଣ୍ଟା ଭିତରେ ଖେଳ ଚାଲୁ ହୋଇପାରିବ।

​​​​​​​

ସୂଚନା ଥାଉକି ୨୦୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କ୍ରିକେଟ ଗ୍ରାଉଣ୍ଡର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ନିଜ ନିର୍ବାଚନ କ୍ଷେତ୍ର ବାରାଣସୀରେ ଏହି କ୍ରିକେଟ ଗ୍ରାଉଣ୍ଡ ପ୍ରକଳ୍ପ ଲଞ୍ଚ କରିଥିଲେ। ସେହି ସମୟରେ କାର୍ଯ୍ୟକ୍ରମରେ ସଚିନ ତେନ୍ଦୁଲକର, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ବି ଯୋଗ ଦେଇଥିଲେ।

ବର୍ତ୍ତମାନ ଏହି ଏହି କ୍ରିକେଟ ଗ୍ରାଉଣ୍ଡ ସମ୍ପୂର୍ଣ୍ଣ ତିଆରି ହୋଇସାରିଥିବା କୁହାଯାଉଛି। କ୍ରିକେଟ ମୁକାବିଲା ପାଇଁ ଖୁବ୍‌ଶୀଘ୍ର ଏହା ଖୋଲିପାରେ। ତେବେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବା ପୂର୍ବରୁ ବିସିସିଆଇର ଅନୁମତି ଦେବା ଏକ ବଡ଼ ପଦକ୍ଷେପ ହେବ। ଏଥିପାଇଁ ବୋର୍ଡ ପ୍ରଥମେ ଗ୍ରାଉଣ୍ଡ ଯାଞ୍ଚ କରିବ। ହେଲେ UPCA ଗ୍ରାଉଣ୍ଡ ଟେଷ୍ଟ ପାଇଁ ପ୍ରଥମେ କିଛି ଅଣ୍ଡର-୧୯ ମ୍ୟାଚ୍ ଖେଳାଇବାକୁ ଚାହୁଁଛି। ଯେଉଁଥିରେ ପିଚ୍‌ କ୍ୱାଲିଟି ବିଷୟରେ ଜଣାପଡ଼ିବ।

ସୂଚନା ଥାଉକି ଏହା ଉତ୍ତର ପ୍ରଦେଶରେ ତୃତୀୟ କ୍ରିକେଟ ଗ୍ରାଉଣ୍ଡ ହେବ। ଏହା ପୂର୍ବରୁ ରାଜ୍ୟର କାନପୁର ଓ ଲକ୍ଷ୍ନୌରେ ଦୁଇଟି କ୍ରିକେଟ ଗ୍ରାଉଣ୍ଡ ରହିଛି। ଯେଉଁଠି ଅନ୍ତର୍ଜାତୀୟ ମୁକାବିଲା କରାଯାଉଛି।