ଭୋପାଳ: ଦୁଇ ଭଉଣୀ ସମାନ ଢଙ୍ଗରେ ମୃତ୍ୟୁ l ଦୁଇ ଭଉଣୀଙ୍କ ମୃତ ଦେହ କୂଅରୁ ଉଦ୍ଧାର ଦେଉଛି l ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ଘଟିଛି ଏକ ରହସ୍ୟମୟ ହୃଦୟବିଦାରକ ଘଟଣା । ଦୁଇଟି ପୃଥକ ଘଟଣାରେ ଦୁଇ ଭଉଣୀଙ୍କ ସମେତ ଚାରି ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ଜଣେ ମହିଳା ଆଠ ମାସର ଗର୍ଭବତୀ ଥିବା ବେଳେ ବୁଧବାର ଘଟିଥିବା ଏହି ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଘଟଣାର କାରଣ ଜାଣିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

ରିପୋର୍ଟ ଅନୁଯାୟୀ, ବୈରାଡ଼ ଥାନା ଅନ୍ତର୍ଗତ ଗୁଙ୍ଗରଗାଁରେ ୩୫ ବର୍ଷୀୟ ଅଞ୍ଜଳି ରାୱତ ତାଙ୍କ ୬ ବର୍ଷୀୟ ପୁଅ ପ୍ରଶାନ୍ତଙ୍କ ସହ ଏକ କୂଅକୁ ଡେଇଁପଡ଼ିଥିବା ଅଭିଯୋଗ ହୋଇଛି। ଉଭୟଙ୍କୁ କୂଅରୁ ଉଦ୍ଧାର କରାଯାଇଥିଲେ ମଧ୍ୟ ସେମାନଙ୍କର ମୃତ୍ୟୁ ହୋଇଥିଲା। ଅଞ୍ଜଳିଙ୍କ ଗର୍ଭସ୍ଥ ଶିଶୁର ମଧ୍ୟ ମୃତ୍ୟୁ ହୋଇଥିବା ଖବରରେ ଉଲ୍ଲେଖ ରହିଛି।

ଅଞ୍ଜଳିଙ୍କ ଅନ୍ୟ ତିନି ଝିଅ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ତେବେ ତାଙ୍କ ବଡ଼ ଝିଅ ମୋନିକା ନିଜକୁ ଏବଂ ଅନ୍ୟ ଦୁଇ ଭଉଣୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଘରକୁ ଫେରିଥିଲେ ଏବଂ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ପ୍ରାୟ ଦେଢ଼ ମାସ ପୂର୍ବରୁ ଅଞ୍ଜଳିଙ୍କ ସ୍ୱାମୀ ଧର୍ମବୀର ସିଂହ ରାୱତଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ତେବେ ଏହି ଘଟଣା ସହ ଅଞ୍ଜଳିଙ୍କ ମୃତ୍ୟୁର କୌଣସି ସମ୍ପର୍କ ରହିଛି କି ନାହିଁ, ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।

ଅନ୍ୟ ଏକ ଘଟଣାରେ କୋଲାରସ ଥାନା ଅନ୍ତର୍ଗତ ଖୋନକର ଗାଁର ଏକ କୂଅରୁ ୪୦ ବର୍ଷୀୟ ସୀତା ରାୱତ ଏବଂ ତାଙ୍କର ତିନି ଶିଶୁଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଶିଶୁମାନେ ହେଲେ ୧୪ ବର୍ଷୀୟ ରାଖୀ, ୧୧ ବର୍ଷୀୟ ପ୍ରିୟଙ୍କା ଏବଂ ୬ ବର୍ଷୀୟ ଶ୍ଲୋକ।

ସୀତା ତାଙ୍କ ତିନି ଶିଶୁଙ୍କୁ ନେଇ ଖୋନକର ଗାଁର ଏକ ଜମିକୁ ଯାଇଥିଲେ। ସନ୍ଧ୍ୟା ପ୍ରାୟ ୬ଟା ସୁଦ୍ଧା ସେମାନେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। ଏହି ସମୟରେ ଏକ କୂଅ ନିକଟରେ ଚପଲ ପଡ଼ିଥିବା ଦେଖିବା ସହ କୂଅ ଭିତରେ ଜଣେ ଶିଶୁଙ୍କ ମୃତଦେହ ଦେଖିଥିଲେ। ପରେ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ରାତି ପ୍ରାୟ ୧୧ଟା ସୁଦ୍ଧା ଚାରି ଜଣଙ୍କ ମୃତଦେହ ଉଦ୍ଧାର କରିଥିଲା।

also read- କବିରାଜ ହତ୍ୟାକାଣ୍ଡ ଘଟଣା, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ, ଜବତ କଲା ତେଲେଙ୍ଗାନା କଟୁରୀ

ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ଅଞ୍ଜଳି ଓ ସୀତାଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିଲା ଏବଂ ସେମାନେ ନିୟମିତ ଫୋନ୍ରେ କଥା ହେଉଥିଲେ। ସେହି ଦିନ ଅଞ୍ଜଳିଙ୍କ ମୃତ୍ୟୁ ଘଟଣାରେ ସୀତା ମାନସିକ ଭାବେ ପ୍ରଭାବିତ ହୋଇଥାଇପାରନ୍ତି ବୋଲି ପରିବାର ଲୋକେ ସନ୍ଦେହ କରୁଛନ୍ତି। ତେବେ ଦୁଇଟି ଘଟଣା ମଧ୍ୟରେ କୌଣସି ସମ୍ପର୍କ ରହିଛି କି ନାହିଁ, ତାହା ପୁଲିସ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ। ସମସ୍ତ ଛଅ ଜଣଙ୍କ ମୃତଦେହର ବ୍ୟବଚ୍ଛେଦ ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ଉଭୟ ଘଟଣାର ପରିସ୍ଥିତି ଓ କାରଣ ଜାଣିବା ପାଇଁ ପୁଲିସ ତଦନ୍ତ ଚଳାଇଛି।