ନୂଆଦିଲ୍ଲୀ: ଭାରତୀୟ ଦଳର ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ ବୋଲିଂ ଆଗରେ ବିଶ୍ୱର ବଡ଼ ବଡ଼ ବ୍ୟାଟର ଆଣ୍ଠେଇ ପଡ଼ିବା ନୂଆ କଥା ନୁହେଁ। ଅନେକ କଠିନ ପରିସ୍ଥିତିରେ ନିଜର ଶାଣିତ ବୋଲିଂ ବଳରେ ସେ ଭାରତକୁ ବିଜୟୀ କରାଇଛନ୍ତି। ସେଥିପାଇଁ ବିଶ୍ୱର ଅନେକ କ୍ରିକେଟ କିମ୍ବଦନ୍ତୀ ତାଙ୍କୁ ପ୍ରଶଂସାରେ ପୋତି ପକାନ୍ତି। ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱକାର ୟୁନିସ୍ ମଧ୍ୟ ବୁମରାଙ୍କ ଦକ୍ଷତାକୁ ସ୍ୱୀକାର କରିଛନ୍ତି। କିନ୍ତୁ ଟେଷ୍ଟ କ୍ରିକେଟ୍‌କୁ ନେଇ ସେ ବୁମରାଙ୍କ ବିଷୟରେ ଏକ ଭିନ୍ନ ରଖିଛନ୍ତି। ୱକାରଙ୍କ ଅନୁଯାୟୀ, ସୀମିତ ଓଭର କ୍ରିକେଟରେ ବୁମରାଙ୍କର କୌଣସି ବିକଳ୍ପ ନାହିଁ, ମାତ୍ର ଟେଷ୍ଟ କ୍ରିକେଟରେ ତାଙ୍କୁ ଆହୁରି ଅନେକ କିଛି ପ୍ରମାଣିତ କରିବାକୁ ବାକି ରହିଛି।

ହ୍ୱାଇଟ୍-ବଲ୍ କ୍ରିକେଟରେ ବୁମରା ଅପ୍ରତିଦ୍ୱନ୍ଦ୍ୱୀ

ଶୁଭଙ୍କର ମିଶ୍ରଙ୍କ ଏକ ପୋଡକାଷ୍ଟରେ ଆଲୋଚନା ବେଳେ ୱକାର ୟୁନିସ୍ ବୁମରାଙ୍କ ଭୂୟସୀ ପ୍ରଶଂସା କରିଥିଲେ। ସେ କହିଛନ୍ତି ଯେ, ବର୍ତ୍ତମାନର ସମୟରେ ହ୍ୱାଇଟ୍-ବଲ୍ କ୍ରିକେଟରେ ବୁମରାଙ୍କ ସମକକ୍ଷ ବୋଲର ପାଇବା ଅସମ୍ଭବ। ବିଶେଷ କରି ମ୍ୟାଚର ଚାପଗ୍ରସ୍ତ ମୁହୂର୍ତ୍ତରେ ଦଳକୁ ୱିକେଟ୍ ଦରକାର ଥିବା ସମୟରେ ବୁମରା ସବୁବେଳେ ପ୍ରତ୍ୟାବର୍ତ୍ତନ କରାଇଥାନ୍ତି।

Also Read: ଲସିଥ ମାଲିଙ୍ଗା ସହ ସଂପର୍କ ତୁଟାଇଲା ମୁମ୍ବାଇ ଇଣ୍ଡିଆନ୍ସ, IPL 2027 ପୂର୍ବରୁ ନେଲା ବଡ଼ ନିଷ୍ପତ୍ତି

୨୦୨୪ ଟି-୨୦ ବିଶ୍ୱକପ୍‌ରେ ନ୍ୟୁୟର୍କଠାରେ ଭାରତ-ପାକିସ୍ତାନ ମ୍ୟାଚ୍ କଥା ମନେପକାଇ ୱକାର କହିଛନ୍ତି ଯେ, ସେହି ମ୍ୟାଚ୍‌ରେ ପାକିସ୍ତାନ ସହଜ ବିଜୟ ଆଡ଼କୁ ଗତି କରୁଥିଲା। କିନ୍ତୁ ବୁମରା ମହମ୍ମଦ ରିଜୱାନଙ୍କୁ ଆଉଟ୍ କରି ଭାରତ ପାଇଁ ବିଜୟର ରାସ୍ତା ଖୋଲିଦେଇଥିଲେ। ବଡ଼ ଖେଳାଳି ସେହିମାନେ, ଯେଉଁମାନେ ସଙ୍କଟ ସମୟରେ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୁଅନ୍ତି।

ଟେଷ୍ଟରେ କାହିଁକି ଆହୁରି ପରୀକ୍ଷା ବାକି ?

ଟେଷ୍ଟ କ୍ରିକେଟ୍ ବିଷୟରେ କହିବାକୁ ଯାଇ ୱକାର ବୁମରାଙ୍କ ଆଘାତ  ଏବଂ ୱର୍କଲୋଡ୍ ମ୍ୟାନେଜମେଣ୍ଟ୍ କଥା ଉଠାଇଛନ୍ତି। ଆଘାତ ସମସ୍ୟା ଯୋଗୁଁ ବୁମରା ଅନ୍ୟ ପ୍ରମୁଖ ଦ୍ରୁତ ବୋଲରଙ୍କ ତୁଳନାରେ କମ୍ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଅଷ୍ଟ୍ରେଲିଆର ମିଚେଲ ଷ୍ଟାକ ଓ ଜୋସ୍ ହେଜଲଉଡଙ୍କ ଭଳି ବୋଲରଙ୍କ ଲମ୍ବା ଟେଷ୍ଟ କ୍ୟାରିୟର ଓ ପ୍ରଦର୍ଶନକୁ ଧ୍ୟାନରେ ରଖି ବିଚାର କରିବାକୁ ସେ ମତ ଦେଇଛନ୍ତି। ତେବେ ଏହା ତାଙ୍କର ବ୍ୟକ୍ତିଗତ ମତ ଏବଂ ଏହାଦ୍ୱାରା ବୁମରାଙ୍କ ସଫଳତା କମିଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

Also Read: ‘ମୋତେ ୨୦୨୭ ବିଶ୍ଵକପ୍ ...’, ନିଜ ମନର କଥା କହି ଦେଲେ ହିଟମ୍ୟାନ, ଭିଡିଓ ଭାଇରାଲ୍