ନୂଆଦିଲ୍ଲୀ: ମହିଳା ଟି-୨୦ ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ଦମଦାର ମ୍ୟାଚ୍। ଶ୍ରୀଲଙ୍କା ମହିଳା କ୍ରିକେଟ ଦଳ ନିଜର ଚତୁର୍ଥ ମୁକାବିଲାରେ ଆୟରଲ୍ୟାଣ୍ଡକୁ ୯ ଓ୍ଵିକେଟରେ ଧୂଳି ଚଟାଇ ନିଜର ସେମିଫାଇନାଲ୍ ଆଶା ଉଜ୍ଜିବୀତ ରଖିଛି। ଗ୍ରୁପ୍-ବି’ର ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ବିଜୟ ସହ ଶ୍ରୀଲଙ୍କା ଦଳ ୪ଟି ମ୍ୟାଚ୍ରୁ ୪ ପଏଣ୍ଟ ପାଇ ଟେବୁଲର ଚତୁର୍ଥ ସ୍ଥାନରେ ପହଞ୍ଚିଛି। ଆଉ ଶ୍ରୀଲଙ୍କାର ଏହି ବିଜୟର ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ଦଳର ଅଧିନାୟିକା ଚାମରୀ ଅଟ୍ଟାପଟ୍ଟୁ। ସେ ଚୌକା-ଛକାର ବର୍ଷା କରି ଅପରାଜିତ ଶତକ ହାସଲ କରିଛନ୍ତି।

ମାତ୍ର ୫୮ ବଲରେ ଶତକ, ଭାଙ୍ଗିଲେ ଅନେକ ରେକର୍ଡ

ଆୟରଲ୍ୟାଣ୍ଡ ପକ୍ଷରୁ ମିଳିଥିବା ରନର ପିଛା କରି ଚାମରୀ ଅଟ୍ଟାପଟ୍ଟୁ ଆରମ୍ଭରୁ ହିଁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ସେ ମାତ୍ର ୫୮ଟି ବଲରେ ନିଜର ଶତକ ପୂରଣ କରିବା ସହ ମୋଟ ୬୧ ବଲରୁ ୧୦୬ ରନର ଏକ ବିସ୍ଫୋରକ ପାଳି ଖେଳିଥିଲେ। ତାଙ୍କର ଏହି ଧୁଆଁଧାର ଇନିଂସରେ ୧୭ଟି ଚୌକା ଏବଂ ୨ଟି ଛକା ସାମିଲ ଥିଲା। ଏହି ଶତକୀୟ ପାଳି ସହିତ ଅଟ୍ଟାପଟ୍ଟୁ କ୍ରିକେଟ ଜଗତରେ ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ଶ୍ରୀଲଙ୍କା ପାଇଁ ମହିଳା ଟି-୨୦ ବିଶ୍ୱକପ୍ ଇତିହାସରେ ଏହା ହେଉଛି କୌଣସି ବି ବ୍ୟାଟରଙ୍କ ଦ୍ୱାରା ପ୍ରଥମ ଶତକ। ସେହିପରି ଭାରତୀୟ ଅଧିନାୟିକା ହରମନପ୍ରୀତ କୌରଙ୍କ ଭଳି ତାରକା ଖେଳାଳିଙ୍କ ରେକର୍ଡକୁ ମଧ୍ୟ ସେ ଧ୍ୱସ୍ତ କରିଦେଇଛନ୍ତି।

Also Read: ICC T20 ମାନ୍ୟତାରେ ଭାରତର ଜଲଓ୍ଵା, ଟପ୍-୭ ବ୍ୟାଟରେ ୪ ଭାରତୀୟ, ଅଭିଷେକ ନମ୍ବର-୧

ବିଶ୍ୱର ପ୍ରଥମ ମହିଳା କ୍ରିକେଟର ଭାବେ ଗଢ଼ିଲେ କୀର୍ତ୍ତିମାନ

ଚାମରୀ ଅଟ୍ଟାପଟ୍ଟୁ ଏବେ ବିଶ୍ୱର ପ୍ରଥମ କ୍ରିକେଟର ବନିଛନ୍ତି, ଯିଏ ମହିଳା ଟି-୨୦ ବିଶ୍ୱକପ୍ରେ ବିଜୟ ଲକ୍ଷ୍ୟ ପିଛା ସମୟରେ ଶତକ ଲଗାଇଛନ୍ତି। ଏହା ସହିତ ବିଶ୍ୱକପରେ ସବୁଠାରୁ ବଡ଼ ସ୍କୋର କରିବାର ରେକର୍ଡ ମଧ୍ୟ ଏବେ ନିଜ ନାମରେ କରିଛନ୍ତି।

ତାଙ୍କ ପୂର୍ବରୁ ଚଳିତ ବିଶ୍ୱକପର ଏହି ସଂସ୍କରଣରେ ୱେଷ୍ଟଇଣ୍ଡିଜର ଶେମାଇନ୍ କ୍ୟାମ୍ପବେଲ୍ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୯୦ ରନର ଇନିଂସ ଖେଳି ଏହି ରେକର୍ଡ ନିଜ ନାମରେ କରିଥିଲେ। ମାତ୍ର ଚାମରୀ ଅଟ୍ଟାପଟ୍ଟୁଆୟରଲ୍ୟାଣ୍ଡ ବିପକ୍ଷରେ ୧୦୬ ରନ୍ କରି କ୍ୟାମ୍ପବେଲଙ୍କୁ ପଛରେ ପକାଇ ଦେଇଛନ୍ତି। ଚାମରୀଙ୍କର ଏହି ବିଶ୍ୱ ମାନ୍ୟତା ପ୍ରଦର୍ଶନ ଯୋଗୁଁ ଶ୍ରୀଲଙ୍କାର ସେମିଫାଇନାଲ ରେସ୍ ଏବେ ବେଶ୍ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି।