ନୂଆଦିଲ୍ଲୀ:  ରାତାରାତି ପୂରା ଟିମ୍‌ ସସପେଣ୍ଡ । ସକାଳେ ପଡ଼ିଆକୁ ଓହ୍ଲାଇଲା ସମ୍ପୂର୍ଣ୍ଣ ନୂଆ ଟିମ୍‌ । ଅରୁଣାଚଳ ପ୍ରଦେଶ ପରେ ଏବେ ମେଘାଳୟ ରାଜ୍ୟ କ୍ରିକେଟ ଟିମ୍‌ର ମହାନାଟକ ଦେଖିବାକୁ ମିଳିଛି । କ୍ରିକେଟ ବୋର୍ଡର ଆଭ୍ୟନ୍ତରୀଣ କନ୍ଦଳକୁ ନେଇ ଅନେକ ଚର୍ଚ୍ଚା ।'ଦି ଇଣ୍ଡିଆନ୍ ଏକ୍ସପ୍ରେସ'ର ରିପୋର୍ଟ ଅନୁଯାୟୀ, ପ୍ରଥମ ତିନୋଟି ମ୍ୟାଚ୍ ଖେଳିଥିବା ମେଘାଳୟ ଦଳକୁ 'ମେଘାଳୟ କ୍ରିକେଟ୍ ଆସୋସିଏସନ୍' ର ଆପେକ୍ସ କାଉନସିଲ୍ ଚୟନ କରିଥିଲା। 

ଯୌନ ନିର୍ଯାତନା ଅଭିଯୋଗକୁ ଚାପିଦେବା ଅଭିଯୋଗରେ ବୋର୍ଡ ସମ୍ପାଦକ ରାୟୋନାଲ୍ଡ ଖାରକାମନିଙ୍କୁ ନିଲମ୍ବନ କରାଯିବା ନେଇ ବୋର୍ଡ ସଭାପତି ଜେମ୍ସ ସାଙ୍ଗମା ଏବଂ ଆପେକ୍ସ କାଉନସିଲ୍ ମଧ୍ୟରେ ତୀବ୍ର ବିବାଦ ଲାଗିରହିଥିଲା। ମ୍ୟାଚ୍ ପୂର୍ବରୁ ହାଇକୋର୍ଟ ସାଙ୍ଗମାଙ୍କ ପକ୍ଷରେ ରାୟ ଦେଇ ଖାରକାମନିଙ୍କ ନିଲମ୍ବନକୁ କାଏମ୍ ରଖିଥିଲେ ।  ତାଙ୍କ ଅଧୀନରେ ଗୃହୀତ ସମସ୍ତ ପ୍ରସ୍ତାବକୁ ବେଆଇନ ଘୋଷଣା କରିଥିଲେ। ଏହାପରେ ସାଙ୍ଗମାଙ୍କ ଗୋଷ୍ଠୀ ରାତାରାତି ଏକ ନୂଆ ଦଳ ଚୟନ କରିଥିଲେ।

ଅନ୍ୟପଟେ, ଆପେକ୍ସ କାଉନସିଲ୍ ଦ୍ବାରା ଚୟନ ହୋଇଥିବା ପୁରୁଣା ଦଳ ଅଭ୍ୟାସ ସାରି ନାଗାଲାଣ୍ଡ ମ୍ୟାଚ୍ ପୂର୍ବରୁ ମ୍ୟାଚ୍ ରେଫରୀ ଅରିନ୍ଦମଙ୍କ ସହ ସାକ୍ଷାତ କରିସାରିଥିଲା। ବିସିସିଆଇ ସେମାନଙ୍କ ଟିମ୍‌କୁ ସ୍ୱୀକୃତି ଦେବା ପରେ ସେମାନଙ୍କୁ ଖେଳିବାକୁ ଅନୁମତି ମିଳିବ ବୋଲି ରେଫରୀ ଆଶ୍ୱାସନା ମଧ୍ୟ ଦେଇଥିଲେ। କିନ୍ତୁ ସେହି ସନ୍ଧ୍ୟାରେ ଖେଳାଳିମାନଙ୍କ ନିକଟକୁ ଏକ ଫୋନ୍ କଲ୍ ଆସିଥିଲା, ଯେଉଁଥିରେ ହାଇକୋର୍ଟ ସେମାନଙ୍କ ଦଳକୁ ନିସିଦ୍ଧ ଘୋଷଣା କରିଥିବାରୁ ସେମାନେ ଆଉ ପଡ଼ିଆକୁ ଓହ୍ଲାଇ ପାରିବେ ନାହିଁ ବୋଲି କୁହାଯାଇଥିଲା।

ରିପୋର୍ଟ ଅନୁଯାୟୀ, ଏହି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ମଧ୍ୟରେ ସେମାନଙ୍କ ଟିମ୍ ମ୍ୟାନେଜରଙ୍କୁ ଧମକ ଦିଆଯିବାରୁ ସେ ସ୍ଥାନ ଛାଡ଼ି ଚାଲିଯାଇଥିଲେ। ଦଳ ପ୍ରତି ଥିବା ବିପଦ ଓ ଧମକ ବାବଦରେ ଟିମ୍ କ୍ୟାପଟେନ୍ ମ୍ୟାଚ୍ ରେଫରୀଙ୍କ ନିକଟରେ ଅଭିଯୋଗ କରିବା ପରେ ରେଫରୀ ନିଜର ହୋଟେଲ ବଦଳାଇ ଦେଇଥିଲେ। ରାତି ୧୧ଟା ସୁଦ୍ଧା ବିସିସିଆଇର ଅନୁମୋଦନ କ୍ରମେ ଏକ ନୂଆ ଟିମ୍ ପଞ୍ଜୀକୃତ ହୋଇସାରିଥିବା ପୁରୁଣା ଖେଳାଳିମାନଙ୍କୁ ଜଣାଯାଇଥିଲା।

ପରଦିନ ସକାଳେ ପୁରୁଣା ଖେଳାଳିମାନେ ଷ୍ଟାଡିୟମ୍‌ରେ ପହଞ୍ଚିବା ପରେ ଡ୍ରେସିଂ ରୁମ୍‌ରେ ତାଲା ପଡ଼ିଥିବା ଦେଖିବାକୁ ପାଇଥିଲେ । ଏହା ପରେ ସେଠାରେ ପୁଲିସକୁ ଡକାଯାଇଥିଲା। ପରବର୍ତ୍ତୀ ସମୟରେ ବୋର୍ଡ ସଭାପତି ଜେମ୍ସ ସାଙ୍ଗମା କ୍ଷମା ପ୍ରାର୍ଥନା କରିବା ପରେ ଡ୍ରେସିଂ ରୁମ୍ ଖୋଲାଯାଇଥିଲା। କେବଳ ସିନିୟର ଟିମ୍ ନୁହେଁ, ମେଘାଳୟର ଅଣ୍ଡର-୨୩ ଟିମ୍‌କୁ ମଧ୍ୟ ସିକିମ୍‌ରୁ ଫେରାଇ ଅଣାଯାଇ ସେମାନଙ୍କ ସ୍ଥାନରେ ନୂଆ ଖେଳାଳିଙ୍କୁ ସାମିଲ କରାଯାଇଛି।