ଚଣ୍ଡିଗଡ଼: ଆଗକୁ ପଞ୍ଜାବ ବିଧାନସଭା ନିର୍ବାଚନ ଥିବା ବେଳେ ଦଳ ଉପରେ ଅସନ୍ତୋଷ ଝାଡ଼ିଛନ୍ତି ବିଜେପିର ବରିଷ୍ଠ ନେତା କ୍ୟାପ୍ଟେନ୍ ଅମରିନ୍ଦର ସିଂହ। ତାଙ୍କର ପାଖରେ ରାଜ୍ୟ ରାଜନୀତିରେ ୬୦ ବର୍ଷର ଅଭିଜ୍ଞତା ଅଛି। ଦୀର୍ଘ ବର୍ଷ ହେବ ସେ ରାଜନୀତିକୁ ଦେଖୁଛନ୍ତି, ତଥାପି ଦଳ ତାଙ୍କୁ କୌଣସି କଥା ପଚାରୁ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଦୁଇଥର ପଞ୍ଜାବ ମୁଖ୍ୟମନ୍ତ୍ରୀ ହୋଇଥିବା ଅମରିନ୍ଦର ସିଂହ କହିଛନ୍ତି ଯେ କିଛି ବିଜେପି କର୍ମକର୍ତ୍ତା ରାଜ୍ୟରେ ଦଳ କଥା ବୁଝୁଛନ୍ତି। କିନ୍ତୁ ସେମାନଙ୍କ ପାଖରେ ରାଜ୍ୟ ରାଜନୀତିର ଗୋଟିଏ ବର୍ଷର ବି ଅଭିଜ୍ଞତା ନାହିଁ। ଏହା ସତ୍ତ୍ୱେ ବି ଦଳ ତାଙ୍କୁ ପଚାରୁ ନାହିଁ ବୋଲି ଅମରିନ୍ଦର କହିଛନ୍ତି।
​​​​​​​
ମିଡିଆକୁ ପ୍ରତିକ୍ରିୟା ଦେଇ ଅମରିନ୍ଦର କହିଛନ୍ତି “ମୁଁ ଏବଂ ମୋର ସହଯୋଗୀମାନେ ପଞ୍ଜାବର ନିର୍ବାଚନୀ ରାଜନୀତିରେ ୬୦ ବର୍ଷ ବିତାଇଛୁ। ଆମେ ପଞ୍ଜାବକୁ ବିଭିନ୍ନ ଉତ୍ଥାନ-ପତନ ଓ ଅସ୍ଥିରତା ମଧ୍ୟ ଦେଇ ଗତି କରିବାର ଦେଖିଛୁ ଏବଂ କିଛି କାର୍ଯ୍ୟ ମଧ୍ୟ କରିଛୁ। ଆମେ କେବଳ ଏତିକି ଆଶା କରୁଛୁ ଯେ, ବିଜେପି ଆମର ଅଭିଜ୍ଞତା ଉପରେ ଆଧାରିତ ମତାମତକୁ ଗ୍ରହଣ କରିବ ଏବଂ ତା’ର ମୂଲ୍ୟ ଦେବ।”

କ୍ୟାପ୍ଟେନ୍ ଅମରିନ୍ଦର ସିଂହ ପୂର୍ବରୁ ଜଣେ ଟାଣୁଆ କଂଗ୍ରେସ ନେତା ଥିଲେ। ସେ କଂଗ୍ରେସ ଦଳରୁ ହିଁ ଦୁଇଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ ଦଳ ଭିତରେ ମତଭେଦ ପାଇଁ ସେ ୨୦୨୧ରେ କଂଗ୍ରେସ ଛାଡ଼ି ନିଜର ଏକ ଦଳ ପଞ୍ଜାବ ଲୋକ କଂଗ୍ରେସର ଗଠନ କରିଥିଲେ। ଏହାପରେ ୨୦୨୨ରେ ସେ ତାଙ୍କ ଦଳକୁ ବିଜେପି ସହିତ ମିଶାଇ ଦେଇଥିଲେ।

Also Read- ପାକିସ୍ତାନୀ ସାମ୍ବାଦିକଙ୍କୁ ଜୟଶଙ୍କରଙ୍କ କଡ଼ା ଜବାବ, ଜାଣନ୍ତୁ କହିଲେ କ’ଣ?

ଏବେ ଅମରିନ୍ଦର ପୁଣି କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚା ଭିତରେ ସେ ମିଡିଆରେ ଏଭଳି ବୟାନ ଦେବା ଆକଳନକୁ ଆହୁରି ଖୋରାକ ଯୋଗାଉଛି। ହେଲେ ଏନେଇ ଅମିରନ୍ଦର କହିଛନ୍ତି ରାଜନୈତିକ ଦଳଗୁଡ଼଼ିକ ମଧ୍ୟରେ ପରିବର୍ତ୍ତନ ଆସିଥାଏ। ହେଲେ ସେ ଏବେ ବିଜେପି ଛାଡ଼ିବାକୁ ବିଚାର କରୁ ନାହାନ୍ତି ବୋଲି କହିଛନ୍ତି।

ଅମରିନ୍ଦର କହିଛନ୍ତି “"ମୁଁ ଏହା କହିନାହିଁ ଯେ କଂଗ୍ରେସ କିମ୍ବା ବିଜେପିରେ ମୋର ଗୁରୁତ୍ୱ ଆଉ ନାହିଁ। ରାଜନୈତିକ ଦଳଗୁଡ଼ିକ ସମୟକ୍ରମେ ପରିବର୍ତ୍ତନ ହୋଇଥାଏ। ଯେତେବେଳେ ମୁଁ କଂଗ୍ରେସରେ ଥିଲି, 'ଅପରେସନ୍ ବ୍ଲୁ ଷ୍ଟାର୍' ପରେ ମୁଁ ଅକାଳୀ ଦଳରେ ଯୋଗ ଦେଇଥିଲି ଏବଂ ପରେ ପୁଣି କଂଗ୍ରେସକୁ ଫେରିଥିଲି। ଏହାର ଅର୍ଥ ନୁହେଁ ଯେ ମୁଁ ବର୍ତ୍ତମାନ ଦଳ ଛାଡ଼ି ଅନ୍ୟ କୌଣସି ଦଳରେ ଯୋଗ ଦେବି।" ପଞ୍ଜାବ ସମ୍ପର୍କରେ ନିଜର ମତାମତ ରଖିବା ଜଣେ ବିଜେପି ସଦସ୍ୟ ଭାବରେ ତାଙ୍କର ଦାୟିତ୍ୱ। ଏହାର ଅର୍ଥ ନୁହେଁ ଯେ ମୁଁ ଦଳ ଛାଡ଼ୁଛି ବୋଲି ଅମରିନ୍ଦର କହିଛନ୍ତି।

ବୟସ ନେଇ ପ୍ରଶ୍ନ ଉଠିବା ପରେ କଣ କହିଲେ ଅମରିନ୍ଦର ?

କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ବୟସ ବର୍ତ୍ତମାନ ୮୪ । ତେଣୁ ତାଙ୍କ ବୟସ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ଏନେଇ ସେ କହିଛନ୍ତି ଯେ ରାଜନୈତିକ କ୍ୟାରିୟର ପୂର୍ଣ୍ଣଚ୍ଛେଦ ପକାଇବାରେ ବୟସର ଆବଶ୍ୟକତା ନଥାଏ। ଏନେଇ ସେ ମୋରାରଜୀ ଦେଶାଇଙ୍କ ଉଦାହରଣ ଦେଇଥିଲେ। ଏବଂ ସେ ୮୧ ବୟସରେ ବି ପ୍ରଧାନମନ୍ତ୍ରୀ ହୋଇଥିଲେ ବୋଲି ଅମରିନ୍ଦର କହିଥିଲେ। ସେ କହିଛନ୍ତି “ମୋତେ ୮୪ ବୟସ, କିନ୍ତୁ ମୋରାରଜୀ ଦେଶାଇ ବି ୯୨ ବର୍ଷର ଥିଲେ।”