ଭୁବନେଶ୍ବର: ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଷଷ୍ଠ ଅଧିବେଶନ। କୋଟିଆ, ଚାଷୀ, ନାରୀ ସୁରକ୍ଷା ଭଳି ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ବି ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ। ଏହାରି ମଧ୍ୟରେ ସୋମବାର ବିଧାନସଭା ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସରିଛି। ବୈଠକରେ ଗୃହ ପରିଚାଳନା ପାଇଁ ସବୁ ଦଳର ସହଯୋଗ ଲୋଡ଼ିଛନ୍ତି ବାଚସ୍ପତି।

ବୈଠକରେ ବାଚସ୍ପତି କହିଛନ୍ତି, ସପ୍ତଦଶ ବିଧାନସଭାର ୬ଷ୍ଠ ଅଧିବେଶନ ମଙ୍ଗଳବାର ଠାରୁ ଆରମ୍ଭ ହେଉଛି। ଏହି ବୈଠକରେ ସବୁ ଦଳର ନେତା ଉପସ୍ଥିତ ଥିଲେ। କାର୍ଯ୍ୟସୂଚୀ ବାବଦରେ ଆଲୋଚନା ହୋଇଥିଲା। ଫେବ୍ରୁଆରୀ ୧୭ରେ ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭ ହେବ। ୧୮ ଓ ୧୯ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଆଲୋଚନା ହେବ। ଏହା ପରେ ୨୦ ତାରିଖରେ ବଜେଟ୍ ଉପସ୍ଥାପନ ହେବ। ତେଣୁ ଚଳିତ ଅଧିବେଶନରେ ସମସ୍ତ ସଦସ୍ୟ ସହଯୋଗ କରିବାକୁ ଆଲୋଚନା କରାଯାଇଛି।

ସେପଟେ ବୈଠକ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ କହିଛନ୍ତି, ‘‘ ଆମେ ମୁଖ୍ୟତଃ ଚାଷୀଙ୍କ ପ୍ରସଙ୍ଗ ଉଠାଇବୁ। ବର୍ତ୍ତମାନ କଟନୀ ଛଟନୀ ବନ୍ଦ ହେଉ ନାହିଁ। ଏହାକୁ ଆମେ ବିଧାନସଭାରେ ପ୍ରଥମେ ଉଠାଇବୁ।’’ ସେହିଭଳି କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି, ‘‘ ବାଚସ୍ପତି ବିରୋଧୀଙ୍କୁ ସମୟ ଦେବା ପାଇଁ ଆମେ ଅନୁରୋଧ କରିଛୁ। କୋଟିଆ, ଚାଷୀ, ନାରୀ ସୁରକ୍ଷା କଥା ଆମେ ଉଠାଇବୁ। ଏସସିଏସଟି, ଓବିସି ପ୍ରସଙ୍ଗ ମଧ୍ୟ ଉଠାଇବୁ।’’