ଭୁବନେଶ୍ବର ୧୯।୮: ଓଡ଼ିଶାର ଅର୍ଥନୀତି ଆଜି ବିପଦରେ । ନିକଟରେ ପାର୍ଲିଆମେଣ୍ଟରେ MMDR ବିଲ୍ ପାସ୍ ହୋଇଛି । ଏହା ଓଡ଼ିଶା ଓ ଓଡ଼ିଶାବାସୀଙ୍କର ବହୁତ କ୍ଷତି କରିବାକୁ ଯାଉଛି । ଏତେ ଗୁରୁତ୍ବପୂର୍ଣ୍ଣ ବିଲ୍ କିନ୍ତୁ ବିନା ଆଲୋଚନାରେ କେନ୍ଦ୍ର ସରକାର ପାସ୍ କରିଦେଲେ । କେବଳ ବିଜେଡି ସାଂସଦମାନେ ଏହାକୁ ରାଜ୍ୟସଭାରେ ବିରୋଧ କରିଥିଲେ । ଏହି ବିଲକୁ ବିରୋଧ କରି ମୁଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି । ସର୍ବଦଳୀୟ ବୈଠକ ଡାକିବାକୁ ଓ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ଚିଠିରେ ଅନୁରୋଧ ମଧ୍ୟ କରିଛି ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ନବୀନ ଆହୁରି ବି କହିଛନ୍ତି ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥ ଆଗରେ କେହି ବଡ଼ ନୁହେଁ । ପାର୍ଟି ନୁହେଁ ମାଟିର ସ୍ବାର୍ଥ ପାଇଁ ଆମକୁ ଆଜି ଏକାଠି ହେବାକୁ ପଡିବ । MMDR ବିଲ୍ ଆମ ଖଣି ଉପରେ ଆମର ଅଧିକାରକୁ ଶେଷ କରି ଦେଇଛି । ଏହି ବିଲ୍ ଆମ ଅଧିକାର ଛଡ଼େଇ ନେଇଛି । ଆମ ଲୋକଙ୍କ କଲ୍ୟାଣ ପାଇଁ ଆମ ଖଣିରୁ ଆମେ କାହିଁକି ଟିକସ ସଂଗ୍ରହ କରିପାରିବୁନି ତାକୁ ନେଇ ପ୍ରଶ୍ନ କରିଛନ୍ତି ନବୀନ । ଦିଲ୍ଲୀ ଦରବାର ଆମ ସମ୍ପଦରେ ସମୃଦ୍ଧ ହେବ । ଏହା ଆମେ ହେବାକୁ ଦେବାନି ।

Also Read:- ଝାଡ଼ଖଣ୍ଡରୁ ଆସୁଛି ବନ୍ୟାଜଳ, ସନ୍ଧ୍ୟାରୁ ବାଲେଶ୍ୱରରେ ବଢ଼ିବ ପାଣି

୨୪ ବର୍ଷ ଧରି ମୁଁ ଓଡ଼ିଶାର ସ୍ବାର୍ଥକୁ ଜଗିଥିଲି । କେନ୍ଦ୍ରରେ ବିଭିନ୍ନ ଦଳର ସରକାର ଥିଲେ ମଧ୍ୟ ଓଡ଼ିଶାର ଅଧିକାରରେ କ୍ଷତି ଆଣିବାକୁ କେହି ସାହସ କରି ନ ଥିଲେ । ଆପଣମାନେ ୨୦୨୪ରେ ପରିବର୍ତ୍ତନ କରି ନୂଆ ବିଜେପି ସରକାର ଆଣିଲେ । କିନ୍ତୁ ମାତ୍ର ୨ ବର୍ଷ ଭିତରେ ସବୁ ବଦଳିଗଲା । ଓଡ଼ିଶାକୁ ଏବେ କେନ୍ଦ୍ରର ଦୟା ଉପରେ ନିର୍ଭର କରିବାକୁ ହେବ ।

ଆପଣମାନେ ଓଡ଼ିଶାରୁ ଲୋକସଭାକୁ ୨୦ ଜଣ ବିଜେପି ସାଂସଦ ଦେଲେ । କିନ୍ତୁ ଏ ମାଟି ପାଇଁ କେହି ବି ପାଟି ଖୋଲିଲେନି। କେବଳ ବିଜେଡି ହିଁ ରାଜ୍ୟସଭାରେ ଏହି ବିଲ୍କୁ ଦୃଢ଼ ବିରୋଧ କରିଥିଲା । ଏ ମାଟି ଆମର । ଏ ଖଣି ଆମର। ଆମ ଅଧିକାରର ସୁରକ୍ଷା ପାଇଁ ମୁଁ ଲଢ଼ିବି । ଶେଷ ନିଶ୍ବାସ ପର୍ଯ୍ୟନ୍ତ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ଅଧିକାର ପାଇଁ ମୋର ଲଢେଇ ଜାରି ରହିବ । ଏହି ଲଢେଇରେ ଓଡ଼ିଶାବାସୀ ସାମିଲ ହେବାକୁ ନିବେଦନ କରିଛନ୍ତି ନବୀନ ।

Watch Video: