କୋଲକାତା: ପଶ୍ଚିମବଙ୍ଗରୁ ଆସିଛି ବଡ଼ ଖବର। ରାଜ୍ୟର ହିଙ୍ଗଲଜଙ୍ଗରୁ ବିଜେପି ବିଧାୟିକା ରେଖା ପାତ୍ରଙ୍କୁ ଗୁରୁତର ଅବସ୍ଥାରେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଶରୀରରେ ବିଷକ୍ରିୟା ରହିଥିବା ମେଡିକାଲ୍ ଯାଞ୍ଚରୁ ଜଣା ପଡ଼ିଛି। ବର୍ତ୍ତମାନ ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି। ତାଙ୍କୁ ବିଷ ଦିଆଯାଇଥିବା ସନ୍ଦେହ କରାଯାଉଛି।

ସୂଚନା ମୁତାବକ, ଶନିବାର ରାତି ପ୍ରାୟ ୯ଟାରେ ଉତ୍ତର ୨୪ ପ୍ରଗଣାର ଜିଙ୍ଗଲଗଞ୍ଜ ସ୍ଥିତ ନିଜ ଘରେ ଅଚାନକ ଅସୁସ୍ଥ ହୋଇ ପଡ଼ିଥିଲେ ବିଧାୟିକା। ଏହା ପରେ ତୁରନ୍ତ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସ୍ଵାସ୍ଥ୍ୟବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ବସିରହାଟ ସୁପର ସ୍ପେଶିଆଲିଟି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଆଇସିୟୁରେ ଚାରି ଘଣ୍ଟା ରହିବା ପରେ ବି ସ୍ଵାସ୍ଥ୍ୟବସ୍ଥାରେ ଆଶାନୁରୂପ ସୁଧାର ଆସିନ ଥିଲା। ଏହା ପରେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ଵାସ୍ଥ୍ୟବସ୍ଥା ଗମ୍ଭୀର ଥିବା ବେଳେ ଚିକିତ୍ସା ଜାରି ରହିଛି।

Also Read: ରାଜସ୍ଥାନ ପଞ୍ଚାୟତ ନିର୍ବାଚନ: ୫.୨୧ ଲକ୍ଷ ଇଂଷ୍ଟା ଫଲୋଅର୍ସ ସତ୍ତ୍ୱେ ହାରିଲେ କଂଗ୍ରେସ ନେତ୍ରୀ ଭଗବତୀ ଭିଲ୍

ପାର୍ଟି ନେତା ଅର୍ଚ୍ଚନା ଦାସ ମଜୁମଦାର କହିଛନ୍ତି, ପାତ୍ରଙ୍କ ଅବସ୍ଥା ସ୍ଥିର ରହିଛି। ଡ. ଯୁଦ୍ଧଜିତ ସେନଗୁପ୍ତାଙ୍କ ତତ୍ତ୍ଵାବଧାନରେ ଆଇସିୟୁରେ ଚିକିତ୍ସା ଚାଲିଛି। ତାଙ୍କ ଶରୀରରେ ବିଷକ୍ରିୟାର ଲକ୍ଷଣ ଦେଖିବାକୁ ମିଳିଛି। ରାଜ୍ୟ ସ୍ଵାସ୍ଥ୍ୟ ମନ୍ତ୍ରୀ ଶରଦୂତ ମୁଖାର୍ଜୀ ହସ୍ପିଟାଲ୍ ଯାଇ ତାଙ୍କ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ତେବେ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ସ୍ଵାସ୍ଥ୍ୟ ବୁଲେଟିନ ଜାରି କରାଯାଇ ନାହିଁ।

ସୂଚନାଯୋଗ୍ୟ, ରେଖା ପାତ୍ର ଉତ୍ତର ୨୪ ପ୍ରଗଣାରେ ତୃଣମୂଳ କଂଗ୍ରେସର ବାହୁବଳୀ ଶେଖ ଶାହାଜହାନଙ୍କ ବିରୋଧରେ ଜନ ଆନ୍ଦୋଳନର ଜଣେ ନେତା ଭାବେ ପରିଚୟ ସୃଷ୍ଟି କରିଥିଲେ। ଏହା ପରେ ୨୦୨୪ ଲୋକସଭା ନିର୍ବାଚନରେ ତାଙ୍କୁ ବସିରହାଟ ସଂସଦୀୟ କ୍ଷେତ୍ରରୁ ବିଜେପି ପ୍ରାର୍ଥୀ କରିଥିଲା। ହେଲେ ସେ ନିର୍ବାଚନ ହାରିଥିଲେ। ହେଲେ ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ହିଙ୍ଗଲଜଙ୍ଗ ନିର୍ବାଚନ ମଣ୍ଡଳୀରୁ ସେ ବିଜୟଲାଭ କରିଥିଲେ।