ଉଦୟପୁର: ସୋସିଆଲ ମିଡିଆରେ ଲକ୍ଷଲକ୍ଷ ଫଲୋଅର୍ସ, ନିୟମିତ ସୋସିଆଲ ମିଡିଆରେ ଛାଇ ରହିବା, ଯୁବ ବର୍ଗଙ୍କ ସହ ସୁସମ୍ପର୍କ ନିର୍ବାଚନ ବିଜୟରେ ଗ୍ୟାରେଣ୍ଟି ହୋଇ ପାରେନା। ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ ପ୍ରତାପଗଡ଼ ଜିଲ୍ଲା ପରିଷଦ ୱାର୍ଡ ସଂଖ୍ୟା ୧୧ର କଂଗ୍ରେସ ପ୍ରାର୍ଥୀ ଓ ରାଜସ୍ଥାନ ଯୁବ କଂଗ୍ରେସର ପ୍ରଦେଶ ଉପସଭାପତି ଭଗବତୀ ଭିଲଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଇଂଷ୍ଟାରେ ତାଙ୍କର ୫.୨୧ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି, ହେଲେ ନିର୍ବାଚନ ମୈଦାନରେ ବିଏପି ପ୍ରାର୍ଥୀ ଗୀତା ତାଙ୍କୁ ମାତ୍ର ୩୨ ଭୋଟରେ ପରାସ୍ତ କରିଛନ୍ତି।

ଏହି ନିର୍ବାଚନ ଫଳାଫଳ ପୁଣି ଥରେ ସୋସିଆଲ ମିଡିଆର ଲୋକପ୍ରିୟତା ଓ ସ୍ଥାନୀୟ ସ୍ତରରେ ଭୋଟରଙ୍କ ମଧ୍ୟରେ ରାଜନୈତିକ ପ୍ରଭାବ ଅନ୍ତରକୁ ଚର୍ଚ୍ଚାକୁ ଆଣିଛି। ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ ୱାର୍ଡ ୧୧ରେ ପ୍ରତିଦ୍ୱନ୍ଦ୍ୱୀତା ତ୍ରିକୋଣୀୟ ହୋଇଥିଲା। ଏଥିରେ ବିଏପି ପ୍ରାର୍ଥୀ ଗୀତାଙ୍କୁ ୮୭୫୭ଟି ଭୋଟ ମିଳିଛି। ଏଥିରେ କଂଗ୍ରେସ ପ୍ରାର୍ଥୀ ଭଗବତୀ ଭିଲ ୮୪୩୫ଟି ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତେବେ ବିଜେପି ପ୍ରାର୍ଥୀ ଗୀତା ନିନାମା ମାତ୍ର ୫୯୨୭ଟି ଭୋଟ ପାଇ ତୃତୀୟ ସ୍ଥାନ ପାଇଛନ୍ତି।

୩ ଜଣ ପ୍ରାର୍ଥୀଙ୍କୁ ମୋଟ ୨୩୧୧୯ଟି ଭୋଟ ମିଳିଛି। ଏଥିରେ ବିଜେପି ପ୍ରତିଦ୍ୱନ୍ଦ୍ୱୀତାକୁ ଢେର ବଢାଇ ଦେଇଥିଲା। ତେବେ ଅନ୍ତତଃ ବିଏପିର ଗୀତା ବିଜୟୀ ହୋଇଛନ୍ତି। ଭଗବତୀ ଭିଲଙ୍କୁ ସୋସିଆଲ ମିଡିଆରେ ଜଣେ ସକ୍ରିୟ ଆଦିବାସୀ ଯୁବ ଚେହେରା ଭାବେ ଦେଖାଯାଏ। ଇଂଷ୍ଟାରେ ତାଙ୍କର ୫.୨୧ଲକ୍ଷ ଫଲୋଅର୍ସ ଅଛନ୍ତି। ଏଥିରେ ସେ ଏ ପର୍ଯ୍ୟନ୍ତ ୨୮୮୬ଟି ପୋଷ୍ଟ ସେୟାର କରିଛନ୍ତି। ନିର୍ବାଚନ ପ୍ରଚାର କାଳରେ ମଧ୍ୟ ତାଙ୍କର ଡିଜିଟାଲ ଲୋକପ୍ରିୟତାକୁ କଂଗ୍ରେସର ତାକତ ଭାବେ ଦେଖା ଯାଉଥିଲା।

ତେବେ ଫଳାଫଳ ସ୍ପଷ୍ଟ କରିଦେଇଛି ଯେ ସୋସିଆଲ ମିଡିଆରେ ବହୁସଂଖ୍ୟାରେ ଫଲୋଅର୍ସ ଓ କୌଣସି ଖାସ କ୍ଷେତ୍ରରେ ଭୋଟରଙ୍କ ସମର୍ଥନ ମଧ୍ୟରେ ଢେର ଅନ୍ତର ରହିଛି।