ମୁମ୍ବାଇ: ମହାରାଷ୍ଟ୍ରର ସାତାରା ଜିଲ୍ଲାରେ ଅଦାନୀ ଗ୍ରୁପ୍ର ଏକ ପ୍ରକଳ୍ପକୁ ନେଇ ବଢ଼ିଛି ଅଡ଼ୁଆ। ପରିବେଶ ସମ୍ବନ୍ଧୀୟ ନିୟମ ଉଲ୍ଲଂଘନ ଏବଂ ଆବଶ୍ୟକ ଅନୁମତି ନଥାଇ ଖନନ ଓ ନିର୍ମାଣ କାର୍ଯ୍ୟ ଚାଲିଥିବା ଅଭିଯୋଗରେ ମହାରାଷ୍ଟ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛି।

ସୂଚନା ଅନୁଯାୟୀ, ସାତାରା ଜିଲ୍ଲାର ପାଟଣ ତାଲୁକା ଅନ୍ତର୍ଗତ ସାୱରଘର ଗ୍ରାମରେ ଅଦାନୀ ଗ୍ରୀନ୍ ଏନର୍ଜି ଲିମିଟେଡ୍ର ସହଯୋଗୀ କମ୍ପାନୀ ଅଦାନୀ ରିନ୍ୟୁଏବଲ୍ ଏନର୍ଜି ୱାନ୍ ଲିମିଟେଡ୍ ପକ୍ଷରୁ ଖନନ ଓ ନିର୍ମାଣ କାର୍ଯ୍ୟ ଚାଲିଥିଲା। ଏହି କାର୍ଯ୍ୟ ୧୫୦୦ ମେଗାୱାଟ୍ କ୍ଷମତା ବିଶିଷ୍ଟ ପ୍ରସ୍ତାବିତ 'ତାରଳୀ ଓପନ୍ ଲୁପ୍ଡ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ' ସହ ଜଡ଼ିତ। ଏହି ପ୍ରକଳ୍ପର ଆନୁମାନିକ ବ୍ୟୟ ଅଟକଳ ୫,୬୭୫ କୋଟି ଟଙ୍କା।

କମ୍ପାନୀ ପକ୍ଷରୁ ସାୱରଘରରେ ଘରୋଇ ଜମି କିଣାଯାଇ ସେଠାରେ ପ୍ରକଳ୍ପ ପାଇଁ ଅସ୍ଥାୟୀ ଶ୍ରମିକ ଶିବିର ଓ ସାମଗ୍ରୀ ସଂରକ୍ଷଣ କେନ୍ଦ୍ର ନିର୍ମାଣ କରାଯାଉଥିବା କୁହାଯାଇଥିଲା। ତେବେ MPCBର ଯାଞ୍ଚରେ ଏହି କାର୍ଯ୍ୟକୁ ନେଇ ଗୁରୁତର ଅନିୟମିତତା ସାମ୍ନାକୁ ଆସିଛି।

ବୋର୍ଡର ଯାଞ୍ଚ ରିପୋର୍ଟ ଅନୁଯାୟୀ, ସାୱରଘର ଗ୍ରାମର ଗଟ୍ ନମ୍ବର ୩୩ ଓ ୩୪ରେ ଖନନ ଏବଂ ଜମି ବିକାଶ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ହେଲେ ଏଥିପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ପୂର୍ବରୁ ସୂଚନା ଦିଆଯାଇନଥିଲା କି ଆବଶ୍ୟକ ଅନୁମତି ନିଆଯାଇନଥିଲା। ଏପରିକି ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କଠାରୁ ପରିବେଶ ମଞ୍ଜୁରୀ ମଧ୍ୟ ମିଳିନଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ଏହି ଘଟଣାରେ ସାତାରାର ମାନଦ ବନ୍ୟପ୍ରାଣୀ ସଂରକ୍ଷକ ରୋହନ ଭାଟେ ନଭେମ୍ବର ୧୯ ତାରିଖରେ MPCBର ସଦସ୍ୟ ସଚିବ ରାହୁଲ ରେଖୱାରଙ୍କୁ ଚିଠି ଲେଖିଥିଲେ। ସାୱରଘରରେ ବେଆଇନ ଭାବେ ବ୍ୟାପକ ଖନନ ଓ ନିର୍ମାଣ କାର୍ଯ୍ୟ ଚାଲିଥିବା ଅଭିଯୋଗ କରିବା ସହ ଏହାର ତୁରନ୍ତ ତଦନ୍ତ ଏବଂ ହସ୍ତକ୍ଷେପ ପାଇଁ ସେ ଦାବି କରିଥିଲେ।

ତାଙ୍କ ଅଭିଯୋଗ ଅନୁଯାୟୀ, କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ପକ୍ଷରୁ ଗତବର୍ଷ ଫେବ୍ରୁଆରୀ ୧୧ରେ ମିଳିଥିବା ପରିବେଶ ମଞ୍ଜୁରୀରେ ନିଭାଡେ, ଟୋଣ୍ଡୋଶୀ, କଲାମ୍ବେ ଓ ଜାଲୁ ଗ୍ରାମକୁ ପ୍ରଭାବିତ ଅଞ୍ଚଳ ଭାବେ ଦର୍ଶାଯାଇଥିଲା। କିନ୍ତୁ ଏହି ତାଲିକାରେ ସାୱରଘର ଗ୍ରାମର ନାମ ନଥିଲା।

ଏହାପରେ ନଭେମ୍ବର ୨୦ ତାରିଖରେ MPCBର ପୁଣେ ଆଞ୍ଚଳିକ ଅଧିକାରୀ କିରଣ ହାସବନିସ୍ କମ୍ପାନୀ ବିରୋଧରେ କାମ ବନ୍ଦ ନୋଟିସ୍ ଜାରି କରିଥିଲେ। ଜଳ (ପ୍ରଦୂଷଣ ନିବାରଣ ଓ ନିୟନ୍ତ୍ରଣ) ଆଇନ, ୧୯୭୪ର ଧାରା ୩୩A ଏବଂ ବାୟୁ (ପ୍ରଦୂଷଣ ନିବାରଣ ଓ ନିୟନ୍ତ୍ରଣ) ଆଇନ, ୧୯୮୧ର ଧାରା ୩୧A ଅନୁଯାୟୀ ଏହି ନିର୍ଦ୍ଦେଶ ଦିଆଯାଇଛି।

ଯାଞ୍ଚ ସମୟରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଆବଶ୍ୟକ ବ୍ୟବସ୍ଥା ନଥିବା ଏବଂ ନିୟମ ଅନୁଯାୟୀ ଅନୁମତି ନିଆଯାଇନଥିବା ଜଣାପଡ଼ିଥିଲା। ଫଳରେ ଏହା ପରିବେଶ ପ୍ରଦୂଷଣ ଓ ନିୟମ ଉଲ୍ଲଂଘନର କାରଣ ହୋଇଥିବା ବୋର୍ଡ ଦର୍ଶାଇଛି।

ଏହି ପରିପ୍ରେକ୍ଷୀରେ ସମସ୍ତ ଚାଲୁ ଓ ପ୍ରସ୍ତାବିତ ଖନନ ଏବଂ ନିର୍ମାଣ କାର୍ଯ୍ୟ ତୁରନ୍ତ ବନ୍ଦ କରିବାକୁ କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଛି। MPCBର ପୂର୍ବ ଅନୁମତି ନ ମିଳିବା ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ପୁନର୍ବାର ଆରମ୍ଭ ନକରିବାକୁ ମଧ୍ୟ କୁହାଯାଇଛି। ନିର୍ଦ୍ଦେଶ ଅମାନ୍ୟ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦିଆଯାଇଛି।

ଅନ୍ୟପଟେ, ଅଦାନୀ କମ୍ପାନୀର ମୁଖପାତ୍ର କହିଛନ୍ତି ଯେ MPCB ନିକଟରେ ଆବଶ୍ୟକ ତଥ୍ୟ ଓ ସ୍ପଷ୍ଟୀକରଣ ସହ ଉତ୍ତର ଦାଖଲ କରାଯାଉଛି। ଗଟ୍ ନମ୍ବର ୩୩ ଓ ୩୪ରେ ଅସ୍ଥାୟୀ ସୁବିଧା ନିର୍ମାଣ ସମ୍ପର୍କିତ କାର୍ଯ୍ୟକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଆଇନଗତ ଓ ପରିବେଶ ସମ୍ବନ୍ଧୀୟ ନିୟମ ପାଳନ ପାଇଁ କମ୍ପାନୀ ପ୍ରତିବଦ୍ଧ ବୋଲି ସେ କହିଛନ୍ତି।

MPCBର ସାତାରା ଉପ-ଆଞ୍ଚଳିକ ଅଧିକାରୀ ଅମୋଲ ସତପୁତେ କହିଛନ୍ତି ଯେ କମ୍ପାନୀକୁ ନୋଟିସ୍ ପ୍ରଦାନ କରାଯାଇଛି। ଶନିବାର ହୋଇଥିବା ପରବର୍ତ୍ତୀ ଯାଞ୍ଚରେ କାମ ବନ୍ଦ ନିର୍ଦ୍ଦେଶ ପାଳନ କରାଯାଉଥିବା ନିଶ୍ଚିତ ହୋଇଛି।

ALSO READ- ‘ପାଗଳ କୁକୁର କାମୁଡ଼ି ଦେଇଛି’, ବିଧାୟକଙ୍କ ବିରୋଧ ପରେ ସିଏମ୍ ରେଭନ୍ତଙ୍କ ବୟାନ, ତେଲଙ୍ଗାନା କଂଗ୍ରେସରେ ତେଜୁଛି ବିଦ୍ରୋହର ନିଆଁ

ଉଲ୍ଲେଖଯୋଗ୍ୟ, ଏହି ପ୍ରକଳ୍ପକୁ ନେଇ ଅଦାନୀ କମ୍ପାନୀ ପୂର୍ବରୁ ମଧ୍ୟ ବନ ବିଭାଗର ନୋଟିସ୍ର ସମ୍ମୁଖୀନ ହୋଇଛି। ନଭେମ୍ବର ୧୩ ତାରିଖରେ ସାତାରା ବନଖଣ୍ଡର ଉପ-ବନ ସଂରକ୍ଷକ ତାରଳୀ ଜଳବିଦ୍ୟୁତ୍ ପ୍ରକଳ୍ପ ପାଇଁ ଜାତୀୟ ବନ୍ୟପ୍ରାଣୀ ବୋର୍ଡର ପୂର୍ବ ଅନୁମତି ବିନା କାମ ଆରମ୍ଭ କରିବା ଅଭିଯୋଗରେ କମ୍ପାନୀର ପ୍ରକଳ୍ପ ପରିଚାଳକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। ଏଥିସହ କାମ ବନ୍ଦ କରିବା ଏବଂ ଗଛ କାଟିବା ସମେତ ଅନ୍ୟାନ୍ୟ ଆଇନଗତ ଅନୁମତି ସମ୍ପର୍କିତ ଦସ୍ତାବିଜ୍ ଦାଖଲ କରିବାକୁ କୁହାଯାଇଥିଲା।