ନୂଆଦିଲ୍ଲୀ:  ସାମରିକ ବିମାନ ଉଡ଼ାଣ ଲାଗି ଭାରତ ସରକାର, ନେପାଳ ଆକାଶମାର୍ଗ ବ୍ୟବହାର କରିବାକୁ ଅନୁମତି ମାଗିଥିଲେ । ଏଭଳି ଖବରକୁ ଖଣ୍ଡନ କରିଛନ୍ତି ଭାରତ ସରକାର । ବାଗଡୋଗ୍ରା ପ୍ରବେଶ ପଥ ଦେଇ ସାମରିକ ବିମାନ ଚଳାଚଳ ପାଇଁ ଭାରତ ନେପାଳର ଆକାଶମାର୍ଗ ବ୍ୟବହାର କରିବାକୁ ଅନୁମତି ମାଗିଥିବା ନେଇ ନେପାଳୀ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା । କିନ୍ତୁ ଏହି ଦାବିକୁ ଭାରତ ସରକାର ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି। ରବିବାର ସରକାର ସ୍ପଷ୍ଟ କରିଛନ୍ତି ଯେ, ଏଭଳି କୌଣସି ପ୍ରସ୍ତାବ ଉପରେ ଆଲୋଚନା ହେଉନାହିଁ । ନୂଆଦିଲ୍ଲୀ ପକ୍ଷରୁ କାଠମାଣ୍ଡୁ ନିକଟରେ ଏପରି କୌଣସି ଦାବି ରଖାଯାଇ ନାହିଁ। ଗଣମାଧ୍ୟମରେ ପ୍ରଚାରିତ ହେଉଥିବା ଏହି ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ । 

ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କ ଦୁଇ ଦିନିଆ ଭାରତ ଗସ୍ତର ଠିକ୍ ପୂର୍ବରୁ ଏଭଳି ରିପୋର୍ଟ ସାମ୍ନାକୁ ଆସିଥିଲା । ଏଥିରେ ଦାବି ହୋଇଥିଲା ଯେ, ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ବିମାନ ଯୋଗାଯୋଗ ପ୍ରସଙ୍ଗରେ ଆଲୋଚନା ହେବାର ସମ୍ଭାବନା ରହିଛି । ତେବେ ବେସାମରିକ ଏବଂ ସାମରିକ ବିମାନ ଚଳାଚଳ ମଧ୍ୟରେ ଥିବା ପାର୍ଥକ୍ୟକୁ ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି। କିଛି ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ, ପଶ୍ଚିମବଙ୍ଗର ବାଗଡୋଗ୍ରା ବିମାନବନ୍ଦରକୁ ଯିବାଆସିବା କରୁଥିବା ବେସାମରିକ ବିମାନଗୁଡ଼ିକ ପାଇଁ ଭାରତ ନେପାଳର ଆକାଶମାର୍ଗ ବ୍ୟବହାର କରିବାକୁ ଚାହୁଁଛି । ଯାହା ପାରଷ୍ପରିକ ବିମାନ ଯୋଗାଯୋଗ ଆଲୋଚନା ସହ ଜଡ଼ିତ। କିନ୍ତୁ ସାମରିକ ବିମାନ ପାଇଁ କୌଣସି ଅନୁରୋଧ କରାଯାଇ ନ ଥିବା ଭାରତ ପକ୍ଷରୁ ରୋକଠୋକ୍ କୁହାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ ନଭେମ୍ବର ୨୨ରୁ ୨୩ ତାରିଖ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିଛନ୍ତି। ୨୦୨୬ ମାର୍ଚ୍ଚ ମାସରେ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ । ଏହି ଗସ୍ତର ମୁଖ୍ୟ ଆଲୋଚନା ସୋମବାର ଦିନ ଅନୁଷ୍ଠିତ ହେବ । ବାଲେନ୍ଦ୍ର ଶାହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ପ୍ରତିନିଧି ସ୍ତରୀୟ ବୈଠକ କରିବେ ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ସୌଜନ୍ୟମୂଳକ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ନେପାଳର ଏହି ୩୪ ଜଣିଆ ଉଚ୍ଚସ୍ତରୀୟ ପ୍ରତିନିଧି ଦଳରେ ଅର୍ଥମନ୍ତ୍ରୀ ସ୍ୱର୍ଣ୍ଣିମ ୱାଗଲେ ଏବଂ ବୈଦେଶିକ ମନ୍ତ୍ରୀ ଶିଶିର ଖନାଲ ମଧ୍ୟ ସାମିଲ ଅଛନ୍ତି।

ଏହି ଗୁରୁତ୍ୱପୂର୍ଣ୍ଣ ଗସ୍ତ ସମୟରେ ଉଭୟ ଦେଶର ସରକାର ବାଣିଜ୍ୟ, ପରିବହନ, ପୁଞ୍ଜିନିବେଶ, ଶକ୍ତି ଏବଂ ଭିତ୍ତିଭୂମି ବିକାଶ ଭଳି ପ୍ରମୁଖ କ୍ଷେତ୍ର ଉପରେ ବିସ୍ତୃତ ଆଲୋଚନା କରିବେ। ଏହା ସହିତ ଶକ୍ତି ଓ ଯୋଗାଯୋଗ କ୍ଷେତ୍ରରେ ସମ୍ପୂର୍ଣ୍ଣ ହୋଇଥିବା ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ନୂତନ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କରାଯିବାର ଯୋଜନା ରହିଛି। ଶିକ୍ଷା, ସ୍ୱାସ୍ଥ୍ୟସେବା, କୃଷି, କ୍ରୀଡ଼ା ଏବଂ ବିପର୍ଯ୍ୟୟ ପରିଚାଳନା ଭଳି କ୍ଷେତ୍ରରେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ସ୍ୱାକ୍ଷରିତ ହେବାର ଆଶା କରାଯାଉଛି। ଏହି ଗସ୍ତ ସମୟରେ ଅଯୋଧ୍ୟାରୁ ନେପାଳର ଜନକପୁର ଯାଏଁ ଟ୍ରେନ୍‌ ସେବାର ଶୁଭାରମ୍ଭ ହେବ ।