ଭୁବନେଶ୍ବର ୧୯।୮: ବାଲେଶ୍ବରରେ ବଢ଼ିବ ବନ୍ୟା ! ସୁବର୍ଣ୍ଣରେଖାରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି ବୋଲି ବିପର୍ଯ୍ୟୟ ଓ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଅନ୍ୟ ଜିଲ୍ଲାରେ ବନ୍ୟା ସ୍ଥିତିରେ ସୁଧାର ଆସିଛି । ବୃଷ୍ଟିପାତ ମଧ୍ୟ କମିଛି । ତେଣୁ ଆଶ୍ଵସ୍ତି ମିଳିଛି । କିନ୍ତୁ ଝାଡ଼ଖଣ୍ଡ କ୍ୟାଚମେଣ୍ଟରୁ ପାଣି ରିଲିଜ ହେଉଛି ।

ଚାନ୍ଦିଲି ଡ୍ୟାମ୍ରୁ ୧୪୧୦.୪୨ କ୍ୟୁବେକ ଜଳ ନିଷ୍କାସିତ ହେଉଛି । ସୁବର୍ଣ୍ଣରେଖା ନଦୀର ଅନେକ ସ୍ଥାନରେ ଜଳ ପତ୍ତନ ବଢିବ । ରାଜଘାଟରେ ପାଣି ବଢୁଛି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବ୍ରାହ୍ମଣୀ, ବୈତରଣୀ, ବୁଢାବଳଙ୍ଗରେ ପାଣି କମୁଛି । ଆଜି ସନ୍ଧ୍ୟାରେ ବାଲେଶ୍ବରରେ ପାଣି ବଢିବ । ମଧ୍ୟରାତିରେ ଆହୁରି ଅଧିକ ହେବ । ଜିଲ୍ଲା ପ୍ରଶାସନକୁ ତତ୍ପର କରାଯାଇଛି । ମୟୁରଭଞ୍ଜ, ଭଦ୍ରକ, ଯାଜପୁରକୁ ବି ସତର୍କ କରାଯାଇଛି ।

୬ ଜିଲ୍ଲାର ୬୮ ବ୍ଲକରେ ବନ୍ୟା ପ୍ରଭାବ ରହିଛି । ୪୬୯ ପଞ୍ଚାୟତ ୧୫୭୯ ଗାଁ ଓ ୧୦ ସହରାଞ୍ଚଳର ୬୪ ୱାର୍ଡ ପ୍ରଭାବିତ ହୋଇଛନ୍ତି । ୧୧ ଲକ୍ଷ ୬୫ ହଜାର ୮୩୭ ଲୋକ ପ୍ରଭାବିତ ହୋଇଥିବା ବେଳେ ୪ ଲକ୍ଷ ୨୬ ହଜାର ୬୭୫ ସ୍ଥାନାନ୍ତରିତ । ୫୮ ହଜାର ୪୬୫ ହେକ୍ଟର ଜମି ପ୍ରଭାବିତ । ୧୮୮୨ ଘର ପ୍ରଭାବିତ ହୋଇଛି ।

ବାଲେଶ୍ୱର ଜିଲ୍ଲା ପ୍ରଶାସନକୁ କୁହାଯାଇଛି ଅଧିକ ଉଦ୍ଧାରକାରୀ ଦଳ କିମ୍ବା ରିଲିଫ ଆବଶ୍ୟକ ହେଲେ ରିପୋର୍ଟ ଦେବେ । ଆମେ ଚାଷୀଙ୍କୁ ବିହନ ଯୋଗାଇ ଦେବୁ । ସରକାରୀ ବିହନ ବିକ୍ରି ପାଇଁ ଆଉଟଲେଟ ଖୋଲିବ । ୧୬ ହଜାର କ୍ୱିଣ୍ଟାଲ ବିହନ ରହିଛି । ୪୦ ହଜାର କ୍ୱିଣ୍ଟାଲ ଆବଶ୍ୟକ ରହିଛି । କେନ୍ଦ୍ର ସରକାର ପାଖରୁ ଅଣାଯିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।