ନୂଆଦିଲ୍ଲୀ: ୨୦୨୬ ଟି-୨୦ ବିଶ୍ଵକପରେ ଟିମ୍ ଇଣ୍ଡିଆର ସେମି ଫାଇନାଲ୍ ଯିବା ମାର୍ଗ ବହୁତ ମୁସ୍କିଲ ହୋଇ ପଡ଼ିଛି। ଏହା ମଧ୍ୟରେ ଭାରତୀୟ ଦଳକୁ ଲାଗିଛି ବଡ଼ ଝଟକା।ଭାରତୀୟ ଦଳର ଷ୍ଟାର ଖେଳାଳି ରିଙ୍କୁ ସିଂ ଟୁର୍ଣ୍ଣାମେଣ୍ଟ ମଝିରେ ଘରକୁ ଫେରିଛନ୍ତି। ମଙ୍ଗଳବାର ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଭାରତୀୟ ଦଳର ପ୍ରାକ୍ଟିସ ସେସନ ଥିଲା। କିନ୍ତୁ ରିଙ୍କୁ ସିଂ ଏଥିରେ ଯୋଗ ଦେଇ ନ ଥିଲେ।

ରିପୋର୍ଟ ଅନୁଯାୟୀ, ରିଙ୍କୁ ସିଂଙ୍କ ବାପା ଖାନଚନ୍ଦ ସିଂଙ୍କ ସ୍ଵାସ୍ଥ୍ୟବସ୍ଥା ଗୁରୁତର ରହିଛି। ତାଙ୍କ ପିତାଙ୍କ ଲିଭର କ୍ୟାନସର ଚତୁର୍ଥ ଷ୍ଟେଜରେ ପହଞ୍ଚିଛି। ବର୍ତ୍ତମାନ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଉଲ୍ଲେଖନୀୟ ରିଙ୍କୁ ସିଂ ଚଳିତ ବିଶ୍ଵକପରେ ଏ ପର୍ଯ୍ୟନ୍ତ କିଛି ଖାସ ପ୍ରଦର୍ଶନ କରି ପାରି ନାହାନ୍ତି। ୫ଟି ମ୍ୟାଚରୁ ସେ ମାତ୍ର ୨୪ ରନ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଗତ ମ୍ୟାଚରେ ସେ ଖାତା ବି ଖୋଲି ପାରି ନ ଥିଲେ। ରିଙ୍କୁଙ୍କ ପିତା ଖାନଚନ୍ଦଙ୍କୁ ଗ୍ରେଟର ନୋଏଡାର ଏକ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Also read: ମୋର ଭୁଲ ସ୍ଵୀକାର କରୁଛି; ଦୁଇ ଦଶନ୍ଧି ପରେ ଲିଟିଲ୍ ମାଷ୍ଟରଙ୍କୁ କ୍ଷମା ମାଗିଲେ ଷ୍ଟିଭ ବକନର

ରିଙ୍କୁ ସୋମବାର ଭାରତୀୟ ଦଳ ସହ ଚେନ୍ନାଇ ପହଞ୍ଚିଥିଲେ। ଏଠାରେ ଭାରତ ସୁପର-୮ର ନିଜର ପରବର୍ତ୍ତୀ ମ୍ୟାଚ୍ ଜିମ୍ବାଓ୍ଵେ ବିପକ୍ଷରେ ଖେଳିବ। ଏହି ବାମହାତୀ ବ୍ୟାଟର ନିଜ ପିତାଙ୍କୁ ଦେଖିବା ପାଇଁ ମଙ୍ଗଳବାର ସକାଳେ ଚେନ୍ନାଇରୁ ବାହାରିଥିଲେ। ତେଣୁ ରିଙ୍କୁଙ୍କ ଫେବୃଆରୀ ୨୬ରେ ଜିମ୍ବାଓ୍ଵେ ବିପକ୍ଷ ମ୍ୟାଚ୍ ଖେଳିବାର ସମ୍ଭାବନା ନାହିଁ। ଏହି ଘଟଣା କାରଣରୁ ରିଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ଦଳର ପ୍ରାକ୍ଟିସ ସେସନରେ ନ ଥିଲେ।

ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ନିକଟରୁ ୭୬ ରନର ପରାଜୟ ଭାରତୀୟ ଦଳର ସେମି ଫାଇନାଲ୍ ମାର୍ଗକୁ ବହୁତ କଠିନ କରି ଦେଇଛି। ଏହା ବାଦ୍ ଓ୍ଵେଷ୍ଟଇଣ୍ଡିଜ ୧୦୭ ରନରେ ଜିମ୍ବାଓ୍ଵେକୁ ହରାଇବା ଭାରତର ମୁସ୍କିଲ ବଢାଇ ଦେଇଛି। ଟିମ୍ ଇଣ୍ଡିଆକୁ ଯଦି ସେମି ଫାଇନାଲ୍ ଦୌଡ଼ରେ ରହିବାର ଅଛି ତେବେ ଜିମ୍ବାଓ୍ଵେ ବିପକ୍ଷରେ ବଡ଼ ବ୍ୟବଧାନରେ ମ୍ୟାଚ୍ ଜିତିବାକୁ ପଡ଼ିବ। ଏହା ବ୍ୟତୀତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଓ୍ଵେଷ୍ଟଇଣ୍ଡିଜର ପରାଜୟ କାମନା କରିବ ଟିମ୍ ଇଣ୍ଡିଆ।