ଭୁବନେଶ୍ବର ୨୫।୬: ଓଡ଼ିଆ ସିନେମାର ଗୌରବମୟ ଅତୀତକୁ ନୂଆ ପିଢି ସହ ଯୋଡୁଛି ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ । ଆଜିଠୁ ଆରମ୍ଭ ହୋଇଥିବା ଫିଲ୍ମ ଫେଷ୍ଟିଭାଲ ୨୮ ତାରିଖ ଯାଏଁ ଜୟଦେବ ଭବନରେ ଚାଲିବ । ୧୧ ଟି ଭାଷାରେ ୨୦ ମୁଭି ପ୍ରଦର୍ଶିତ ହେବ । ବହୁଭାଷୀ ଚଳଚ୍ଚିତ୍ର ପ୍ରଦର୍ଶନ ହେବ । ଓଡ଼ିଆ ସମେତ ୧୦ଟି ଭାଷାର ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ରହିଛି ।

ତୃତୀୟ ସଂସ୍କରଣ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲର ପ୍ରଥମ ଦିନରେ ପ୍ରଦର୍ଶିତ ହୋଇଥିଲା ‘ଲକ୍ଷ୍ମୀ’ । ଓଡ଼ିଆ ସିନେମା ଇତିହାସର ମାଇଲଖୁଣ୍ଟ ‘ଲକ୍ଷ୍ମୀ’। କେବଳ ‘ଲକ୍ଷ୍ମୀ’ ନୁହେଁ, ଆଧୁନିକ ଯୁଗର ରଙ୍ଗୀନ ସିନେମା ବି ଦେଖାଉଛନ୍ତି ଆୟୋଜକ । ‘ଲହରୀ’ ଭଳି ଚଳଚ୍ଚିତ୍ର ପାଇଁ ଦର୍ଶକ ଉତ୍ସାହିତ । ଏଇଟା କେବଳ ଫିଲ୍ମ ଦେଖାର ଉତ୍ସବ ନୁହେଁ, ଏଇଟା ହେଉଛି ଫିଲ୍ମ ବଜାର। ଏଠି ଅଛି ବିମଳ ରୟଙ୍କ 'ଦୋ ବିଘା ଜମିନ' ରୁ 'ବନ୍ଦିନୀ' ଯାଏଁ କ୍ଲାସିକ୍,  ଅଛି ଓଡ଼ିଆ ସମେତ ଆଉ ୧୦ଟି ଭାଷାର ପୁରସ୍କାର ପ୍ରାପ୍ତ ସିନେମା, ଅଛି ମାଷ୍ଟର କ୍ଲାସ, ସିନେମା କଥା, ପୁସ୍ତକ ଉନ୍ମୋଚନ । ମୁମ୍ବାଇରୁ ଆସିଛନ୍ତି ଅନୀଲ ମେହେଟା, ନୀରଜ କାବି, ତିଗମାଂଶୁ ଧୁଲିଆ ।

୨୦୨୪ରେ ଆରମ୍ଭ ହୋଇଥିବା ଏଇ ଅପ୍ରତିଯୋଗୀ ଫେଷ୍ଟିଭାଲ ଏବେ ସିନେପ୍ରେମୀଙ୍କ ନୂଆ ଠିକଣା ପାଲଟିଛି। ଚଳଚ୍ଚିତ୍ର ଶିଖିବାକୁ ଚାହୁଁଥିବା ଯୁବକ-ଯୁବତୀଙ୍କ ପାଇଁ ଏଠି ଅଛି ଗୁରୁତ୍ୱପୂର୍ଣ୍ଣ ପାଠ୍ୟକ୍ରମ। ଅନୀଲ ମେହେଟା ଶିଖାଉଛନ୍ତି ଚିତ୍ରଗ୍ରହଣ... ନୀରଜ କାବି ଅଭିନୟ... ସୈୱାନ୍ କ୍ୱାଡ୍ରାସ ପଟକଥା ଲେଖନ। ସିନେମା କଥା’ ରେ ଚଳଚ୍ଚିତ୍ର ଗବେଷକ ଓ ନିର୍ମାତାଙ୍କ ସହ ସିଧା କଥା ହେଉଛନ୍ତି ଦର୍ଶକ। ‘ବସ୍ତ୍ର, ପରିଚୟ ଓ ସିନେମା’ ସେସନରେ କପଡା ଓ ଚଳଚ୍ଚିତ୍ରର ସମ୍ପର୍କ ଉପରେ ଚର୍ଚ୍ଚା । ପ୍ରତିବର୍ଷ ଭଳି ଏଥର ବି ଚମକୁଛି ଏହି ଫେଷ୍ଟିଭାଲ।

ଏଠି କେବଳ ନୂଆ ପିଢି ନୁହେଁ, ସମ୍ମାନିତ ହେଉଛନ୍ତି ସେଇ ପୁରୁଣା ଓଡ଼ିଆ ସିନେ କଳାକାର, ଯେଉଁମାନେ ଆଜି ପରଦାରେ ନାହାନ୍ତି । ପୁରୁଣା-ନୂଆର ଏଇ ମିଳନ ହିଁ ଏଇ ଫେଷ୍ଟିଭାଲର ଆତ୍ମା। ତୃତୀୟ ସଂସ୍କରଣ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ କହୁଛି - ସିନେମା କେବଳ ମୁମ୍ବାଇର ନୁହେଁ... ସିନେମା ସମସ୍ତଙ୍କର । ଲକ୍ଷ୍ମୀ’ରୁ ‘ଲହରୀ’… ସମୟ ବଦଳିଛି, ଟେକ୍ନୋଲୋଜି ବଦଳିଛି, କିନ୍ତୁ ଓଡ଼ିଆ ସିନେମା ପ୍ରତି ଭଲପାଇବା ବଦଳିନି। ଜୟଦେବ ଭବନରେ ଆଜି ତାର ପ୍ରମାଣ ମିଳିଲା। ହଲ୍ ଫୁଲ୍, ତାଳିର ଗର୍ଜନ, ଆଖିରେ ଲୁହ। ସିନେମା କେବଳ ମନୋରଞ୍ଜନ ନୁହେଁ, ଏଇଟା ଆମ ସଂସ୍କୃତି ବୋଲି ବୁଝା ପଡୁଛି। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତିଙ୍କୁ ଆଜି ସମ୍ମାନିତ କରାଯାଇଛି।