ନୂଆଦିଲ୍ଲୀ: ଭାରତ-ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟିକ ବିବାଦ ମଧ୍ୟରେ ଏକ ବଡ଼ ଖବର ସାମନାକୁ ଆସୁଛି । ଆମେରିକା ବାଣିଜ୍ୟିକ ପ୍ରତିନିଧି ଜ୍ୟାମିସନ ଗ୍ରୀର ବୁଧବାର ଏକ ବଡ଼ ବୟାନ ଦେଇଛି । ଗ୍ରୀରଙ୍କ ଅନୁସାରେ, ଭାରତ ସହ ଚାଲିଥିବା ବାଣିଜ୍ୟିକ ଆଲୋଚନାରେ ୱାଶିଂଟନକୁ ନୂଆଦିଲ୍ଲୀରୁ ଏବେ ସୁଦ୍ଧା ବେଷ୍ଟ ଅଫର୍ ମିଳିଛି । ତେବେ କୃଷି ଓ ଅନ୍ୟ ଉତ୍ପାଦ ଉପରେ ଭାରତ ସହମତି ଦେଇ ନାହିଁ । ତଥାପି, ଗ୍ରୀର ଏହାକୁ ଭଲ ପ୍ରଗତିଶୀଳ ପଦକ୍ଷେପ ବୋଲି କହିଛନ୍ତି । ଏହାରି ବିତରେ ପରେ ଆମେରିକୀୟ ବାଣିଜ୍ୟିକ ପ୍ରତିନିଧି ରିକ୍ ସ୍ୱିଟଜରଙ୍କ ନେତୃତ୍ୱରେ ଆମେରିକୀୟ ପ୍ରତିନିଧିମଣ୍ଡଳ ଦିଲ୍ଲୀରେ ଦ୍ୱିପାକ୍ଷିକ ବାଣିଜ୍ୟ ବୁଝାମଣାର ପ୍ରଥମ ପର୍ଯ୍ୟାୟର ନିର୍ଣ୍ଣାୟକ ଆଲୋଚନା କରୁଛନ୍ତି ।

ଗ୍ରୀର କହିଛନ୍ତି ଯେ ବର୍ତ୍ତମାନ ସମୟରେ ଆମେରିକାର ପ୍ରତିନିଧିମଣ୍ଡଳ ଭାରତରେ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ ପ୍ରସଙ୍ଗ ଉପରେ ଆଲୋଚନା କରୁଛନ୍ତି । ସେ କହିଛନ୍ତି, ଯେତେବେଳେ ଆମେ ନୂଆଦିଲ୍ଲୀରେ ଆଲୋଚନା କରିଥାଉ, ସେତେବେଳେ ମୋର ଗୋଟିଏ ଟିମ୍ ଏହା ଉପରେ କାମ କରୁଥାଏ । ଭାରତରେ କିଛି ବିଶେଷ ଫସଲ ଓ ଅନ୍ୟ ଉତ୍ପାଦକୁ ନେଇ ଗତିରୋଧ ଚାଲିଛି । ସେ ଏହା ବି ସ୍ୱୀକାର କରିଛନ୍ତି ଯେ ଭାରତରେ ପ୍ରବେଶ କରିବା ଅତ୍ୟନ୍ତ କଷ୍ଟକର, କିନ୍ତୁ ଏହା ବି ସେ ସ୍ପଷ୍ଟ କରିଛନ୍ତି ଯେ ଭାରତ ଏହି ମାମଲାରେ ପ୍ରଗତିଶୀଳ ରହିଛି ।

ଗ୍ରୀରଙ୍କ ଅନୁସାରେ, "ଯେଉଁ ପ୍ରକାର ପ୍ରସ୍ତାବ ଉପରେ ଆମ ସହ ଆଲୋଚନା କରୁଛନ୍ତି, ତାହା ଗୋଟିଏ ଦେଶ ଭାବେ ଆମକୁ ମିଳୁଥିବା ସବୁଠୁ ଭଲ ପ୍ରସ୍ତାବ ।" ସେ ଭାରତକୁ ଏକ ଆଶାଜନକ ବୈକଳ୍ପିକ ବଜାର ରୂପେ ବୋଲି କହିଛନ୍ତି, କାରଣ ଆମେରିକା ନିଜ ରପ୍ତାନୀ ବଜାର ବଢାଇବା ଉପରେ ବିଚାର କରୁଛି ।

ଅନ୍ୟପଟେ ଆମେରିକା ବିଦେଶ ଉପ-ସଚିବ ଏଲିସନ ହୁକର ବିଦେଶ ସଚିବ ବିକ୍ରମ ମିସ୍ତ୍ରିଙ୍କ ସହ ବୈଠକ କରିଛନ୍ତି । ଦୁଇ ପକ୍ଷ ଫେବ୍ରୁଆରୀର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଠକର ଦୃଷ୍ଟିକୋଣକୁ ପରିଣାମରେ ବଦଳାଇବା ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ଭାରତ ସହ ରଣନୀତିକ ଓ ଆର୍ଥିକ ସହଯୋଗ ମଜଭୁତ କରିବା ପାଇଁ ପାଞ୍ଚ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଆସିଛନ୍ତି ।