ନୂଆଦିଲ୍ଲୀ: ଟିଏମ୍ କଂଗ୍ରେସ ସହିତ ବିଲୟ ହେବାର ଯେଉଁ ଖବର ଉଠୁଥିଲା, ତାହାକୁ ଖଣ୍ଡନ କଲା କଂଗ୍ରେସ। ଏଭଳି ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ଗୁଜବ ବୋଲି କହିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ କେଶି ବେଣୁଗୋପାଳ।

ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ବେଣୁଗୋପାଳ କହିଛନ୍ତି ଯେ ନିକଟରେ ଅଭିଷେକ ବାନାର୍ଜୀ ଓ ମମତା ବାନାର୍ଜୀଙ୍କ ସହ ହୋଇଥିବା ଆଲୋଚନା ଏକ ଜାତୀୟ ସମସ୍ୟା ନେଇ ହୋଇଥିଲା। ଦୁଇ ଦଳ ମିଶିଯିବା ନେଇ କୌଣସି ଆଲୋଚନା ହୋଇ ନାହିଁ ବୋଲି ବେଣୁ ଗୋପାଳ କହିଛନ୍ତି।

ଦୁଇ ଦଳ ମିଶିବା ନେଇ ହେଉଥିଲା ପ୍ରଚାରଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଓ ଅଭିଷେକ ବାନାର୍ଜୀ ଏଥର ଇଣ୍ଡିଆ ମେଣ୍ଟ ବୈଠକରେ ଯୋଗ ଦେବା ପରେ କଂଗ୍ରେସରେ ଟିଏମ୍ସି ମିଶିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଥିଲା ଯେତେବେଳେ ଉଭୟ ପିଉସୀ ଓ ପୁତୁରା କଂଗ୍ରେସ ସଂସଦୀୟ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଲୋକସଭା ବିରୋଦୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ସହ ବ୍ୟକ୍ତିଗତ ଭେଟି ଆଲୋଚନା କରିଥିଲେ। ରାଜନୈତିକ ମାହୋଲ୍ରେ ଚର୍ଚ୍ଚା ହେଲା ଯେ ଟିଏମ୍ସି କଂଗ୍ରେସ ସହ ମିଶିଯିବ।

ଏହା ପୂର୍ବରୁ ଟିଏମସି ମଧ୍ୟ କଂଗ୍ରେସ ସହ ବିଲୟ ହେବା ଖବରକୁ ଖଣ୍ଡନ କରିଥିଲା। ମମତାଙ୍କ ନିତ୍ୟାନ୍ତ ନକିଟତର ସୌଗତ ରୟ କହିଥିଲେ ଯେ ବର୍ତ୍ତମାନ ସମୟରେ କଂଗ୍ରେସ ସହ ରହିବା ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ତେବେ ଏହା ମେଣ୍ଟ ଭାବରେ ରହିବ କି ବିଲୟ ହେବ ତାହା ସମୟ କହିବ ବୋଲି ସୌଗତ ରୟ କହିଥିଲେ।

ମମତାଙ୍କ ଦୀର୍ଘ କଂଗ୍ରେସ କ୍ୟାରିୟର

ପଶ୍ଚିମବଙ୍ଗର ତିନିଥରର ମୁଖ୍ୟମନ୍ତ୍ରୀ ହୋଇଥିବା ମମତା ବାନାର୍ଜୀ କଂଗ୍ରେସରେ ଦୁଇ ଦଶନ୍ଧିରୁ ଅଧିକ ସମୟ କାଟିବା ପରେ, ୧୯୯୭ ମସିହାରେ ରାଜ୍ୟ ନେତୃତ୍ୱ ସହିତ ବଢ଼ୁଥିବା ମତଭେଦ ହେତୁ ଦଳଠାରୁ ଅଲଗା ହୋଇଯାଇଥିଲେ।

କଂଗ୍ରେସ ହାଇକମାଣ୍ଡ ପଶ୍ଚିମବଙ୍ଗକୁ ଅବହେଳା କରୁଛନ୍ତି ବୋଲି ସେ ସମାଲୋଚନା କରିଥିଲେ ଏବଂ ସିପିଆଇ(ଏମ୍) ନେତୃତ୍ୱାଧୀନ ବାମଫ୍ରଣ୍ଟ ସରକାରକୁ ଦୃଢ଼ ଭାବେ ମୁକାବିଲା କରିବାରେ କଂଗ୍ରେସର ଆଗ୍ରହ ନାହିଁ ବୋଲି ସେ ବିଶ୍ୱାସ କରୁଥିଲେ।

Also Read- ମମତାଙ୍କୁ କଲ୍ୟାଣ ବାନାର୍ଜୀଙ୍କ ଅଲ୍ଟିମେଟମ: ଅଭିଷେକକୁ ଛାଡ଼ ନହେଲେ ଆମକୁ ଛାଡ଼

୧୯୯୮ ମସିହାରେ, ସେ ତୃଣମୂଳ କଂଗ୍ରେସ (ଟିଏମସି) ଗଠନ କରିଥିଲେ। ଏହି ଦଳ ପରେ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇଥିଲା ଏବଂ ୨୦୧୧ ବିଧାନସଭା ନିର୍ବାଚନରେ ବାମଫ୍ରଣ୍ଟକୁ କ୍ଷମତାରୁ ହଟାଇ ଏକ ଐତିହାସିକ ବିଜୟ ହାସଲ କରିଥିଲା।

ସମ୍ପ୍ରତି, କଂଗ୍ରେସ ଏବଂ ଟିଏମସି ଉଭୟ ଦଳ ମିଶିଯିବା ନେଇ ଚାଲିଥିବା ଚର୍ଚ୍ଚାକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି। ତଥାପି, ଟିଏମସି ବର୍ତ୍ତମାନ ଆଭ୍ୟନ୍ତରୀଣ କନ୍ଦଳ ଏବଂ ନିର୍ବାଚନୀ ବିଫଳତା ଦେଇ ଗତି କରୁଥିବାରୁ, ମମତା ବାନାର୍ଜୀ ନିଜର ରାଜନୈତିକ ଭାଗ୍ୟକୁ ପୁନର୍ଜୀବିତ କରିବା ପାଇଁ କଂଗ୍ରେସ ସହିତ କୌଣସି ବଡ଼ ବୁଝାମଣା କରିବେ କି ନାହିଁ, ତାହା ଉପରେ ରାଜନୈତିକ ବିଶ୍ଳେଷକମାନେ କଡ଼ା ନଜର ରଖିଛନ୍ତି।