ଭୁବନେଶ୍ଵର: ଭୁବନେଶ୍ଵରର ବାଲିଅନ୍ତା ଅଞ୍ଚଳରେ ଜଣେ ଯୁବକଙ୍କୁ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏଭଳି ମବ୍ ଲିଞ୍ଚିଙ୍ଗ୍ ବା ଭିଡ଼ ହତ୍ୟା ଘଟଣାର ଯେପରି ପୁନରାବୃତ୍ତି ନ ହୁଏ, ସେଥିପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମଧ୍ୟ ଆସନ୍ତାକାଲି ବାଲିଅନ୍ତା ଯିବେ। ସମ୍ପୃକ୍ତ ମହିଳାମାନଙ୍କ ସହିତ ଆଲୋଚନା କରି ସତ୍ୟାସତ୍ୟର ଅନୁସନ୍ଧାନ କରିବେ।

ଏହି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ.ବି ଖୁରାନିଆଙ୍କ ସହିତ କଥା ହୋଇ ଘଟଣାର ପୁଙ୍ଖାନୁପୁଙ୍ଖ ଯାଞ୍ଚ୍ କରିବା ସହିତ ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ଭିଡ଼ ହତ୍ୟା ଘଟଣାର ଯେପରି ପୁନରାବୃତ୍ତି ନହୁଏ, ସେଥିପ୍ରତି ପୋଲିସ ପ୍ରଶାସନ ଓ ପୋଲିସ ବାହିନୀ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ରାଜ୍ୟରେ ଆଇନର ଶାସନ ପ୍ରତିଷ୍ଠା କରିବା ପାଇଁ ପୋଲିସ କଠୋରରୁ କଠୋରତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

​​​​​​​Also Read: ଆପାର୍ଟମେଣ୍ଟରେ ଭୟଙ୍କର ନିଆଁ, ଜିଅନ୍ତା ଜଳିଗଲେ ସ୍ୱାମୀ-ସ୍ତ୍ରୀ

ସୂଚନାଯୋଗ୍ୟ ଯେ, ଏହି ଘଟଣାରେ ପୋଲିସ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କୁ ଗିରଫ କରିବା ସହିତ ତା’ର ଅନୁସନ୍ଧାନ ଜାରି ରଖିଛି । ଏହି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତିଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି। ଘଟଣାର ସମସ୍ତ ଦିଗ ପ୍ରତି ସଚେତନ ରହି ପ୍ରକୃତ ସତ୍ୟ ଖୋଜି ବାହାର କରିବା ପାଇଁ ଏହି ଘଟଣାରେ ଯେଉଁ ମହିଳାମାନଙ୍କ ସହିତ ଦୁର୍ବ୍ୟବହାର ହୋଇଥିବାର ଅଭିଯୋଗ ହୋଇଛି, ସେମାନଙ୍କ ସହିତ ଆଲୋଚନା କରିବାକୁ  ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତି ଆସନ୍ତା କାଲି ବାଲିଅନ୍ତା ଯିବେ ବୋଲି ଜଣା ଯାଇଛି।

ସୂଚନାଯୋଗ୍ୟ, ବାଲିଚନ୍ଦ୍ରପୁର କାଜ ନିକଟରେ ୨ଜଣ ଯୁବତୀ ଯାଉଥିବା ବେଳେ ମାତାଲ ଅବସ୍ଥାରେ ଦୁଇ ଜଣ ଯୁବକ ସେମାନଙ୍କ ସହ ବାଇକ୍ ଧକ୍କା କରିଥିଲେ । ଏହା ପରେ ବାଇକରୁ ଓହ୍ଲାଇ ଆସି ଦୁଇ ଯୁବତୀଙ୍କୁ ଅସଦାଚରଣ କରିଥିଲେ । ଏହି ଘଟଣା ପ୍ରଚାର ହେବା ପରେ ସ୍ଥାନୀୟ ଲୋକଙ୍କ ଉପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଜଣେ ଯୁବକଙ୍କ ହାତଗୋଡ଼ ବାନ୍ଧି ରାସ୍ତାରେ ଘୋଷାଡ଼ିବା ସହ ଯିଏ ଯେମିତି ପାରିଲା ମାରି ଚାଲିଲେ ।

Also Read: ହଡ଼ପ କରିନେଇଥିଲେ ବ୍ୟାଙ୍କ୍ ଟଙ୍କା, ଲିଭ୍- ଇନ୍ ଦମ୍ପତିଙ୍କୁ ବାନ୍ଧିଲା ଭିଜିଲାନ୍ସ

ଯୁବକଙ୍କ ହାତ ଗୋଡ଼ ବାନ୍ଧି ବାଉଁସରେ ଝୁଲାଇ ପିଟିଥିଲେ ଲୋକେ । ବାଲିଅନ୍ତାରେ ଦେଖିବାକୁ ମିଳିଲା ମଧ୍ୟଯୁଗୀୟ ବର୍ବରତା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲେ ମଧ୍ୟ ଉତ୍ୟକ୍ତ ଲୋକଙ୍କ ରାଗ ଶାନ୍ତ ହୋଇନଥିଲା । ଶେଷରେ ଗୁରୁତର ଅବସ୍ଥାରେ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲା ପୋଲିସ । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତକ ହେଲେ ଓଲଟପୁର ଥାନା ମଉଜପୁର ଗାଁର ସୌମ୍ୟ ରଞ୍ଜନ ସ୍ବାଇଁ ବୋଲି ଜଣାପଡ଼ିଛି । ସେ ଜଣେ ରେଲଓ୍ବେ କନ୍ଷ୍ଟେବଲ ଭାବେ କାର୍ଯ୍ୟ କରୁଥିଲେ । ସୌମ୍ୟଙ୍କ ସହ ଥିବା ଆଉ ଜଣେ ଯୁବକ ହେଲେ ଓମ୍ ପ୍ରକାଶ ମହାନ୍ତି । ତାଙ୍କୁ ପୋଲିସ ଅଟକ ରଖି ପଚରା ଉଚରା ଚଳାଇଛି ।