ପୁରୀ ୧୧।୧୧: ଅନିଶ୍ଚିତତା ଭିତରେ ଶ୍ରୀମନ୍ଦିର ଧାଡି ଦର୍ଶନ ବ୍ୟବସ୍ଥା । ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥାକୁ ନେଇ ପୁଣି ଚର୍ଚ୍ଚା। ବାହାରି ପାରୁନି ନିଷ୍କର୍ସ, ଅନିଶ୍ଚିତତା ଭିତରେ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା। ଶ୍ରୀମନ୍ଦିରରେ ଶୃଙ୍ଖଳିତ ଧାଡ଼ି ଦର୍ଶନ ପାଇଁ ଚାଲିଛି ଯୋଜନା ପରେ ଯୋଜନା। କେତେବେଳେ କାଠର ରାମ୍ପ ତ ଆଉ କେତେବେଳେ ଫୋଲ୍ଡିଂ ରାମ୍ପ। ବଦଳୁଛି ଡିଜାଇନ୍, ବଢ଼ୁଛି ଅପେକ୍ଷା। ଆଇଆଇଟି ଭୁବନେଶ୍ୱରର ବୈଷୟିକ ସହଯୋଗରେ ନୂଆ ମଡେଲ୍ ପ୍ରସ୍ତୁତ ହୋଇଥିବା ବେଳେ ଏବେ ୮ଟି ରାମ୍ପରେ ଏକଘଣ୍ଟା ମଧ୍ୟରେ ୧୦ହଜାର ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା କରିବାକୁ ଯୋଜନା ରହିଥିବା କହିଥିଲେ ଆଇନ ମନ୍ତ୍ରୀ।

ତେବେ ଗତକାଲି ପରିଚାଳନା କମିଟିର ସଦସ୍ୟ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ପ୍ରସ୍ଥାବିତ ଧାଡି ଦର୍ଶନ ରାମ୍ପକୁ ଯାଞ୍ଚ କରିଥିବା ବେଳେ ଏଥିରେ ପୁର୍ନବାର ସୁଧାର ଓ ପରିବର୍ତ୍ତନ ଆବଶ୍ୟକ ବୋଲି ହୃଦବୋଧ କରିଥିଲେ। ଯାହାକୁ ନେଇ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପରିଚାଳନା କମିଟିର ସଦସ୍ୟ ଜଗନ୍ନାଥ ପୂଜାପଣ୍ଡା ପ୍ରତିକ୍ରିୟା ରଖିଛନ୍ତି। ତେବେ ପ୍ରସ୍ଥାବିତ ରାମ୍ପରେ ପାହାଚ ବ୍ୟବସ୍ଥା ଯୋଗୁଁ ଭକ୍ତଙ୍କ ଯାତାୟାତରେ ଅସୁବିଧା ହେବ ବୋଲି ପରିଲକ୍ଷିତ କରିଛନ୍ତି ପରିଚାଳନା କମିଟିର ସଦସ୍ୟ ଜଗନ୍ନାଥ ପୂଜାପଣ୍ଡା। ଅନ୍ୟପଟେ ଧାଡି ଦର୍ଶନ ଯୋଗୁଁ କିଭଳି ମହାପ୍ରଭୁଙ୍କ ନୀତିକାନ୍ତି ଓ ଭକ୍ତଙ୍କ ଦର୍ଶନରେ ଅସୁବିଧା ନହେବ ସେଥିପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବେଳେ ସମସ୍ତ ନିଯୋଗର ସେବକଙ୍କ ପରାମର୍ଶ ଆଧାରରେ ଏହି ବ୍ୟବସ୍ଥା ଲାଗୁ କରାଯିବ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।

ମହାପ୍ରଭୁଙ୍କ ଦର୍ଶନ ପାଇଁ ଦୈନିକ ଶ୍ରୀକ୍ଷେତ୍ରକୁ ଛୁଟି ଆସୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ପର୍ବପର୍ବାଣୀ ଓ ଛୁଟିଦିନରେ ଭିଡ଼ ଆହୁରି ବଢ଼ୁଛି। ନାଟମଣ୍ଡପ ଓ ଜଗମୋହନରେ ଭିଡ଼ ନିୟନ୍ତ୍ରଣ ସହ ସମସ୍ତ ଭକ୍ତଙ୍କୁ ଶୃଙ୍ଖଳିତ ଦର୍ଶନ କରାଇବା ପାଇଁ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ଧାଡ଼ି ଦର୍ଶନ ଯୋଜନା। କାର୍ତ୍ତିକ ମାସପରେ ଏହି ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଏଥିରେ ପୁର୍ନବାର ତ୍ରୁଟି ପରିଲକ୍ଷିତ କରିଛି ଶ୍ରୀମନ୍ଦିର ପରିଚାଳନା କମିଟି।

ସେପଟେ ନାଟମଣ୍ଡପରେ ଧାଡି ଦର୍ଶନ ବ୍ୟବସ୍ଥା ହେଲେ ମହାପ୍ରଭୁଙ୍କ ନୀତିକାନ୍ତିରେ ବ୍ୟାଘାତ ସୃଷ୍ଟି ହେବାସହ ଶ୍ରୀମନ୍ଦିର ଭିତରେ ଏହି ବ୍ୟବସ୍ଥା ଆଦୌ ସମ୍ଭବ ନୁହେଁ ବୋଲି କହିଛନ୍ତି ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର। ତେଣୁ ବର୍ତ୍ତମାନ ସମୟରେ କେତେ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ତାହାକୁ ସମୀକ୍ଷା କରି ଧାଡି ଦର୍ଶନ ବ୍ୟବସ୍ଥା ପରୀକ୍ଷାମୂଳକ ଭାବେ ଲାଗୁ କରାଯାଉ କହିଛନ୍ତି ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର। ଅନ୍ୟପଟେ ଶୃଙ୍ଖଳିତ ଦର୍ଶନ ପାଇଁ ସରକାରଙ୍କ ଧାଡି ଦର୍ଶନ ବ୍ୟବସ୍ଥାକୁ ସ୍ୱାଗତ କରିଛନ୍ତି ଭକ୍ତ ।