ପୁରୀ ୧୨।୧୧: ଆଉ ଶ୍ରୀମନ୍ଦିର ବାହାରେ ମହାପ୍ରସାଦର ମର୍ଯ୍ୟାଦାକୁ କରାଯିବନି ଅବମାନନା।ଆକ୍ସନ ମୁଡ୍ ରେ ଶ୍ରୀମନ୍ଦିର ପ୍ରଶାସନ।ଶ୍ରୀମନ୍ଦିର ବାହାରେ ଖଲିପତ୍ରରେ ମହାପ୍ରସାଦ ବିକ୍ରି ଘଟଣାକୁ ନେଇ ଭକ୍ତଙ୍କ ଭାବାବେଗ, ମହାପ୍ରଭୁ ଓ ଶ୍ରୀମହାପ୍ରସାଦ ପ୍ରତି ଅପମାନକୁ ନେଇ ତୁମ୍ବିତୋଫାନ ହେବାପରେ ଆକ୍ସନ ମୁଡ୍ କୁ ଆସି ସମ୍ପୃକ୍ତ ବିକ୍ରେତାଙ୍କ ବିରୁଦ୍ଧରେ ସିଂହଦ୍ଵାର ଥାନାରେ ଏତଲା ଦେଇଛି ଶ୍ରୀମନ୍ଦିର ପ୍ରଶାସନ।ତେବେ ଭକ୍ତଙ୍କ ଗହଳିର ସୁଯୋଗ ନେଇ ଶ୍ରୀମନ୍ଦିର ବାହାରେ ମହାପ୍ରସାଦ ବିକ୍ରି ଘଟଣାକୁ ନିୟମ ବିରୋଧୀ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ।ତେଵେ କାର୍ତ୍ତିକ ମାସ ପରେ ଆନନ୍ଦବଜାରରେ ଶୃଙ୍ଖଳିତ ମହାପ୍ରସାଦ ଓ ଶୁଖିଲି ଭୋଗ ବିକ୍ରି ପାଇଁ ବ୍ୟବସ୍ଥା କରିବାକୁ ସେବକଙ୍କ ସହିତ ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରିଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ପାଢୀ।

ସେପଟେ ଆନନ୍ଦବଜାରରୁ ମହାପ୍ରସାଦ ଆଣିବା ପାଇଁ ଲୋକେ ଘଣ୍ଟାଘଣ୍ଟା ବ୍ୟାରିକେଡ୍ ରେ ଲାଇନ୍ ରେ ଠିଆ ହେଉଥିବା ବେଳେ ବାଧ୍ୟ ହୋଇ ସେମାନେ ଦଲାଲ୍ ବା ବାହାର ବିକ୍ରେତାଙ୍କ ଠାରୁ ମହାପ୍ରସାଦ କିଣୁଛନ୍ତି। ତେଣୁ ଭକ୍ତମାନେ ମହାପ୍ରସାଦ କିଭଳି ସୁରୁଖୁରୁରେ ଓ କମ୍ ସମୟରେ ପାଇପାରିବେ ସେନେଇ ଏକ ମାର୍ଗଦର୍ଶିକା ଆବଶ୍ୟକ ବୋଲି କହିଛନ୍ତି ଆଇନଜୀବୀ ଶରତ ରାୟଗୁରୁ।

​​​​​​​Also Read:- ମରାମତି ଚାଲିଥିବା ବେଳେ ଫାଟିଲା AC କମ୍ପ୍ରେସର, ଦୁଇ ମେକାନିକ୍ ଗୁରୁତର

ସେପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଏପର୍ଯ୍ୟନ୍ତ ଆନନ୍ଦବଜାରରେ ମହାପ୍ରସାଦର ଦର ତାଲିକା ଲଗାଯାଇନାହିଁ। ସମୟ ଅନୁସାରେ, ବଜାର ଦର ଓ ପରିବା ଦରକୁ ନଜର କଲେ ମହାପ୍ରସାଦର ଦର ପ୍ରାୟତଃ ଉପରତଳ ହେବ ଏଥିରେ କିଛି ସନ୍ଦେହ ନାହିଁ କହିଛନ୍ତି ପରିଚାଳନା କମିଟିର ସଦସ୍ୟ ଜଗନ୍ନାଥ ପୂଜାପଣ୍ଡା। ତେଣୁ ଭକ୍ତଙ୍କ ଶୃଙ୍ଖଳିତ ମହାପ୍ରସାଦ ସେବନ ଓ କ୍ରୟ ଉପରେ ଆନନ୍ଦବଜାରରେ ଦର ତାଲିକା ନିହାତି ଲାଗିବା ଆବଶ୍ୟକ କିନ୍ତୁ ସମୟ କ୍ରମେ ମହାପ୍ରସାଦ ଦରର ପରିବର୍ତ୍ତନ ମଧ୍ୟ ହୋଇପାରେ ବୋଲି କହିଛନ୍ତି ପୂର୍ବତନ ପରିଚାଳନା କମିଟିର ସଦସ୍ୟ ଅନନ୍ତ ତିଆଡି।