ଭୁବନେଶ୍ବର: ସ୍ବାମୀ ସ୍ତ୍ରୀ ନୁହଁନ୍ତି ହେଲେ ସ୍ବାମୀ ସ୍ତ୍ରୀର ପରିଚୟ ଦେଇ ଲିଭଇନରେ ରହୁଥିଲେ। ଆଉ ବଡ଼ ବଡ଼ ଲୋକଙ୍କୁ ଟଙ୍କା ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକି ନେଉଥିଲେ। ଏମିତିରେ ଧୀରେ ଧୀରେ ବୋଧ ହୁଏ ନିଜ ପାରିବା ପଣିଆ ଉପରେ ଆସିଯାଇଥିଲା ଅହଙ୍କାର । ଆଉ ବଡ଼ ଠକେଇ କରିବା ପାଇଁ ଜଣେ ବ୍ୟାଙ୍କ୍ ମ୍ୟାନେଜରଙ୍କ ସହ ମିଶି କରିଲେ ପ୍ଲାନିଂ । ଚାଷୀଙ୍କ ଜମା ଟଙ୍କା ହଡ଼ପ କରିନେଲେ। ହେଲେ ଏବେ ଧରାପଡ଼ି ଜେଲ୍ ଯାଇଛନ୍ତି । ମାଲକାନଗିରି ସେଣ୍ଟ୍ରାଲ କୋଓପରେଟିଭ ବ୍ୟାଙ୍କ ଠକେଇ ଘଟଣାରେ ଭୁବନେଶ୍ବରରୁ ଦୁଇଜଣଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗିରଫ ହୋଇଥିବା ଠକ ନକଲି ଦମ୍ପତି ହେଉଛନ୍ତି ସୁଶ୍ରୀ ନିବେଦିତା ତରାଇ ଏବଂ ତାଙ୍କ ବୟଫ୍ରେଣ୍ଡ ନୃସିଂହ ଖମାରୀ।

ସୂଚନା ଅନୁସାରେ, ସୁଶ୍ରୀ ନିବେଦିତା ତରାଇ ଏବଂ ତାଙ୍କ ବୟଫ୍ରେଣ୍ଡ ନୃସିଂହ ହେଉଛନ୍ତି ପେଶାଦାର ଠକ। ସେମାନେ ପୂର୍ବରୁ ଅନେକ ଠକେଇର ଜଡ଼ିତ ଅଛନ୍ତି। ଏହି ଠକେଇ କ୍ରମେ ନିବେଦିତା ଏକ ଫେକ୍ ଫେସବୁକ୍ ଆଇଡି ଖୋଲି ମାଲକାନଗିରି କୋ- ଅପରେଟିଭ ବ୍ୟାଙ୍କ ମ୍ୟାନେଜର ସୁଧାଂଶୁ ଖରାଙ୍କ ସହ ଯୋଗାଯୋଗରେ ଆସିଥିଲେ। ଏହାପରେ ତିନି ଜଣ ଯାକ କେସିସି ବ୍ୟାଙ୍କରୁ ଡିପୋଜିଟ ପାଇଁ ଆସିଥିବା ପ୍ରାୟ ୧. ୮ କୋଟି ଟଙ୍କା ଚଳୁ କରିଥିଲେ। ଠକେଇ ସମ୍ପର୍କରେ ଜାଣିପାରି ଭିଜିଲାନ୍ସରେ ଅଭିଯୋଗ କରାଯାଇଥିଲା।

Also Read: ଅସଲି ହାତରେ ନକଲି ପୋଲିସ, SI ପରିଚୟ ଦେଇ ଠକୁଥିଲେ ବାପା-ପୁଅ​​​​​​​

ତଦନ୍ତକ୍ରମେ ମ୍ୟାନେଜର ସୁଧାଂଶୁ ଖରାଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ଏହି ଠକ ଯୋଡ଼ିଙ୍କ ବିଷୟରେ ଜାଣିବାକୁ ପାଇଥିଲା ଭିଜିଲାନ୍ସ। ଶେଷରେ ଭିଜିଲାନ୍ସ ବିଭାଗ ତଦନ୍ତ କରି ନିବେଦିତା ତରାଇ ଓ ତା’ର ବୟଫ୍ରେଣ୍ଡ ନୃସିଂହ ଖମାରୀଙ୍କୁ ଗିରଫ କରିଛି। ଏମାନଙ୍କ ଘରୁ ୩୩ଟି ମୋବାଇଲ ଜବତ କରାଯାଇଛି । ଯେଉଁଥିରୁ ୨୩ ଗୋଟି ମୋବାଇଲକୁ ଭଙ୍ଗିଦିଆଯାଇଛି । ସେହିଭଳି ଡ୍ରୋନ, ଏସଏଲଆର  କ୍ୟାମେରା, ଆଠୋଟି ଦାମୀ ଘଣ୍ଟା ସହ ତିନୋଟି କାର, ଦୁଇଟି ସ୍ପିଡ ବାଇକ ଓ ଦୁଇଟି ସ୍କୁଟି ଜବତ କରିଛି ଭିଜିଲାନ୍ସ।

ସୁଶ୍ରୀ ଓ ନୃସିଂହ ନାଁରେ ବିଭିନ୍ନ ବ୍ୟାଙ୍କରେ ରହିଥିବା ୨୫ ଆକାଉଣ୍ଟକୁ ଠାବ କରିଛି ଭିଜିଲାନ୍ସ । ଏମାନଙ୍କ ଆକାଉଣ୍ଟକୁ କେସିସି ବ୍ୟାଙ୍କ ମ୍ୟାନେଜର ୧ କୋଟି ୮ ଲକ୍ଷ ଟଙ୍କା ପଠାଇଥିବା ପ୍ରମାଣ ପାଇଛି ଭିଜିଲାନ୍ସ।ଯେଉଁଥିରୁ ସୁଶ୍ରୀ ଆକାଉଣ୍ଟକୁ ୬୩ ଲକ୍ଷ ଟଙ୍କା ଆସିଥିଲା। ତେବେ କେବଳ କେସିସି ନୁହେଁ ଏହି ଦୁଇ ଅଭିଯୁକ୍ତ ବାଙ୍ଗାଲୋରରେ ମଧ୍ୟ ୧୪ ଲକ୍ଷ ଟଙ୍କା ଠକେଇ କରିଥିବା କଥା ସାମ୍ନାକୁ ଆସିଛି । ସେହିଭଳି ଜଗତସିଂପୁର ଅଞ୍ଚଳରୁ ୩୦ ଲକ୍ଷ ଟଙ୍କା ଠକେଇ କରି ଫେରାର ଥିଲେ ଦୁଇ ଅଭିଯୁକ୍ତ ।