ନୂଆଦିଲ୍ଲୀ: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜମାନଙ୍କ ଜବରଦସ୍ତ ପ୍ରଦର୍ଶନ ଜାରି ରହିଛି। ମହିଳା ଦଳର ସଫଳତା ପରେ ଏବେ କମ୍ପାଉଣ୍ଡ ମିକ୍ସଡ୍ ଟିମରେ ଭାରତୀୟ ଖେଳାଳିମାନେ ନିଜର ଦମଦାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ବଡ଼ ବିଜୟ ସହ ଚଳିତ ଏସିଆନ ଗେମ୍ସରେ ଭାରତର ପଦକ ସଂଖ୍ୟା ଆହୁରି ବୃଦ୍ଧି ପାଇଛି।

ରୋମାଞ୍ଚକର ଫାଇନାଲ‌ରେ ଦକ୍ଷିଣ କୋରିଆକୁ ମାତ୍

କମ୍ପାଉଣ୍ଡ ମିକ୍ସଡ୍ ଇଭେଣ୍ଟର ଫାଇନାଲ ମ୍ୟାଚରେ ଚିକିଥା ତନିପର୍ଥୀ ଏବଂ ସାହିଲ୍ (ରାଜେଶ) ଯାଦବଙ୍କ ଭାରତୀୟ ଯୋଡ଼ି ପ୍ରାରମ୍ଭରୁ ହିଁ ଚମତ୍କାର ପ୍ରଦର୍ଶନ କରିଥିଲେ। ଦକ୍ଷିଣ କୋରିଆ ଭଳି ମଜବୁତ୍ ଦଳ ବିପକ୍ଷରେ ପ୍ରଥମ ଦୁଇଟି ସେଟରେ ଭାରତୀୟ ତୀରନ୍ଦାଜମାନେ ଲଗାତାର ୧୦ ପଏଣ୍ଟ ନିଶାଣ ସାଧିଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ୮୦-୭୮ ପଏଣ୍ଟରେ ଆଗୁଆ ରହିଥିଲା।

Also Read: ମହିଳା ୪x୪୦୦ ମିଟର ରିଲେ ଦୌଡ଼ରେ ଝିଅଙ୍କ ସ୍ୱର୍ଣ୍ଣିମ ସଫଳତା, ଏସୀୟ କ୍ରୀଡ଼ାରେ ଭାରତ ଜିତିଲା ଷଷ୍ଠ ସ୍ୱର୍ଣ୍ଣ ପଦକ

ମ୍ୟାଚର ନିର୍ଦ୍ଧାରିତ ସମୟ ଶେଷ ସୁଦ୍ଧା ଦୁଇ ଦଳର ସ୍କୋର ୧୫୭-୧୫୭ ସମାନ ରହିବାରୁ ଫଳାଫଳ 'ଶୁଟ୍-ଅଫ୍'  ଜରିଆରେ ସ୍ଥିର ହୋଇଥିଲା। ଏହି ରୋମାଞ୍ଚକର ମୁକାବିଲାରେ ଭାରତୀୟ ଯୋଡ଼ି  ଧୈର୍ଯ୍ୟର ସହ ଚାପକୁ ନିୟନ୍ତ୍ରଣରେ ରଖି ସଠିକ୍  ନିଶାଣ ଲଗାଇବା ସହ ଦକ୍ଷିଣ କୋରିଆକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଥିଲେ।

ସେମିଫାଇନାଲ୍‌ରେ ଥାଇଲ୍ୟାଣ୍ଡକୁ ଦେଇଥିଲେ କଡ଼ା ଟକ୍କର

ଫାଇନାଲ ପୂର୍ବରୁ ସେମିଫାଇନାଲରେ ମଧ୍ୟ ଭାରତୀୟ ଯୋଡ଼ି ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ। ଥାଇଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ରହିଥିଲା। ଭାରତୀୟ ଯୋଡ଼ି ପ୍ରଥମ ସେଟ୍‌ରୁ ହିଁ ୩୯-୩୭ରେ ଅଗ୍ରଣୀ ହାସଲ କରିଥିଲେ। ଥାଇଲ୍ୟାଣ୍ଡ ଦଳ ପ୍ରତ୍ୟାବର୍ତ୍ତନ ପାଇଁ ଚେଷ୍ଟା କରିଥିଲେ ବି ଶେଷ ପର୍ଯ୍ୟନ୍ତ ଶ୍ରେଷ୍ଠ ନିଶାଣ ବଜାୟ ରଖି ଭାରତ ୧୫୬-୧୫୫ର ଅତି ନିକଟତର ବ୍ୟବଧାନରେ ବିଜୟୀ ହୋଇ ଫାଇନାଲରେ ସ୍ଥାନ ପକ୍କା କରିଥିଲା। ଏସିଆନ୍ ଗେମ୍ସରେ ତୀରନ୍ଦାଜୀ ବିଭାଗରୁ ଭାରତକୁ ମିଳିଥିବା ଏହି କ୍ରମାଗତ ସଫଳତା ଦେଶପାଇଁ ଗୌରବ ଆଣିଦେଇଛି।