ନାଗୋୟା: ଏସୀୟ କ୍ରୀଡ଼ା ୨୦୨୬ରେ ଭାରତକୁ ଷଷ୍ଠ ସ୍ୱର୍ଣ୍ଣ ପଦକ ମିଳିଛି । ଏହି ପଦକ ମହିଳା ୪x୪୦୦ ମିଟର ରିଲେ ଦୌଡ଼ରୁ ଆସିଛି । କିରଣ, ମଚେତିରା ପୁଭାମ୍ମା, ପ୍ରାଚୀ ଏବଂ ବିଥ୍ୟା ରାମରାଜଙ୍କ ଭାରତୀୟ ଦଳ ଏହି ପଦକ ଜିତିଛନ୍ତି । ଭାରତ ଏହି ଦୌଡ଼କୁ ୩:୨୯.୬୯ ମିନିଟରେ ସମ୍ପୂର୍ଣ୍ଣ କରିଥିଲା । ଅନ୍ୟପଟେ ଏହି ଇଭେଣ୍ଟରେ ବାହାରିନକୁ ରୌପ୍ୟ ଏବଂ ଚୀନକୁ ବ୍ରୌଞ୍ଜ ପଦକ ମିଳିଛି । ଭାରତ ଲେନ୍-୬ରୁ ରିଲେ ଆରମ୍ଭ କରିଥିଲା ଏବଂ କିରଣଙ୍କୁ ପ୍ରଥମ ଲେଗ୍‌ର ଦାୟିତ୍ୱ ଦିଆଯାଇଥିଲା । ସ୍ପ୍ରିଣ୍ଟର କିରଣ ତୃତୀୟ ସ୍ଥାନରେ ବ୍ୟାଟନ୍ ପାସ୍ କରିଥିଲେ ।

Also Read: ଗୋଟିଏ ଏସୀୟ କ୍ରୀଡ଼ାରେ ନିଜ ନାଁରେ କଲେ ୩ ପଦକ, ଦୁଇଟି ରୌପ୍ୟ ପରେ ଜିତିଲେ ବ୍ରୋଞ୍ଜ

ଏବେ ବ୍ୟବଧାନ କମାଇବାର ଦାୟିତ୍ୱ ପୁଭାମ୍ମାଙ୍କ ଉପରକୁ ଆସିଥିଲା । ଅଭିଜ୍ଞ ପୁଭାମ୍ମା ଦ୍ୱିତୀୟ ଲେଗରେ ଚମତ୍କାର ପ୍ରଦର୍ଶନ କରି ଭାରତକୁ ଆଗକୁ ନେଇଯାଇଥିଲେ । ଏହାପରେ ସେ ପ୍ରାଚୀଙ୍କୁ ବ୍ୟାଟନ୍ ହସ୍ତାନ୍ତର କରିଥିଲେ । ପ୍ରାଚୀ ଭାରତକୁ ପଦକ ଦୌଡ଼ରେ ମଜବୁତ ଭାବରେ ବଜାୟ ରଖି ବିଥ୍ୟାଙ୍କୁ ଆଙ୍କର ଲେଗ୍ (ଶେଷ ପର୍ଯ୍ୟାୟ)ରେ ଯେପରି ଭଲ ସ୍ଥିତିରେ ବ୍ୟାଟନ୍ ମିଳିବ ତାହା ସୁନିଶ୍ଚିତ କରିଥିଲେ । ଏହାପରେ ଶେଷ ଲାପ୍ ବିଥ୍ୟାଙ୍କ ନାମରେ ରହିଥିଲା ।

୨୦୦ ମିଟର ଚିହ୍ନ ପାଖରୁ ବିଥ୍ୟା ନିଜର ଗତି ବଢ଼ାଇଥିଲେ । ଯଦିଓ ବାହାରିନ‌ର ସାଲ୍‌ଭା ଇଦ୍ ନାସର ପୂରା ଶକ୍ତି ଲଗାଇ ପଛରେ ପଡ଼ିଥିଲେ ଏବଂ ଧୀରେ ଧୀରେ ବ୍ୟବଧାନ କମାଉଥିଲେ, କିନ୍ତୁ ବିଥ୍ୟା ଫାଇନାଲ୍ ଲେଗ୍‌ର ଆରମ୍ଭରୁ ହିଁ ଅଗ୍ରଣୀ ହାସଲ କରିସାରିଥିଲେ ଏବଂ ସବୁଠୁ ଆଗରେ ଫିନିସ୍ ଲାଇନ୍ ପାର କରିଥିଲେ ।

ମହିଳା ୪x୪୦୦ ରିଲେରେ ଭାରତର ଦବଦବା

ଏସୀୟ କ୍ରୀଡ଼ାରେ ମହିଳା ୪x୪୦୦ ରିଲେ ଦୌଡ଼ରେ ଭାରତର ସର୍ବଦା ଦବଦବା ରହିଆସିଛି । ୨୦୦୨ରୁ ଏପର୍ଯ୍ୟନ୍ତ ହୋଇଥିବା ୭ଟି ଏସୀୟ କ୍ରୀଡ଼ାରେ ଏହି ଇଭେଣ୍ଟରେ ଭାରତର ଏହା ଷଷ୍ଠ ସ୍ୱର୍ଣ୍ଣ ପଦକ । ହାଙ୍ଗଜୋଉରେ ଏହି ଇଭେଣ୍ଟରେ ବାହାରିନ୍ ସ୍ୱର୍ଣ୍ଣ ଜିତିଥିବା ବେଳେ ଭାରତକୁ ରୌପ୍ୟ ମିଳିଥିଲା । ଏବେ ପୁଣି ଥରେ ଭାରତୀୟ ମହିଳା ଟିମ୍ ଏସୀୟ କ୍ରୀଡ଼ାରେ ୪x୪୦୦ ମିଟର ରିଲେ ଦୌଡ଼ର ଚାମ୍ପିଅନ୍ ହୋଇପାରିଛି ।