ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତର ସ୍ଥଳ ସେନା ମୁଖ୍ୟ। ଭାରତୀୟ ସେନା କିଭଳି ଆହୁରି ଅଧିକ ଶକ୍ତିଶାଳୀ ହେବ ସେନେଇ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ତିନିଦିନିଆ ଓଡିଶା ଗସ୍ତରେ ଆସିଥିବା ଭାରତୀୟ ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ଆଜି ସକାଳୁ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ଲାଭ କରିଛନ୍ତି। ସପରିବାର ସହ ସେନା ମୁଖ୍ୟ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।

ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏବଂ ଏସପି ପ୍ରତୀକ ସିଂ ତାଙ୍କୁ ସ୍ବାଗତ କରିବା ସହ ଶ୍ରୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରତ୍ନ ସିଂହାସନରେ ଦର୍ଶନ କରିବା ପରେ ମା ବିମଳା, ଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀଙ୍କ ଦର୍ଶନ ସହିତ ପୂଜାର୍ଚ୍ଚନା କରିଥିଲେ। ଦର୍ଶନ ସାରି ଫେରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ସ୍ଥଳ ସେନା ମୁଖ୍ୟ।

​​​​​​​Also Read...NCERT Textbook: ଏପ୍ରିଲ୍‌ ୨ରୁ ଆରମ୍ଭ ହେବ ନୂଆ ଶିକ୍ଷାବର୍ଷ, ଚିନ୍ତାରେ CBSE ନବମ ଶ୍ରେଣୀ ଛାତ୍ରଛାତ୍ରୀ

ପୁରୀ ନଗରୀକୁ ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସୁଯୋଗ ମିଳିଥିବାରୁ ସେ ନିଜକୁ ଭାଗ୍ୟବାନ ମନେ କରିଛନ୍ତି। ଆଗାମୀ ଦିନରେ ଯେକୌଣସି ପରିସ୍ଥିତି ଆସୁ ଭାରତୀୟ ସେନା ତା'କୁ କିଭଳି ସାମ୍ନା କରିବେ ଏବଂ ଭାରତୀୟ ସେନା ମାନଙ୍କ ଶକ୍ତି କିଭଳି ଅଧିକ ବୃଦ୍ଧି ପାଇବ ସେନେଇ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ବିଶେଷ କରି ପୁରୀ ଓ ଓଡ଼ିଶା ବାସୀଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତିି। ଦେଶର ମଙ୍ଗଳ କାମନା ନେଇ ସେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା ମଧ୍ୟ କରିଛନ୍ତି।

ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ପରେ ସ୍ଥଳ ସେନା ମୁଖ୍ୟ ଉପେନ୍ଦ୍ର ଦ୍ବିବେଦୀ ପୁରୀ ସୈନିକ ସଦନରେ କିଛି ସମୟ ଅତିବାହିତ କରିବା ପରେ ସେଠାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାଳବଣିଆ ହେଲିପ୍ୟାଡ ଯାଇ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଗୋପାଳପୁରର ମିଲିଟାରୀ ଷ୍ଟେସନ ଅଭିମୁଖେ ବାହାରିଥିବା ସୂଚନା ମିଳିଛି।

​​​​​​​