ମୁମ୍ବାଇ: ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫଙ୍କୁ ହତ୍ୟା ପାଇଁ କିଲରଙ୍କୁ ମିଳିବାର ଥିଲା ୩୫ ହଜାର ଟଙ୍କା । କାମ୍‌ ଶେଷ ହେବା ପରେ ଏହି ଟଙ୍କା ମିଳିଥାନ୍ତା । କିନ୍ତୁ ସେମାନଙ୍କୁ ପୁଲିସ ଗିରଫ କରିଛି । ଗୁଳିକାଣ୍ଡରେ ସାମିଲ ଥିବା ରେହାନ ଏବଂ ଜଣେ ନାବାଳକ ପ୍ରାୟ ୧୦ ଦିନ ପୂର୍ବରୁ ମୁମ୍ବାଇ ଆସିଥିଲେ। ଏହି ଦୁଇଜଣ ଗ୍ୟାଙ୍ଗଷ୍ଟର ଅନିଲ ପଣ୍ଡିତ ସହ ସମ୍ପର୍କରେ ଥିଲେ। ରାଜସ୍ଥାନର କୋଟାରୁ ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କୁ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ମୁମ୍ବାଇ ପୋଲିସକୁ ହସ୍ତାନ୍ତର କରାଯାଇଛି ।  

ମାଜିଷ୍ଟ୍ରେଟ୍ ତିନି ଅଭିଯୁକ୍ତଙ୍କ ପାଇଁ ୪୮ ଘଣ୍ଟାର ଟ୍ରାଞ୍ଜିଟ୍ ୱାରେଣ୍ଟ ଜାରି କରିଛନ୍ତି । କୋଟା ସହରର ଏସପି ତେଜସ୍ୱିନୀ ଗୌତମ ଜଣାଇଛନ୍ତି ଯେ, ‘ ତଦନ୍ତରୁ ଜଣାପଡ଼ିଛି ପ୍ରାୟ ଦେଢ଼ ମାସ ପୂର୍ବରୁ ସମୀର ନାମକ ଜଣେ ବ୍ୟକ୍ତି ରେହାନ ଏବଂ ଅନିଲ ପଣ୍ଡିତ ମଧ୍ୟରେ କଥାବାର୍ତ୍ତା କରାଇଥିଲା। ସମୀର ଜରିଆରେ ଅନିଲ ପଣ୍ଡିତ ରେହାନକୁ ୩୫,୦୦୦ ଟଙ୍କା ଦେବା ସହ ବିଦେଶ ପଠାଇବାର ଲୋଭ ଦେଖାଇଥିଲା।’

ମୁମ୍ବାଇ ପୋଲିସ ଏବଂ କୋଟା ପୋଲିସ ଅଭିଯୁକ୍ତମାନଙ୍କୁ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରିବା ପରେ ହସ୍ପିଟାଲକୁ ନେଇଥିଲେ। ସେଠାରେ ତିନି ଅଭିଯୁକ୍ତଙ୍କର ମେଡିକାଲ ଯାଞ୍ଚ କରାଯାଇଥିଲା। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପୋଲିସ ଅଭିଯୁକ୍ତମାନଙ୍କୁ ହସ୍ପିଟାଲ ନେଇଥିଲା। ମେଡିକାଲ ପ୍ରକ୍ରିୟା ଶେଷ ହେବା ପରେ ତିନିଜଣଙ୍କୁ ମୁମ୍ବାଇ ପୋଲିସକୁ ହସ୍ତାନ୍ତର କରାଯାଇଛି । 

ତଦନ୍ତରୁ  ଜଣାପଡ଼ିଛି ଯେ, ରେହାନ, ରିତିକ ନାମକ ଅନ୍ୟ ଜଣେ ଯୁବକକୁ ୩୫,୦୦୦ ଟଙ୍କା ଏବଂ ବିଦେଶରେ ଚାକିରି ଦେବାର ପ୍ରସ୍ତାବ ଦେଇଥିଲା। ପୋଲିସ ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ କରୁଛି। ଦେଢ଼ ମାସ ପୂର୍ବରୁ ରେହାନ ଜଣେ ନାବାଳକ ସାଙ୍ଗ ସହ ମିଶି ଅମୃତସରରେ ଜଣେ ବ୍ୟବସାୟୀଙ୍କୁ ଭୟଭୀତ କରାଇବା ଉଦ୍ଦେଶ୍ୟରେ ଗୁଳିମାଡ଼ କରିଥିଲା ବୋଲି ମଧ୍ୟ ଜଣାପଡ଼ିଛି।