ଭୁବନେଶ୍ୱର : ଆଉ ମାତ୍ର କିଛି ଦିନ ପରେ ଆରମ୍ଭ ହେବ ନୂଆ ଶିକ୍ଷା ବର୍ଷ । ଏପ୍ରିଲ୍ ୨ରୁ ନୂଆ ଶିକ୍ଷା ବର୍ଷର ପାଠପଢ଼ା ଆରମ୍ଭ ହେବ । ହେଲେ ଏଯାଏ ମିଳୁନି ଜାତୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦର ପାଠ୍ୟପୁସ୍ତକ । ଏନ୍ସିଇଆର୍ଟି ନବମ ଶ୍ରେଣୀ ପାଠ୍ୟପୁସ୍ତକର ବିକାଶ କରୁଛି । ଫଳରେ ପୂର୍ବ ପ୍ରଚଳିତ ପାଠ୍ୟପୁସ୍ତକରେ ପରିବର୍ତ୍ତନ କରାଯିବ । ତେଣୁ ନୂଆ ବହି କେବେ ଆସିବ ତାକୁ ଅପେକ୍ଷା କରିଛନ୍ତି ଅଭିଭାବକ ।

ବଜାରରେ ବହି ମିଳୁନି

ବଜାରରେ ବହି ମିଳୁନି । କି ଏନ୍‌ସିଇଆରଟି ଆଞ୍ଚଳିକ କେନ୍ଦ୍ରକୁ ଗଲେ ମଧ୍ୟ କୌଣସି ଉତ୍ତର ମିଳୁନି । ଏପଟେ ଏପ୍ରିଲ୍ ୨ରୁ ପାଠପଢ଼ା ଆରମ୍ଭ ହେବ । ପିଲା କିପରି ପଢ଼ିବେ ବୋଲି ମଧ୍ୟ ଅଭିଭାବକ ଓ ଶିକ୍ଷକ ଚିନ୍ତାରେ ଅଛନ୍ତି । ନିକଟରେ ଏନ୍ସିଇଆର୍ଟି ପକ୍ଷରୁ ଜାରି ହୋଇଛି ଏକ ନିର୍ଦ୍ଦେଶାନାମା । ଯେଉଁଥିରେ ଉଲ୍ଲେଖ ହୋଇଛି, ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ସମସ୍ତ ସ୍କୁଲ ପାଠ୍ୟପୁସ୍ତକର ବିକାଶ ହେଉଛି । ନ୍ୟାସନାଲ କରିକୁଲମ ଫ୍ରେମ୍ୱାର୍କ ଫର ସ୍କୁଲ ଏଜୁକେସନ (ଏନ୍ସିଏଫ୍-ଏସ୍ଇ)-୨୦୨୩ ଆଧାରରେ ଏହି ସମସ୍ତ ପାଠ୍ୟପୁସ୍ତକକୁ ବିକାଶ କରାଯାଉଛି ।

ତେବେ ଏନ୍‌ସିଇଆରଟି ପ୍ରସ୍ତୁତି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସମସ୍ତ ପାଠ୍ୟପୁସ୍ତକର ବିକାଶ ଶେଷ ହୋଇଛି । ଏହି ବହି ଉଭୟ ଅନ୍‌ଲାଇନ ଓ ଅଫ୍ଲାଇନ୍‌ରେ ଉପଲବ୍ଧ ରହିଛି । ନବମ ଶ୍ରେଣୀର ବହି ଏବେବି ବିକାଶ କରାଯାଉଛି । ନବମ ଶ୍ରେଣୀ ପାଠ୍ୟପୁସ୍ତକ ବିକାଶ କାର୍ଯ୍ୟ ଶେଷ ହୋଇନି । ଡ୍ରାଫ୍ଟ ସିଲାବସ୍ ଏନ୍ସିଇଆର୍ଟି ୱେବ୍ସାଇଟ୍‌ରେ ଉପଲବ୍ଧ ରହିଛି । ଏହାକୁ ବର୍ତ୍ତମାନ ରେଫରେନ୍ସ ଓ ଫିଡ୍ବ୍ୟାକ୍ ପାଇଁ ବ୍ୟବହାର କରିହେବ । ଏନ୍ସିଇଆର୍ଟି ସମସ୍ତ ଶିକ୍ଷକଙ୍କୁ ଏହା ମଧ୍ୟ ପରାମର୍ଶ ଦେଇଛି, ନୂଆ ସିଲାବସ୍ ଓ ନୂଆ ପାଠ୍ୟପୁସ୍ତକ ଅନୁଯାୟୀ ପାଠ ପଢ଼ାଅ ।

Also Read...ଘାଟିରେ ଓଲଟିଲା ଟୁରିଷ୍ଟ ବସ୍, ଚାଲିଗଲା ୫ ଜୀବନ, ୩୦ରୁ ଅଧିକ ଆହତ

କଣ କହୁଛି NCERT? 

ଖୁବ୍‌ଶୀଘ୍ର ବଜାରକୁ ଏନ୍ସିଇଆରଟିର ନୂଆ ପାଠ୍ୟପୁସ୍ତକ ଆସିବ ବୋଲି ଏନ୍ସିଇଆର୍ଟିର ବରିଷ୍ଠ ଅଧିକାରୀ ମଧ୍ୟ ଆଶ୍ୱସନା ଦେଇଛନ୍ତି । ଅଭିଭାବକଙ୍କ ଅଭିଯୋଗ, ଏନ୍ସିଇଆର୍ଟି ବହି ବିକାଶ କାର୍ଯ୍ୟ ନୂଆ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ସାରିବା କଥା । ଆସନ୍ତା ୧ତାରିଖରୁ ସାରା ଦେଶରେ ନୂଆ ଶିକ୍ଷା ବର୍ଷ ଆରମ୍ଭ ହେବ । ଓଡି଼ଶାରେ ୨ ତାରିଖରୁ ଆରମ୍ଭ ହେବ । ଏଯାଏ ଏନ୍ସିଇଆର୍ଟିର ବହିମିଳୁନି । ତେବେ କିପରି ପାଠ ପଢ଼ିବେ ପିଲା ବୋଲି ପ୍ରଶ୍ନ କରିଛନ୍ତି ।

ଏପଟେ ବଜାରରେ କେବଳ ପୂର୍ବ ପ୍ରକାଶିତ ବହି ମିଳୁଛି । ଅନେକ ଛାତ୍ରଛାତ୍ରୀ ନବମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇ ଦଶମକୁ ଯାଇ ଥିବା ପିଲାଙ୍କ ବହିକୁ ଆଣି ପଢ଼ୁଛନ୍ତି । କିନ୍ତୁ ଯଦି ବହି ବିଳମ୍ବ ଆସେ ତେବେ ପାଠପଢ଼ାରେ ବିଳମ୍ବ ହେବ ବୋଲି ଆଶଙ୍କା କରାଯାଉଛି । ଏନ୍‌ସିଇଆର୍‌ଟି ଏହା ମଧ୍ୟ କହିଛି,ଆସନ୍ତା ୨୦୨୭-୨୮ ଶିକ୍ଷାବର୍ଷରେ ଉଭୟ ଦଶମ ଓ ଏକାଦଶ ଶ୍ରେଣୀର ପାଠ୍ୟପୁସ୍ତକରେ ପରିବର୍ତ୍ତନ ହେବ ।