ଛତ୍ରପୁର: ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ମାଟ୍ରିମୋନିଆଲ୍ ପ୍ଲାଟଫର୍ମରେ ମହିଳାଙ୍କୁ ଫସାଇ ପ୍ରାୟ ୬୦ ଲକ୍ଷ ଟଙ୍କା ଲୁଟିଥିଲେ।ଏବେ ଘଟଣାରେ ଗଞ୍ଜାମ ସାଇବର କ୍ରାଇମ୍ ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତ ଜିନୁ ସାହାଣୀ ଓରଫ ରାକେଶ ରାଜପୁତ (୩୯)ଙ୍କୁ ଗୋଆରୁ ଗିରଫ କରିଛି। ତାଙ୍କ ଘର କନ୍ଧମାଳ ଜିଲ୍ଲା ଫୁଲବାଣୀ ଥାନା ଅନ୍ତର୍ଗତ ପିଅନପଡ଼ା ଗ୍ରାମରେ। ଏନେଇ ଛତ୍ରପୁରସ୍ଥିତ ସାଇବର କ୍ରାଇମ୍ ଥାନା ପରିସରରେ ଆୟୋଜିତ ପ୍ରେସମିଟ୍ରେ ଡିଏସ୍ପି ଗିରିଜା ପଟ୍ଟନାୟକ ଓ ଆଇଆଇସି ଜ୍ୟୋତିରଞ୍ଜନ ବେହେରା ସୂଚନା ଦେଇଛନ୍ତି। ମାଟ୍ରିମୋନିଆଲ୍ ପ୍ଲାଟଫର୍ମରେ ଅଭିଯୁକ୍ତ ଜଣ ଏହିପରି ବହୁ ଲୋକଙ୍କୁ ୧ କୋଟି ୧୯ ଲକ୍ଷ ଟଙ୍କାର ଠକେଇ କରିବା ସହ ବିଭିନ୍ନ ଥାନା ରେ ୫ ଟି ମାମଲା ରହିଛି |

ପୁଲିସ ସୂଚନା ଅନୁସାରେ, ଭଞ୍ଜନଗରର ୩୧ ବର୍ଷୀୟା ଶ୍ରଦ୍ଧା ସୁମନ ପଣ୍ଡା ପୁନଃବିବାହ ପାଇଁ ‘ଜୀବନସାଥୀ ଡଟ୍ କମ୍’ରେ ପ୍ରୋଫାଇଲ୍ ଖୋଲିଥିଲେ। ଏହି ସୁଯୋଗରେ ଅଭିଯୁକ୍ତ ନିଜକୁ ଭୁବନେଶ୍ୱରର ‘ସାଇ କୃପା ଦାସ’ ଭାବେ ପରିଚୟ ଦେଇ ତାଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲା। ପରେ ବିବାହର ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ବିଭିନ୍ନ ମିଥ୍ୟା କାହାଣୀ ଶୁଣାଇ ଟଙ୍କା ଆଦାୟ କରିଥିଲା। ନକଲି ଫଟୋ, ଭିଡିଓ କଲ୍ ଓ ଜାଲ୍ ଚିକିତ୍ସା କାଗଜପତ୍ର ହ୍ୱାଟ୍ସଆପ୍ ମାଧ୍ୟମରେ ପଠାଇ ବିଶ୍ୱାସ ଜନ୍ମାଇଥିଲା। ତାଙ୍କ କଥାରେ ବିଶ୍ୱାସ କରି ଅଭିଯୋଗକାରୀ ସୁନାଗହଣା ବନ୍ଧକ ରଖିବା ସହ ପରିବାର ଓ ଅନ୍ୟମାନଙ୍କଠାରୁ ଧାର କରି ପ୍ରାୟ ୬୦ ଲକ୍ଷ ଟଙ୍କା ବିଭିନ୍ନ ବ୍ୟାଙ୍କ ଖାତାକୁ ପଠାଇଥିଲେ।

ତଦନ୍ତ ସମୟରେ ପୁଲିସ ଅଭିଯୁକ୍ତଙ୍କଠାରୁ ୭ଟି ମୋବାଇଲ୍, ୭ଟି ସିମ୍ କାର୍ଡ, ୬ଟି ଚାର୍ଜର, ନକଲି ରବର ଷ୍ଟାମ୍ପ, ଷ୍ଟାମ୍ପ ପ୍ୟାଡ୍, ଡେବିଟ୍ କାର୍ଡ, ଆଧାର କାର୍ଡ, ଭୋଟର ପରିଚୟପତ୍ର, ରେଳ ପରିଚୟପତ୍ର, ନକଲି କୋର୍ଟ ଅର୍ଡର ଓ ନକଲି ଏସ୍ବିଆଇ ଡିଡି ରସିଦ ଜବତ କରିଛି। ଏଥିସହ ୨,ହଜାର ୮୦ ଟଙ୍କା ନଗଦ ଜବତ ହୋଇଥିବା ବେଳେ ପ୍ରାୟ ୧୨ଲକ୍ଷ ୩୧ ହଜାର ୯୭୬ ଟଙ୍କା ଫ୍ରିଜ୍ କରାଯାଇଛି।

ପୁଲିସ ତଦନ୍ତରୁ ଅଭିଯୁକ୍ତଙ୍କ ପୂର୍ବରୁ ମଧ୍ୟ ଏକାଧିକ ଠକେଇ ମାମଲାରେ ସମ୍ପୃକ୍ତି ଥିବା ଜଣାପଡ଼ିଛି। ବିଶେଷକରି ନକଲି ପ୍ରୋଫାଇଲ୍ ତିଆରି କରି ବିଧବା ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଏପରିକି ନିଯୁକ୍ତି ନାମରେ ମଧ୍ୟ ଠକେଇ କରୁଥିବା ପୁଲିସ କହିଛି। ୨୦୧୫ ମସିହାରୁ ସେ ବିଭିନ୍ନ ଠକେଇ ଘଟଣାରେ ସମ୍ପୃକ୍ତ ଥିବା ତଦନ୍ତରୁ ଜଣାପଡ଼ିଛି। ପୁରୀ କୋଣାର୍କ, ବ୍ରହ୍ମପୁର ସାଇବର କ୍ରାଇମ୍ ଓ ଭୁବନେଶ୍ୱରର ବିଭିନ୍ନ ଥାନାରେ ତାଙ୍କ ବିରୋଧରେ ମାମଲା ରହିଛି। ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଉତ୍ତମ କୁମାର ସାହୁ ଓରଫ ମିକି (୩୨)ଙ୍କୁ ପୁଲିସ ପୂର୍ବରୁ ଗିରଫ ହୋଇଛି ।