ନୂଆଦିଲ୍ଲୀ: ୪୦ ଦିନର କଡ଼ା ପରୀକ୍ଷା। ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଦଳ ଖେଳିବ ମୋଟ୍ ୧୨ଟି ମ୍ୟାଚ୍। ପ୍ରଥମେ ଖେଳାଯିବ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍। ଅକ୍ଟୋବର ୨୨ରେ ଖେଳାଯିବ ସିରିଜର ପ୍ରଥମ ମ୍ୟାଚ୍। ଘରୋଇ ମାଟିରେ ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ୨-୨ରେ ବରାବର ରହିଥିଲା। ଏବେ ନ୍ୟୁଜିଲାଣ୍ଡରେ ସ୍ଥିତି ଅଲଗା ରହିବ ଏବଂ ଚ୍ୟାଲେଞ୍ଜିଂ ମଧ୍ୟ ବହୁତ ରହିବ। ବିଶେଷ କରି ଭୁବନେଶ୍ଵର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ସଭିଙ୍କ ନଜର ରହିଛି।

ଭୁବନେଶ୍ଵରଙ୍କୁ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଶେଷ ଟି-୨୦ରେ ଵୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଥିଲା। ହେଲେ ବର୍ଷା ଯୋଗୁଁ ଏହି ମ୍ୟାଚ୍ ରଦ୍ଦ ହୋଇଥିଲା ଏବଂ ଗୋଟିଏ ବି ବଲ ପଡ଼ି ପାରି ନ ଥିଲା। ଏବେ ପ୍ରଶ୍ନ ଉଠୁଛି ଯଦି ଭୁବନେଶ୍ଵର କୁମାର ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଚୁଡ଼ାନ୍ତ ଏକାଦଶରେ ସ୍ଥାନ ପାଆନ୍ତି ତେବେ କେଉଁ ଖେଳାଳି ବାଦ୍ ପଡ଼ିବେ। ଉଲ୍ଲେଖନୀୟ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ୍ ଖେଳିଥିବା ଭାରତୀୟ ଦଳରେ କେବଳ ଗୋଟିଏ ପରିବର୍ତ୍ତନ କରାଯାଇଛି। ରବି ବିଷ୍ଣୋଇଙ୍କ ସ୍ଥାନରେ ବରୁଣ ଚକ୍ରବର୍ତ୍ତୀଙ୍କୁ ସୁଯୋଗ ମିଳିଛି।

Also Read: BCCIର ବଡ଼ ଘୋଷଣା, ପ୍ରଜ୍ଞାନ ଓଝା ହେଲେ ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା; ଏଣ୍ଟ୍ରି କଲେ ରମେଶ ପାଓ୍ଵାର

ବ୍ୟାଟିଂରେ ଜବରଦସ୍ତ

ବ୍ୟାଟିଂ କ୍ରମ ଉପରେ ନଜର ପକାଇଲେ ଦଳ ପାଖରେ ଏକଦମ ସଠିକ୍ ବ୍ୟାଟର ଏବଂ ଅଲରାଉଣ୍ଡରଙ୍କ ଉତ୍ତମ ସମନ୍ବୟ ରହିଛି। ଏଥିପାଇଁ ଟିମରେ ପ୍ରଥମ ୮ କ୍ରମ ପ୍ରାୟତଃ ସ୍ପଷ୍ଟ। ଓପନିଂରେ ସଞ୍ଜୁ ସାମସନ ଓ ଅଭିଷେକ ଶର୍ମା। ଏହା ପରେ ନମ୍ବର ୩ରେ ଇଶାନ କିଶନ, ଚତୁର୍ଥ କ୍ରମରେ ଅଧିନାୟକ ଶ୍ରେୟସ ଆୟର, ନମ୍ବର ୫ରେ ତିଳକ ବର୍ମା ଏବଂ ନମ୍ବର ୬ରେ ନମନ ଧୀର ରହିଛନ୍ତି। ବିଶେଷ କରି ସ୍ପିନ ବୋଲିଂ ଅଲରାଉଣ୍ଡର ଭାବେ ନମନ ଧୀର ଗଭୀର ପ୍ରଭାବ ପକାଇଛନ୍ତି। ତେଣୁ ଦଳରେ ପରିବର୍ତ୍ତନ କେବଳ ବୋଲିଂ ବିଭାଗକୁ ନେଇ ରହିଛି। ଏଥିରୁ ଗୋଟିଏ ସ୍ଲଟ ମୁଖ୍ୟ ସ୍ପିନର କୁଲଦୀପ ଯାଦବ କିମ୍ବା ବରୁଣ ଚକ୍ରବର୍ତ୍ତୀଙ୍କ ପାଇଁ ରହିଛି। 

Also Read: ରଣଜୀରେ ଅପରାଜିତ ୪୦୦ ରନ୍ କଲେ ଚିନ୍ମୟ ସୂଚାର, ୭୮ ବର୍ଷ ପରେ ନୂଆ କୀର୍ତ୍ତିମାନ

ମୟଙ୍କ-ନମନରୁ ଜଣେ ପଡ଼ିବେ ବାଦ୍

ନ୍ୟୁଜିଲାଣ୍ଡ ପିଚରେ ଭାରତ ୪ ଦ୍ରୁତ ବୋଲର ବିକଳ୍ପ ସହିତ ମଇଦାନକୁ ଓହ୍ଲାଇପାରେ। ସମ୍ଭବତଃ ଭୁବନେଶ୍ଵର କୁମାର, ଅର୍ଶଦୀପ ସିଂ ଦ୍ରୁତ ବୋଲିଂ ଆକ୍ରମଣର ନେତୃତ୍ଵ ନେବେ। ନୀତିଶ କୁମାର ରେଡ୍ଡୀ ଚତୁର୍ଥ ଦ୍ରୁତ ବୋଲିଂ ବିକଳ୍ପ ଭାବେ ଖେଳି  ପାରନ୍ତି। ତୃତୀୟ ଦ୍ରୁତ ବୋଲର ବିକଳ୍ପ ଭାବେ ପ୍ରିନ୍ସ ଯାଦବ ଏବଂ ମୟଙ୍କ ଯାଦବଙ୍କ ମଧ୍ୟରେ ଜଣଙ୍କୁ ସ୍ଥାନ ମିଳିପାରେ। ଯଦି ଟିମ୍ ଇଣ୍ଡିଆ ମୟଙ୍କ ଓ ପ୍ରିନ୍ସ ଉଭୟଙ୍କୁ ଖେଳାଇବାକୁ ଚାହିଁବ ତେବେ ନମନ ଧୀରଙ୍କୁ ବାହାରେ ବସିବାକୁ ପଡ଼ିପାରେ।